ପ୍ରକାଶ ପାଇଲା ମହାରାଷ୍ଟ୍ର ମହାନାଟକର ରାୟ, ଅଗ୍ନିପରୀକ୍ଷା ଦେବେ ଫଡ଼ନାବିସ୍ ସରକାର
ମୁମ୍ବାଇ : ମହାରାଷ୍ଟ୍ରରେ ଦେଖାଯାଇଥିବା ରାଜନୈତିକ ମହାନାଟକ ସମ୍ପ୍ରତି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବାକୁ ଯାଉଛି । ମାନ୍ୟବର ସୁପ୍ରିମକୋର୍ଟ ମଙ୍ଗଳବାର ୧୦.୩୦ ମିନିଟ୍ରେ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଆସନ୍ତା ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ୍ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ଏହାର ସିଧାପ୍ରସାରଣ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବୁଧବାର ଅପରାହ୍ନ ୫ଟା ସୁଦ୍ଧା ବିଧାୟକମାନଙ୍କର ଶପଥ ଗ୍ରହଣ ସମାପ୍ତ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସକାଳ ୧୦ଟା ୩୦ ରେ କୋର୍ଟ ନମ୍ବର ୨ରେ ଜଷ୍ଟିସ ରମନା ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ନିର୍ଦ୍ଧାରିତ ସମୟ ସୁଦ୍ଧା ଆସ୍ଥା ଭୋଟ ସମୟରେ କୌଣସି ଗୋପନୀୟ ବାଲାଟ୍ର ବ୍ୟବହାର କରାଯାଇପାରିବ ନାହିଁ । ସେହି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ସିଧା ପ୍ରସାରଣ କରାଯିବ । ପ୍ରଥମେ ଅସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତି ଦିଆଯିବ । ଏହା ପରେ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ କରାଇବାକୁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ପ୍ରକାଶ ଯେ, ବିଜେପି ସୋମବାର ୧୭୦ ବିଧାୟକଙ୍କ ସମର୍ଥନ ନିଜ ପାଖରେ ରଖିଛି ବୋଲି ଦାବି କରିଥିଲା । ହେଲେ ମଙ୍ଗଳବାର ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟଙ୍କୁ ଆଉ କିଛି ସମୟ ମାଗିଥିଲା । ମାତ୍ର ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।
ମହାରାଷ୍ଟ୍ରର ଶରଦ ପାୱାର-ଠାକ୍ରେଙ୍କୁ ଚକମା ଦେବା ପରେ ବିଜେପି ସରକାର ଗଠନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାକୁ ନେଇ ସୁପ୍ରିମକୋର୍ଟ ଜରୁରୀକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିଥିଲେ ମଧ୍ୟ ସୋମବାର ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ । ବିନା ସଂଖ୍ୟା ଗରିଷ୍ଠତାରେ ଦେବେନ୍ଦ୍ର ଫଡ଼ନାବିସ୍ଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ଏହାକୁ ବିରୋଧ କରି ଶିବସେନା-ଏନସିପି-କଂଗ୍ରେସ ସର୍ବୋଚ୍ଚ ଅଦାଲତକୁ ଯାଇଥିଲେ । ବିଧାନସଭାରେ ତୁରନ୍ତ ବହୁମତ ପରୀକ୍ଷା ପାଇଁ ଦାବି କରି ଏହି ତିନି ଦଳ ଆବେଦନ କରିଥିଲେ । କୋର୍ଟର ତିନି ଜଣିଆ ଖଣ୍ଡପୀଠ ୮୦ ମିନିଟ୍ ଧରି ମାମଲାର ଶୁଣାଣି କରିବା ପରେ ମଙ୍ଗଳବାର ରାୟ ଶୁଣାଇବା ପାଇଁ କହିଥିଲେ ।


