ପୌର-ପଞ୍ଚାୟତ ନିର୍ବାଚନରେ ପ୍ରସଙ୍ଗ କରିବ ଜିଲା କଂଗ୍ରେସ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲାବାସୀଙ୍କ ପ୍ରତି ବୃଦ୍ଧି ପାଇଥିବା ସରକାରୀ ଉଦାସୀନତା ଓ ପ୍ରଶାସନିକ ଅବହେଳା ଦିନକୁ ଦିନ ଅସହ୍ୟ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ପ୍ରସଙ୍ଗ ସହ ଜନସାଧାରଣଙ୍କୁ ଜିଲା କଂଗ୍ରେସ ସଚେତନ କରିବ ବୋଲି ନୂଆବର୍ଷର ବନ୍ଧୁମିଳନରେ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରବିବାର ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଦଳୀୟ ବୈଠକ ଓ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ସଞ୍ଜୀବ ଗିରିଙ୍କ ସମେତ ପିସିସି ମୁଖପାତ୍ର ସୁଦର୍ଶନ ଦାସ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ, ମମତା କୁଣ୍ଡୁ ପ୍ରମୁଖ ଦଳୀୟ କର୍ମକର୍ତ୍ତାମାନେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଜିଲାରେ ପରିଚାଳିତ ପ୍ରଶାସନିକ କଳର ମନମୁଖୀ କାର୍ଯ୍ୟଧାରା ଓ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଆଳରେ ଜନସାଧାରଣଙ୍କୁ କିପରି ଭୁଆଁ ବୁଲାଯାଉଛି, ସେ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲାର କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ନିୟୋଜନ ସମେତ ପ୍ରତିଟି କ୍ଷେତ୍ର ବିପର୍ଯ୍ୟସ୍ଥ ହୋଇପଡ଼ିଥିବା ବେଳେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର କେବଳ ଭୋଟ ରାଜନୀତିକୁ ଗୁରୁତ୍ୱ ଦେଇ ଚାଲିଛନ୍ତି ବୋଲି କଂଗ୍ରେସ କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ବିଶେଷ କରି ଜିଲା ପାଇଁ ଆବଶ୍ୟକ ନିରପେକ୍ଷ ତଥା କ୍ରିୟାଶୀଳ ପ୍ରଶାସନ ସାଙ୍ଗକୁ ବାଲେଶ୍ୱରରେ ଆରଡିସି କାର୍ଯ୍ୟାଳୟ ପ୍ରତିଷ୍ଠା, ଜଳେଶ୍ୱରରୁ ଦୀଘା ଓ ବାଲେଶ୍ୱରରୁ ନୀଳଗିରି ରେଳ ସଂପ୍ରସାରଣ ତଥା ଟ୍ରେନ ଚଳାଚଳ, ଜିଲାର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ତୁରନ୍ତ ନିଯୁକ୍ତି ପାଇଁ କଂଗ୍ରେସ ପକ୍ଷରୁ ଦାବି ଉଠାଇଯାଇଛି । ସେହିପରି କଂଗ୍ରେସ ସରକାରଙ୍କ ଅମଳରେ ବାଲେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଶହ ଶହ ଶିଳ୍ପାନୁଷ୍ଠାନ ଏବେ ଋଗ୍‍ଣ ସ୍ଥିତିରେ ପହଞ୍ଚିଛି କିମ୍ବା ବନ୍ଦ ହୋଇ ଯାଇଥିବା ବେଳେ ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ ଏବେ ଜୀବିକା ହରାଇ ଆର୍ଥିକ ଅନାଟନରେ ଜୀବନ ବିତାଉଛନ୍ତି । ସେହିଭଳି ଭୂମିହୀନ ପରିବାରଙ୍କୁ ଘରଡିହ ପାଇଁ ଜମି ପ୍ରଦାନ, ବାଲିଆପାଳର ୬ ପଞ୍ଚାୟତର ୬୦ ହଜାର ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋ କେମିକାଲ ଶିଳ୍ପାନୁଷ୍ଠାନ ସ୍ଥାନାନ୍ତର, ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ପାଇଁ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନମୁଖୀ ହେବ ବୋଲି ଜିଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ବିଶେଷ କରି ସରକାରୀ ବିଫଳତାକୁ ନେଇ ଜନସାଧାରଣଙ୍କୁ ସଚେତନତା କରିବା ସହିତ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ରଣକୌଶଳ ଭାବେ ବ୍ୟବହାର କରିବ ବୋଲି ଜିଲା କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଜନ ନାୟକ, ପ୍ରତାପ ସେଠୀ, ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞାପାରମିତା ମହାନ୍ତି, ଗୌତମ ସାହୁ, ରଞ୍ଜନ ଦାସ, ଗୋପୀନାଥ ପାଢ଼ୀ, ଦେବଦତ୍ତ ଦାସ, ଜୀବନ ମହାପାତ୍ର, ସୌରଭ ବେହେରା, ସୁଧାଂଶୁ ଶେଖର ଜେନା, ନବ ପ୍ରସାଦ ଭୂୟାଁ, ପଶୁପତି ଉପାଧ୍ୟାୟ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ