ପୌର ପରିଷଦର ପ୍ରଥମ ସାଧାରଣ ବୈଠକ : ପାନୀୟଜଳ, ସ୍ୱଚ୍ଛତା ଓ ଉନ୍ନୟନକାର୍ଯ୍ୟକୁ ଗୁରୁତ୍ୱାରୋପ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଦୀର୍ଘ ପ୍ରାୟ ଦେଢ ମାସ ଅତିକ୍ରାନ୍ତ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପକ୍ଷରୁ ଶୁକ୍ରବାର ପ୍ରଥମ ସାଧାରଣ ବୈଠକ ଏକ ସୌହାର୍ଦ୍ଦ୍ୟପୁର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ପ୍ରଥମ ନିର୍ବାଚିତ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ପୌର ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ପୌର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଉପସ୍ଥିତ ବିଜେଡି, ବିଜେପି, କଂଗ୍ରେସ ଓ ୪ ସ୍ୱାଧିନ ନିର୍ବାଚିତ କାଉନସିଲର ମାନଙ୍କୁ ଅଧ୍ୟକ୍ଷ ସ୍ୱାଗତ ଜଣାଇଥିଲେ । ହିଞ୍ଜିଳିକାଟୁ ପୌର ପରିଷଦକୁ ଏକ ଉନ୍ନତ ସହର ରୂପେ ଗଢି ତୋଳିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ସାହୁ ସମସ୍ତ ସଭ୍ୟ/ସଭ୍ୟାଙ୍କ ସହଯୋଗ କାମନା କରିଥିଲେ । ପୌର ପରିଷଦର ପୂର୍ବ ଆୟବ୍ୟୟ ଅଟକଳର ଦୃଢୀକରଣ କରାଯାଇଥିଲା । ନିର୍ବାଚିତ କାଉନସିଳର ମାନେ ନିଜ ନିଜ ୱାର୍ଡରେ ଆବଶ୍ୟକତା ରହିଥିବା ଉନ୍ନୟନ କାର୍ଯ୍ୟ ଗୁଡିକର କାର୍ଯ୍ୟକାରିତା ନିମନ୍ତେ ପ୍ରସ୍ତାବପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ରାସ୍ତା, ପାନୀୟଜଳ, ଆଲୋକୀକରଣ ଓ ପରିମଳରେ ସୁଧାର ସହ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କଲ୍ୟାଣମଣ୍ଡପ ପରିସରରେ ପାନୀୟଜଳର ସୁବନ୍ଦୋବସ୍ତ ସକାଶେ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ । ଏତଦ୍ ବ୍ୟତିତ ସହରବାସୀଙ୍କ ଆବଶ୍ୟକତା ଅନୁଯାୟୀ ନୂତନ କଲ୍ୟାଣକାରୀ ଯୋଜନାର ଆରମ୍ଭ ସକାଶେ ଲକ୍ଷ୍ୟ ରଖାଯାଇଛି । ମତପାର୍ଥକ୍ୟ ଭୁଲି ଦଳମତ ନିର୍ବିଶେଷରେ ସହରବାସୀଙ୍କ ସାମୁହିକ ହିତ ସାଧନ ଦିଗରେ ସଭ୍ୟ/ସଭ୍ୟା ଐକବଦ୍ଧ ଭାବେ ଉନ୍ନୟନ କାର୍ଯ୍ୟ ଗୁଡିକୁ କ୍ରିୟାଶୀଳ ସକାଶେ ପୌର ଯନ୍ତ୍ରୀ ଆଶାପ୍ରକଟ କରିଥିଲେ । ବୈଠକରେ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ଓ ପୌର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।