ପ୍ରକୃତିର କୋହ
ପ୍ରକୃତି ରାଗିଛି
ପ୍ରକୃତି ଋଷିଛି
କିଏ ବୁଝେଇବ କୁହ,
ଧୂଆଁ ଧୂଳିକଣା
ଦିନୁଦିନ ବଢେ
ପ୍ରକୃତି ଝରାଏ ଲୁହ ।
ମାଟି ପାଣି ବାୟୁ
ଜହର ହେଲାଣି
ଆକାଶୁ ଖସଇ ଝୁଲ,
ପ୍ରକୃତି ଦେହରେ
ଖଇ ଫୁଟୁଅଛି
ମଣିଷ ଦେବ ତା ମୂଲ ।
ନିଃଶ୍ବାସ ପ୍ରଶ୍ବାସ
ନେବା କଷ୍ଟ ହୁଏ
କୋମଳ ଶିଶୁ କାନ୍ଦଇ,
ପ୍ରକୃତି ଦେହରେ
ନିଆଁ ଜଳୁଅଛି
କା ଆଖିକୁ ଦିଶୁ ନାହିଁ ।
ସମସ୍ତେ କାନ୍ଦନ୍ତି
କୁମ୍ଭୀର କାନ୍ଦଣା
କା ଆଖିରେ ଲୁହ ନାହିିଁ,
ଦୃଢ ପ୍ରତିକ୍ରିୟା
ପ୍ରକୃତି ଦେଖାଏ
ଏ ମଣିଷ ଚେତୁ ନାହିଁ ।
ପ୍ରକୃତି ଆଖିରୁ
ଲୁହ ଝରି ସୁଖି
ଏବେ ଜଳୁଅଛି ନିଆଁ,
ନିଆଁ ନଲିଭିଲେ
ବରଫ ତରଳି
ବୁଡିଯିବ ଏ ଦୁନିଆଁ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ