ପୌଷରେ ବି ପରିବା ଦର ଆକାଶ ଛୁଆଁ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ସାଧାରଣତଃ ମାର୍ଗଶିର ପୌଷରେ ପନିପରିବା ଦର କମୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳିଛି । ସାଧାରଣତଃ ବର୍ଷା ଦିନ ପରେ ଆଶ୍ଵିନ କାର୍ତ୍ତିକରେ ପରିବା ଦର ଆକାଶ ଛୁଆଁ ରହିଥାଏ । ଶୀତ ଋତୁ ପୂର୍ବରୁ ବଜାରରେ କୋବି, ବିଲାତି, ଟମାଟୋ, ବାଇଗଣ, କାକୁଡି, ଭେଣ୍ଡି ପ୍ରମୁଖ ପରିବା ନୂଆ କରି ଆସିଥାଏ । ତେଣୁ ବଜାରରେ ନୂଆ ପରିବା ସାଙ୍ଗକୁ ଧର୍ମ ମାସ କାର୍ତ୍ତିକ ଓ ଆଶ୍ଵିନ ପାଇଁ ଏହାର ମୂଲ୍ୟ ମଧ୍ୟ ଉଚ୍ଚ ରହିଥାଏ । ମାର୍ଗଶିର ପ୍ରଥମ ସପ୍ତାହ ଠାରୁ ପରେ ପରେ କ୍ରମାନ୍ଵୟରେ ବିଭିନ୍ନ ପନିପରିବା ମୂଲ୍ୟ ବୃଦ୍ଧି ହ୍ରାସ ହେଉଥିବା ପୂର୍ବରୁ ବର୍ଷ ଗୁଡିକରେ ଦେଖିବାକୁ ମିଳୁଥିବା ବେଳେ ଏବେ କିନ୍ତୁ ବିପରୀତ ଦେଖା ଦେଉଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବଜାର ସମେତ ମଞ୍ଜୁରୀରୋଡ଼, ବାରିକପୁର, ମାଳଦା, କୁଲଣା ପ୍ରମୁଖ ଗ୍ରାମ୍ୟ ବଜାର ଗୁଡିକରେ ସାଧାରଣ ଗ୍ରାହକଟିଏ ପନିପରିବା କିଣିବା ପାଇଁ ଭାରି ଅସହ୍ୟ ବୋଧ କରୁଛି । ବର୍ତ୍ତମାନ ବନ୍ଧା ଓ ଫୁଲ କୋବି ଗୋଟା ୪୦ଟଙ୍କା ରହିଥିବା ବେଳେ ଟମାଟୋ ଓ ବାଇଗଣ ୫୦, ଝୁଡଙ୍ଗ ୬୦ ରହିଛି ଯାହାକି ପୂର୍ବ ବର୍ଷ ଗୁଡିକରେ ଠିକ ଏହି ସମୟରେ ଉକ୍ତ ପନିପରିବା ମୂଲ୍ୟ ଅପେକ୍ଷାକୃତ କମ ରହିଥିଲା । ସେହିଭଳି ବର୍ତ୍ତମାନ ସଜନା ଛୁଇଁ କେଜି ପ୍ରତି ୨୦୦ ରହିଥିବା ବେଳେ ଜହ୍ନି, ଭେଣ୍ଡି ଓ କଲରା କେଜି ପ୍ରତି ମୂଲ୍ୟ ରହିଛି ୫୦ରୁ୬୦ । ସାଧାରଣତଃ ବ୍ଲକର ବିଭିନ୍ନ ଅଂଚଳରେ ଏବେ ପାଚିଲା ଧାନ ବେଉଷଣ ହେଉଥିବା ବେଳେ ବିଲ କାମ କରୁଥିବା ଶ୍ରମିକଙ୍କ ଖାଇବା ପାଇଁ ପନିପରିବାର ଢେର ଆବଶ୍ୟକତା ରହିଛି । ଠିକ ଏହି ସମୟରେ ବିଭିନ୍ନ ପନିପରିବାର ଆକାଶ ଛୁଆଁ ମୂଲ୍ୟ ଅନେକ କୃଷକ ପରିବାରକୁ କଷ୍ଟ ଦେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ