ପୌର ନିର୍ବାଚନ, ୨୦୨୨-ସର୍ବଦଳୀୟ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) : ପୌର ନିର୍ବାଚନ-୨୦୨୨ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ପୌର ନିର୍ବାଚନର ବିଭିନ୍ନ ପ୍ରକ୍ରିୟା, ଆଦର୍ଶ ଆଚରଣ ବିଧି, ନିର୍ବାଚନ ପ୍ରଚାର, ଭୋଟଗ୍ରହଣ ଏବଂ ଭୋଟଗଣତି ଇତ୍ୟାଦି ସମ୍ପର୍କରେ ସୂଚନା ଦିଆଯିବା ସହିତ ନିର୍ବାଚନ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଜିଲ୍ଲାରେ ପୌର ନିର୍ବାଚନ ପାଇଁ ବାଲେଶ୍ୱର ପୌରାଂଚଳ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଭବେଶ କୁମାର ନାୟକ, ଜଳେଶ୍ୱର ପୌରାଂଚଳ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ସୋର ପୌରାଂଚଳ ନିମନ୍ତେ ଆଡିସିନାଲ ସବକଲେକ୍ଟର ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ନୀଳଗିରି ଏନଏସି ନିମନ୍ତେ ପିଏ-ଆଇଟିଡିଏ ଶ୍ରୀ ବୀରକିଶୋର ପାଣିଗ୍ରାହୀ ଏବଂ ରେମୁଣା ଏନଏସି ନିମନ୍ତେ ରେମୁଣା ତହସିଲଦାର ଶ୍ରୀ ସିତାଂଶୁ ଦାସ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ବେଳେ ଆଜିର ବୈଠକରେ ସେମାନେ ମଂଚାସୀନ ହୋଇ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ପୌର ନିର୍ବାଚନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରିଥିଲେ । ବିଶେଷ କରି ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ପ୍ରତ୍ୟାହାର,ସଭାସମିତି, ଶୋଭାଯାତ୍ରା, ନିର୍ବାଚନ ପ୍ରଚାର, ଆଦର୍ଶ ଆଚରଣ ବିଧି, କୋଭିଡ୍ ମାର୍ଗଦର୍ଶିକା, ଭୋଟ୍ ଗ୍ରହଣ କେନ୍ଦ୍ର, ଷ୍ଟ୍ରଙ୍ଗ ରୁମ୍‌, ଭୋଟ୍ ଗଣତି,ବିଭିନ୍ନ ଫର୍ମର ବ୍ୟବହାର, ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ସୀମା ଓ ସେମାନଙ୍କ ଦ୍ୱାରା ଯାନବାହାନ ବ୍ୟବହାର, ଇଭିଏମ୍ ମେସିନର ବ୍ୟବହାର ଇତ୍ୟାଦି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାରେ ପୌର ନିର୍ବାଚନ ପାଇଁ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଫେବୃଆରୀ ୨୮ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଗତ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ପତ୍ର ସଂଗ୍ରହ ଓ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କାଉନସିଲର ଓ ପୌରାଧ୍ୟକ୍ଷ ପଦବୀ ପାଇଁ ଅଲଗା ଅଲଗା ଫର୍ମରେ ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବା ବେଳେ ମତଦାତା ଦୁଇଟି ପଦବି ପାଇଁ ଦୁଇଟି ଇଭିଏମ୍‌ରେ ଭୋଟ ଦେବେ । ରାଜନୈତିକ ଦଳ ଦ୍ୱାରା ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ଫର୍ମ-୯ ଏବଂ ଫର୍ମ-୧୦ର ଗୁରୁତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ତାହା ଦାଖଲ ସମ୍ପର୍କରେ ବୈଠକରେ ବିଶେଷ ଆଲୋଚନା କରାଯାଇଥିଲା । ପୌର ନିର୍ବାଚନରେ ପ୍ରାର୍ଥୀମାନେ ସମ୍ପତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଇତ୍ୟାଦି ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ସହିତ ଗୋଟିଏ ସ୍ତ୍ରୀ ସମେତ ଦୁଇରୁ ଅଧିକ ପିଲା ନ ଥିବା ନେଇ ସତ୍ୟପାଠ ଦାଖଲ କରିବେ । ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ଦିନ ୧୧ଘଟିକାରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ସମ୍ପୃକ୍ତ ପୌର ବା ଏନଏସି କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିହେବ । ଛୁଟି ଦିନରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିହେବ । ମାର୍ଚ୍ଚ ୯ତାରିଖ ଦିନ ପ୍ରାର୍ଥିପତ୍ର ଯାଂଚ କରାଯିବ । ସେହିପରି ମାର୍ଚ୍ଚ ୧୪ତାରିଖ ଅପରାହ୍ନ ୩ଘଟିକା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ । ସେହି ମାର୍ଚ୍ଚ ୧୪ତାରିଖ ଦିନ ୫ଘଟିକା ସମୟରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ ସକାଳ ୮ଘଟିକାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । କାଉନସିଲର ପଦବୀ ସହ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ଭୋଟ୍ ହେବ । ମାର୍ଚ୍ଚ ୨୬ତାରିଖରେ ମତଗଣନା ସହ ଫଳାଫଳ ଘୋଷଣା ହେବ । ଆଦର୍ଶ ଆଚରଣ ବିଧି ଫେବୃଆରୀ ୨୫, ୨୦୨୨ ରୁ ମାର୍ଚ୍ଚ ୨୬, ୨୦୨୨ ପର୍ଯ୍ୟନ୍ତ ବଳବତର ରହିବ । ତେବେ ଆଦର୍ଶ ଆଚରଣ ବିଧି କେବଳ ମହାନଗର, ପୌରାଂଚଳ ଏବଂ ଅଧିସୂଚିତ କ୍ଷେତ୍ର ପରିଷଦ ସୀମାରେ ହିଁ ଲାଗୁ ହେବ । କାଉନସିଲର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ୱାର୍ଡ ନିମନ୍ତେ ସର୍ବାଧିକ ୨ଟି ମୋଟର ଯାନ( ଉଭୟ ତିନି ଚକିଆ ଓ ଚାରି ଚକିଆକୁ ମିଶାଇ) ବ୍ୟବହାର ପାଇଁ ଅନୁମତି ଦିଆଯାଇଥିବା ବେଳେ ପୌରାଧ୍ୟକ୍ଷ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ପୌରାଂଚଳ ନିମନ୍ତେ ସର୍ବାଧିକ ୪ଟି ମୋଟର ଯାନ( ଉଭୟ ତିନି ଚକିଆ ଓ ଚାରି ଚକିଆକୁ ମିଶାଇ) ବ୍ୟବହାର ନିମନ୍ତେ ଅନୁମତି ଦିଆଯାଇଛି । ସେହିପରି ରାଜନୈତିକ ଦଳମାନେ ପ୍ରତ୍ୟେକ ପୌରାଂଚଳ ପାଇଁ ୨ଟି ଲେଖାଏଁ ଚାରି ଚକିଆ ଯାନ ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ୫୦ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ପୌରାଂଚଳ ଏବଂ ଏନଏସିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୫୦ହଜାର ଟଙ୍କା ଖର୍ଚ୍ଚସୀମା ରଖାଯାଇଥିବା ବେଳେ ପୌରାଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ ସୀମା ରଖାଯାଇଛି । ଅନୁରୂପ ଭାବେ ୫୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ପୌରାଂଚଳରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୭୫ହଜାର ଟଙ୍କା ଖର୍ଚ୍ଚସୀମା ରଖାଯାଇଥିବା ବେଳେ ପୌରାଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୩ ଲକ୍ଷ ଟଙ୍କା ଖର୍ଚ୍ଚ ସୀମା ରଖାଯାଇଛି । ସେହିପରି ୧ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ପୌରାଂଚଳରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୧ଲକ୍ଷ ଟଙ୍କା ଖର୍ଚ୍ଚସୀମା ରଖାଯାଇଥିବା ବେଳେ ପୌରାଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ ସୀମା ରଖାଯାଇଛି । ପୌର ନିର୍ବାଚନ ପାଇଁ ବାଲେଶ୍ୱର ସହରରେ ସରକାରୀ ଆଇ.ଟି.ଆଇ., ସୋରରେ ୟୁ.ଏନ.କଲେଜ, ଜଳେଶ୍ୱରରେ ଜଳେଶ୍ୱର ନୋଡାଲ ହାଇସ୍କୁଲ, ନୀଳଗିରିରେ ନୀଳଗିରି କଲେଜ ଏବଂ ରେମୁଣାରେ ରେମୁଣା ଡିଗ୍ରୀ କଲେଜଠାରେ ବିତରଣ କେନ୍ଦ୍ର ଏବଂ ଷ୍ଟ୍ରଙ୍ଗରୁମ୍ ସ୍ଥାପନ କରାଯାଇଛି । ଭୋଟରମାନଙ୍କ ସମ୍ପର୍କରେ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ବୈଠକରେ ସୂଚନା ଦିଆଯିବା ସହିତ ସେମାନଙ୍କର ବିଭିନ୍ନ ସନ୍ଦେହକୁ ମଧ୍ୟ ଏଥିରେ ଦୂର କରାଯାଇଥିଲା । ଭୁଲ୍ ସତ୍ୟପାଠ କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ କୁହାଯାଇଥିଲା । ବୈଠକରେ ରାଜନୈତିକ ଦଳ ପ୍ରତିନିଧି ଶ୍ରୀ ଚିତରଂଜନ ପଣ୍ଡା, ଶ୍ରୀ ଗୋପୀନାଥ ପାଢୀ, ଶ୍ରୀ ନିରଞ୍ଜନ ପରିଡା, ଶ୍ରୀ ଶ୍ୟାମସୁନ୍ଦର ଜେନାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ