ପ୍ରକୃତି କୋଳେ ପକ୍ଷୀ

ପ୍ରକୃତି କୋଳରେ ପକ୍ଷୀ ଦେଖିବାକୁ ଖୁବ ଭଲ ଲାଗେ ପ୍ରୀତିଙ୍କୁ. ଏତେ ଏତେ ପକ୍ଷୀ, କଣ ଖାଆନ୍ତି, କୋଉଠି ରହନ୍ତି, କୋଉଠି ଶୁଅନ୍ତି ଭାବନା ବଢିଚାଲେ. ପ୍ରୀତି ଦେଖନ୍ତି ପ୍ରକୃତି ସବୁ ଖଞ୍ଜି ରଖିଛି ଯଥା ଗଛ,ପାହାଡ଼, ପର୍ବତ, ନଦୀ, ଝରଣା, ପୁଲ ଫଳ ଧରଣୀକୁ କରିଛି ଭୁସ୍ୱର୍ଗ. ପକ୍ଷୀ ତାରି ଭିତରେ ଜନ୍ମ ହୁଏ ଶାବକ ରୂପରେ. ଖଣ୍ଡି ଉଡ଼ା ଦେଉ ଦେଉ ଉଡିଯାଏ ନୀଳଆକାଶକୁ. ଘର କରେ ଗଛକୁ, ଗଛରେ ଥିବା କୋରଡ଼କୁ. ସେମିତି ଏକ ନଡ଼ିଆ ଗଛ ପରିବେଷ୍ଟିତ ଗ୍ରାମରେ ପ୍ରୀତିଙ୍କ ଘର. ଛାତ ଉପରେ ଓ ତଳେ ଠିଆ ହେଲେ ଦେଖାଯାଏ ନଡିଆ ଗଛ ସହ ସୁଉଚ୍ଚ ଗଢି ଉଠିଥିବା ଅଟ୍ଟାଳିକାଗୁଡିକ.ଘରର ଦକ୍ଷିଣ ଦିଗରେ ରହନ୍ତି ଆଦିକନ୍ଦ ବାବୁ. ଅଚଳାଚଳ ସମ୍ପତ୍ତିର ମାଲିକ ସେ. ପୁଅ ଝିଅ ଦୁହେଁ ବିବାହିତ. ତାଙ୍କର କେବଳ ଗାଁର ଏହି ଘର ନୁହେଁ ବିଭିର୍ଣ୍ଣ ସହରରେ ଭିର୍ଣ୍ଣ ଭିର୍ଣ୍ଣ କୋଠା, କିନ୍ତୁ ଶନି ଓ ରବିବାର ରହଣୀ ତାଙ୍କର, ଏଇ ଗାଁ ଘରେ. ପ୍ରୀତି ଦୂରରୁ ଦେଖନ୍ତି କାଠହଣା ଚଢେଇ ଦୁଇଟି ତାଙ୍କ ଆଗରେ ଥିବା ନଡିଆ ଗଛରେ ଡିଆଁ ଡେଇଁ କରୁ କରୁ ଏବେ ଉଡିଯାଇ ଆଦିକନ୍ଦବାବୁଙ୍କ ଘର ଆଗରେ ଥିବା ନଡ଼ିଆ ଗଛରେ ଖେଳା ବୁଲା କରୁଛନ୍ତି. ପ୍ରୀତିଙ୍କୁ ଦୁଃଖ ହୁଏ ଭାରି. ତାଙ୍କ ଘର ଆଗରେ ଥିବା ନଡ଼ିଆ ଗଛରେ କାଠହଣା ପକ୍ଷୀ ଦୁଇଟି ଖେଳୁ ଖେଳୁ ତାଙ୍କ ଝରକାରେ ଦେଖାଦିଅନ୍ତି. କ୍ରିଙ୍ଗ କ୍ରିଙ୍ଗ ଶବ୍ଦ ସହିତ ଥୋଇଥିବା ଚାଉଳ ଓ ପାଣି ପିଇ କେବେ ଉଡିଯାଆନ୍ତି ତ କେବେ ଏତେ ସମୟ ଧରି ଖେଳନ୍ତି ଯେ, ପ୍ରୀତି ସେ ଦୁହିଁଙ୍କର ଭିଡ଼ିଓ କରି ପୁଅ ଝିଅଙ୍କ ପାଖକୁ ପଠାନ୍ତି. କେହି କେହି ତ ସେ ଭିଡ଼ିଓ ଦେଖି ବିଶ୍ୱାସ କରନ୍ତି ନାହିଁ. ପ୍ରୀତି ଖୁସି ହୁଅନ୍ତି ପ୍ରକୃତି କୋଳରେ ବଢିବା ପକ୍ଷୀ ତାଙ୍କ ଅଗଣାରେ. ସେ ଖୁସି ପ୍ରୀତିଙ୍କର ରହିଲା ନାହିଁ ଯେବେ ପକ୍ଷୀ ଦୁଇଟି ଏଣିକି ଆଦିକନ୍ଦ ବାବୁଙ୍କ ଘର ଆଗରେ ଥିବା ନଡ଼ିଆ ଗଛରେ ଖେଳୁ ଖେଳୁ ତାଙ୍କ ଝରକାରେ ଖେଳୁଥାଆନ୍ତି. ଦୂରରୁ ପ୍ରୀତି ଦେଖନ୍ତି. ଉତ୍ତର ପଟେ ତାଙ୍କ ଝରକାରେ ବସୁଥିବା କାଠହଣା ଦୁଇଟି ଏବେ ସେଇ ଉତ୍ତର ପଟେ ଆଦିକନ୍ଦବାବୁଙ୍କ ଝରକାରେ କିନ୍ତୁ ପ୍ରୀତିଙ୍କ ପାଇଁ ଦକ୍ଷିଣ ପାର୍ଶ୍ୱ ଥିଲା. ହଠାତ ଅଘଟଣ ଘଟିଗଲା, ଆଦିକନ୍ଦ ବାବୁଙ୍କ ସ୍ତ୍ରୀ ଚାଲିଗଲେ ହାର୍ଟ ଆର୍ଟାକରେ, ବିପତ୍ତି ଯେବେ ଆସେ ସାଙ୍ଗ ହୋଇ ଆସିଲା ପରି, ସ୍ତ୍ରୀଙ୍କ ମୃତ୍ୟୁର ବାର କି ତେର ଦିନରେ ସେଇ ହାର୍ଟ ଆର୍ଟାକରେ ନିଜେ ଆଦିକନ୍ଦବାବୁ ବି ଚାଲିଗଲେ. ପୁଅ ଝିଅ ପିତାମାତାଙ୍କୁ ହରାଇ ଅନାଥ ହୋଇଗଲେ. ବାହା ତୋଳା ହୋଇସାରିଥିଲେ ମଧ୍ୟ, ତାଙ୍କ ପୁଅ ଓ ଝିଅଙ୍କ ଦାମ୍ପତ୍ତ୍ୟ ଜୀବନ ଠିକଠାକ ନଥିଲା. ରଜା ପୁଅକୁ ଖଜା ଅପୂର୍ବ ନଥିଲା ସତ ହେଲେ ପାରିବାରିକ ସ୍ନେହ ଶ୍ରଦ୍ଧା ବିନା ଧନ ସମ୍ପତ୍ତିର କି ମୂଲ୍ୟ??
ପ୍ରୀତିଙ୍କୁ ଆଶ୍ଚର୍ଯ୍ୟ କରି, କାଠହଣା ପକ୍ଷୀ ଦୁଇଟି କିନ୍ତୁ ଏବେ ପୁଣି ତାଙ୍କ ଉତ୍ତର ପଟକୁ ଫେରିଛନ୍ତି ଓ ସାମ୍ନାରେ ଥିବା ନଡ଼ିଆ ଗଛରୁ ତାଙ୍କ ଝରକାରେ ନିର୍ଭୟରେ ଖେଳୁଛନ୍ତି.ପ୍ରୀତି କିନ୍ତୁ ଅଜଣା ଭୟରେ ଶୀହରିତ. ପ୍ରକୃତି କୋଳରେ ବଢୁଥିବା ଏ ନିରୀହ ପକ୍ଷୀ ଦୁଇଟିଙ୍କର କଣ ଦୋଷ ଆଦିକନ୍ଦବାବୁ ଓ ତାଙ୍କ ସ୍ତ୍ରୀଙ୍କ ଆବର୍ତ୍ତମାନରେ, ତଥାପି ପ୍ରୀତି ଥୋଉନଥିଲେ ଚାଉଳ କି ରଖୁନଥିଲେ ପାଣି. ସ୍ୱାଭୀମାନି ପକ୍ଷୀ ଦୁଇଟି କଣ ବୁଝିଲେ କେଜାଣି ଆଉ ଆଉ ଆସୁନାହାଁନ୍ତି ପ୍ରୀତିଙ୍କ ଘର ଆଗ ସାମ୍ନା ନଡ଼ିଆ ଗଛକୁ କି ତାଙ୍କ ଝରକାରେ ତଳ ଉପର ହୋଇ କ୍ରିଙ୍ଗ କ୍ରିଙ୍ଗ କରିବାକୁ. ପ୍ରୀତି ଅବିଶ୍ୱାସ ଆଖିରେ ପ୍ରକୃତି କୋଳରେ ବଢିଥିବା,ଗଛର କାଠ ହାଣି କୋରଡ଼ କରି କାଠହଣା ରୂପେ ପରିଚିତ ପକ୍ଷୀ ଦୁଇଟି କଣ ପ୍ରୀତିଙ୍କ ମନସ୍ତତ୍ଵ ପଢି ଦେଲେ ନା କଣ!ନିଜକୁ ଧିକ୍କାର କରୁଥିଲା ବେଳେ ଦେଖନ୍ତି ପ୍ରୀତି ପକୃତିର ସର୍ବୋତ୍ତମ ସୌନ୍ଦର୍ଯ୍ୟ ପୂର୍ଣ୍ଣ ନୀଳ ଆକାଶକୁ ଉଡିଯାଉଛନ୍ତି ପକ୍ଷୀଦୁଇଟି, ସତେକି ଅଭିମାନରେ. ପ୍ରୀତି ଦୁଃଖରେ ଚାଉଳ ଗିନା ଓ ପାଣି କପ ଭରି ଅପେକ୍ଷା କରନ୍ତି ସେମାନଙ୍କୁ ସବୁଦିନ.ପ୍ରୀତି ଖାଲି ଉତ୍ତର ପଟେ କାହିଁକି ପୂର୍ବ ପଶ୍ଚିମ ଓ ଦକ୍ଷିଣ ଦିଗର ଝରକା ପଟେ ମଧ୍ୟ ରଖନ୍ତି ପକ୍ଷୀଙ୍କ ପାଇଁ ଚାଉଳ ଓ ପାଣି. ଆଉ କାଠହଣା ଦୁଇଟି ଆଗ ପରି ନଆସିଲେ ମଧ୍ୟ ଆସନ୍ତି ପାରା ବଣି ଓ ଅନ୍ୟ ଅନ୍ୟ ପକ୍ଷୀ ଯାହାର ନାମ ଜଣା ନଥାଏ ପ୍ରୀତିଙ୍କୁ. ପ୍ରକୃତି କୋଳରେ ଖାଇ ପିଇ ବଢୁଥିବା ପକ୍ଷୀ ତାଙ୍କ ଘରେ ଦାନା ଖାଇବା ପାଣି ପିଇବା ଦେଖି ଖୁବ ଖୁସି ହୁଅନ୍ତି ପ୍ରୀତି. ସେଦିନ ଗୋଟେ ଇଛା ଜାଗିଲା ପ୍ରୀତିଙ୍କର, ପ୍ରତିଦିନର ଠାକୁର ଭୋଗ ସେଓ କି ଡାଲିମ୍ବ ଖଣ୍ଡେ ଲେଖାଏଁ ପକ୍ଷୀଙ୍କ ପାଇଁ ଥୋଇଲେ କେମିତି ହୁଅନ୍ତା!ସେଇଆ କଲେ ପ୍ରୀତି ହେଲେ ଶିଆଳିଆପତନୀ ସେସବୁ ଖାଇ ଗ୍ରିଲ ଫାଙ୍କରେ ଘରେ ପଶି ଘରର ସ୍ୱଚ୍ଛ ପରିବେଶକୁ ଅସ୍ୱଚ୍ଛ କରିବା ଦେଖି ସାନ ପୁଅ କାହ୍ନା କହୁଥିଲା, ତୁ ଆଉ ପକ୍ଷୀଙ୍କ ପାଇଁ ଫଳ ରଖେନା ମାଆ. ଗାନ୍ଧୀ ଜୟନ୍ତୀ ଆସୁଛି. ତାଙ୍କ ସ୍ୱଚ୍ଛ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଛାତ୍ରର ଭୂମିକା ବିଷୟରେ ବକୃତା ପ୍ରସ୍ତୁତ କରୁଛି ମୁଁ.ଆମ ଘରେ ଘଟୁଥିବା ଏଇ ଘଟଣାର ଉଦାହରଣ ଦେଇ କହିବି ସ୍ୱଚ୍ଛ ରଖିବାକୁ ହେଲେ ପ୍ରକୃତି କୋଳରେ ଥିବା ସମସ୍ତ ସଜୀଵ ଓ ନିର୍ଜୀଵ ଜନ୍ତୁ ବା ବସ୍ତୁ ଓ ପଦାର୍ଥକୁ ସେଇ ପ୍ରକୃତି କୋଳରେ ବଢିବାକୁ ଛାଡ଼ି ଦେବା ଉଚିତ, ନଚେତ ସ୍ୱଚ୍ଛତାର ନଷ୍ଟ ହେବାର ସମ୍ଭାବନା ରହିଛି. ହସିଦେଲେ ମାଆ ସତ କିନ୍ତୁ ପୁଅ କାହ୍ନା ଯାହା କହୁଥିଲା ସେସବୁ ସତ. ତଥାପି ମନଦୁଃଖରେ ଆଦିକନ୍ଦ ବାବୁଙ୍କ ଘରକୁ ଚାହିଁ ବସିଥାଆନ୍ତି ପ୍ରୀତି. ମନେପକାଉଥାଆନ୍ତି ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର ମଣିଷପଣିଆ ଓ ଆତିଥୟତା ତଥା ଵଦାନ୍ୟତାର କଥା.ସେଇ ଆଡକୁ ଚାହିଁଥାନ୍ତି ଦେଖିଲେ ଶୁଆ ଦୁଇ ଚାରିଟା ତାଙ୍କ ସେହି ନଡ଼ିଆ ଗଛରେ. ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇ ଭାବିଲେ ପ୍ରୀତି. ଏଡ଼େ ବଡ଼ ଘରଟା ଖାଲି ପଡିଛି. କେହି ରହୁ ନଥିବାରୁ ଓ ପଡୋଶୀ ମାନେ ନଥିବାର ଶୁନ୍ୟତା ଉପଲବ୍ଧି କରି ଶୁଆ ସବୁ ବୋଧେ ନଡ଼ିଆ ଗଛରେ ବସିବାର ଦେଖିଲେ ସେ.ତଥାପି ଅବିଶ୍ୱାସରେ ଥିବା ବେଳେ ପର ପର ଦିନ ଗୁଡିକ ମଧ୍ୟ ପ୍ରାୟେ ଏକା ସମୟରେ ଶୁଆ ଦେଖିବାକୁ ଲାଗିଲେ ପ୍ରୀତି. ସେଇଠୁ ଚାଲିଲା ପ୍ରୀତିଙ୍କର ଶୁଆ ପକ୍ଷୀ ଦେଖା ଅନ୍ୱେଷଣ.ଶୁଆଙ୍କ ବୋବାଇବା, ଗତିବିଧି ଓ ଉଡାଣକୁ ଲକ୍ଷକରି ଶୁଆ ଦେଖିବାକୁ ନିଦ ନଥିଲା ପ୍ରୀତିଙ୍କ ଆଖିରେ ତ ସ୍ୱାମୀ ପଚାରୁଥିଲେ, ଶୁଆଟିଏ, ପଞ୍ଜୁରୀ ସହିତ କିଣିଆଣିବାକି ତେବେ? ପ୍ରୀତି କହୁଥିଲେ ନା ନା ପ୍ରକୃତି କୋଳରେ ବଢୁଥିବା ପକ୍ଷୀଙ୍କ ସ୍ବାଧୀନତା ନଷ୍ଟ କରି ଘରେ ସେମାନଙ୍କୁ ବାନ୍ଧି ରଖିବାକୁ ଚାଁହୁନି ମୁଁ ବରଂ ସେମାନେ ଆମ ଘରୁ ଖାଦ୍ୟ ଖାଇ ପାଣି ପିଇ ଉଡିଗଲେ ମୁଁ ଖୁସି ହେବି କହୁଥିଲେ ମା ପ୍ରୀତି ତ କାହ୍ନା ତାଳି ମାରୁଥିଲା. ସବୁକଥା ଅପା ଭାଇଙ୍କୁ ଫୋନରେ କହିଲା ବେଳେ ପ୍ରୀତି ବୁଟ ବତୁରାଇ, ଆପେଲ ଟିକି ଟିକି ଓ ପିଜୁଳି ଟିକି ଟିକି କାଟି ରଖି ଘରର ଯେଉଁ ଯେଉଁ ପାର୍ଶ୍ୱରେ ଝରକା, ସେଠାରେ ରଖୁଥିଲେ.ଶୁଆ ଆସୁନଥିଲା. ଆସୁଥିଲା ଆଦିକନ୍ଦବାବୁଙ୍କ କୋଠାକୁ ଲାଗି ନଡ଼ିଆ ଗଛକୁ. ଦୂରରୁ ପ୍ରୀତି ଅନୁସରଣ କରି ଦେଖୁଥିଲେ ତାଙ୍କୁ.କିନ୍ତୁ ଯେବେ ଶୁଣିଥିଲେ ଯେ ଆଦିକନ୍ଦ ବାବୁଙ୍କ ପୁଅ ଓ ଝିଅଙ୍କ ସଂସାର ଭାଙ୍ଗି ଯାଉ ଯାଉ ରହିଗଲାଣି ଏ ଭିତରେ. ଖୁବ ଖୁସି ହୋଇ ଶୁଆମାନଙ୍କୁ ମୁଣ୍ଡିଆ ମାରିପକେଇ ଥିଲେ ବିଶ୍ୱାସ କି ଅବିଶ୍ୱାସରେ ବୁଝିବା ପୂର୍ବରୁ ଦେଖିଲେ ସେ ଥୋଉଥିବା ଫଳ ବୁଟ ଏବେ ପଡିରହୁନି କିଏ ଖାଉଛି. କାହ୍ନା କହୁଥିଲା ସେଇ ଶିଆଳିଆପତନୀ ଖାଇଥିବ, ପୁଣି ଘରେ ପଶି ଅସ୍ୱଚ୍ଛ ବାତାବରଣ ସୃଷ୍ଟି କରିବ କହୁଥିଲା କାହ୍ନା ତ ତା କେଇପଦ କଥା ସ୍ୱାମୀଙ୍କୁ ଶୁଭିଯାଇଥିଲା ଓ ସେ ଖୁବ ବିରକ୍ତି ପ୍ରକାଶ କରି ପ୍ରୀତିଙ୍କୁ କହିଥିଲେ ପ୍ରକୃତି କୋଳରେ ବଢୁଥିବା ଜୀବ ଜନ୍ତୁ, ପଶୁ ପକ୍ଷୀଙ୍କୁ କେହି କଣ କେବେ ଘରେ ବାନ୍ଧି ରଖିପାରେ? ପ୍ରୀତି ପ୍ରତି ଝରକା ସଫା କରୁଥିଲେ ନିଜେ ନିଜେ ଆଉ ତାଙ୍କ ଦୁଃଖ ସହି ନପାରି କି କଣ କେଜାଣି ଜାଫ୍ରିରେ ଥିବା ଫାଙ୍କକୁ ତାର ଗୁଡ଼ାଇ ବାନ୍ଧି କହୁଥିଲେ ସ୍ୱାମୀ,ଦେଖ ଏଥର ବତୁରା ବୁଟ ଓ କଟା ଫଳ କିଏ ଖାଉଛି ଜଣା ପଡିବ. ତଥାପି ପ୍ରୀତି ରଖୁନଥିଲେ କଟା ଫଳ କି ପାଣି କି ବତୁରା ଗୋଜିଆ ବୁଟ. ଏମିତି ବି ଚାହୁଁନଥିଲେ ଆଦିକନ୍ଦବାବୁଙ୍କ ଘର ଆଡ଼େ କି ତାଙ୍କ ଘର ସାମ୍ନା ନଡ଼ିଆ ଗଛକୁ. ସ୍ୱାମୀ କିନ୍ତୁ ପ୍ରୀତିଙ୍କ ଅଭିମାନ ବୁଝି ଘେନି ଆସୁଥିଲେ ଆଉ ଆଉ ଫଳ ସବୁ. ପିଜୁଳି ସେଓ ସହିତ ସେପେଟା,କଦଳୀ,ଆତ ଇତ୍ୟାଦି. ପୁଣି ନେଇ ଆସୁଥିଲେ ଭଳି ଭଳି ଡାଲି.ମାନ ଅଭିମାନ ଭୁଲି ପ୍ରୀତି ବୁଟ ବତୁରେଇ, ଫଳକାଟି ରଖିଲେ ସତ ହେଲେ ସବୁଦିନ ପରି ଉଠିଲେ ନାହିଁ ଚଞ୍ଚଳ. ସ୍ୱାମୀ କହୁଥିଲେ କାଉ ରାବିଲାଣି ଉଠ ନକର ମଠ. ପ୍ରୀତି କହୁଥିଲେ ରାବୁ, ସବୁ ଖାଦ୍ୟ ଥୁଆହୋଇଛି ଖାଉ. କାହ୍ନା ଜୋର ଜୋର ଡାକ ଛାଡୁଥିଲା ତ ପ୍ରୀତି ଉଠିଲେ, କହିଲେ କଣ ହେଲା ତୋ ସ୍ୱଚ୍ଛ ଭାରତ ପାଇଁ ବକୃତା କହିବା ପାଇଁ ରେଡି ହେଲୁ?? ମୁଁ ତ ରେଡି ମାଆ, ତମେ ବି ରେଡି ହୋଇ ଦେଖ, ତୁମ ଶୁଆମାନେ ତୁମେ ରଖିଥିବା ଫଳ ଓ ବୁଟ କେମିତି ଖାଉଛନ୍ତି.ଆଗେଇ ଯାଉଥିବା ପ୍ରୀତିଙ୍କୁ ପଛରୁ ସ୍ୱାମୀ ଓ ପୁଅ ଅଟକାଇ କହୁଥିଲେ ଆସ୍ତେ ଯାଅ, ଉଡିଯିବେ ଯେ!ପ୍ରୀତିଙ୍କ ଖୁସି ଦେଖେ କିଏ. ଶୁଆମାନେ ସବୁ ଖାଇସାରି ଉଡ଼ିଗଲା ପରେ, ସେମାନେ ଛାଡ଼ି ଯାଇଥିବା ଅବାଶିଷ୍ଟାଂଶ ଖାଉଥିବା କାଉ ପାଇଁ ଚାଉଳ ଥୋଇ ପ୍ରୀତି କହୁଥିଲେ ଚାଉଳ ଖାଇ ଶୁଭବାର୍ତ୍ତା ଦେଇ ଉଡ଼ିଯା ପ୍ରକୃତି ମାଆ କୋଳକୁ. ମନେ ମନେ ଖୁସିରେ ଗଦଗଦ ହେଉଥିବା ପ୍ରୀତିଙ୍କୁ ଦେଖି ସ୍ୱାମୀ ଓ ପୁଅ କାହ୍ନା ବି ଖୁବ ଖୁସି.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ