ପ୍ରଚଣ୍ଡ ଖରାରେ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସୂର୍ଯ୍ୟଙ୍କର ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଚାରିଆଡ଼େ ଅସହ୍ୟ ଉଷ୍ଣତା ଅନୁଭବ ହେଉଅଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ତାସହିତ ଲୋକମାନଙ୍କର ଯିବାଆସିବା କଷ୍ଟକର ହୋଇଯାଉଛି। ଗୁଳୁଗୁଳି ଅତିଶୟ ହେବାରୁ ପଶୁପକ୍ଷୀ ମାନେ ମଧ୍ୟ ଛଟପଟ ହେଉଛନ୍ତି। ଚାରିଆଡ଼େ ନଦୀ ପୋଖରୀ ଶୁଖିଯାଇଥିବାରୁ ପକ୍ଷୀମାନେ ପାଣିପିଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ଖାଦ୍ୟ ମଧ୍ୟ ପକ୍ଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ମିଳୁ ନାହିଁ।ଏହି ପରିସ୍ଥିତିକୁ ଏଡାଇବା ପାଇଁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ କାଉନସିଲର ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ ବିଦ୍ୟାଳୟର ଜୁନିଅରସ୍ ମାନଙ୍କ ସହାୟତାରେ ଏକ ଅଭିନବ ପ୍ରୟାସ ଆପଣାଇଛନ୍ତି। ବିଜ୍ଞାନ ଶିକ୍ଷକ ନିରଞ୍ଜନ ବିଶ୍ୱାଳ ତାଙ୍କର ନିଜସ୍ୱ ଦରମା ଟଙ୍କାରେ କେତେକ ମାଟି ଜଳପାତ୍ର କିଣି ଗଛର ବିଭିନ୍ନ ଶାଖାପ୍ରଶାଖା ରେ ରଖି ପାଣି ଢ଼ାଳି ପକ୍ଷୀମାନଙ୍କ ମାନଙ୍କ ପିଇବା ପାଇଁ ଜଳ ବ୍ୟବସ୍ଥା କରିଛନ୍ତି। ଦୋକାନରୁ ଡାଲି ଜାତୀୟ ଶସ୍ୟ, ଗହମ, ଦାନା ଇତ୍ୟାଦି ପକ୍ଷୀମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ମାଟି ପାତ୍ରରେ ରଖି ସିକା ସାହାଯ୍ୟରେ ଗଛର ଡାଳ ମାନଙ୍କରେ ଝୁଲାଇ ରଖିଥିଲେ।ଏହା ଦ୍ବାରା ବହୁତ ଜୀବଜନ୍ତୁ, ପଶୁପକ୍ଷୀ ମାନେ ଉପକୃତ ହେଉଛନ୍ତି। ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିବା ରେଡ଼କ୍ରସ କାଉନସିଲର ନିରଞ୍ଜନ ବିଶ୍ୱାଳଙ୍କ ଏହିଭଳି ଉନ୍ନତମୂଳକ କାର୍ଯ୍ୟ ଜନସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛି। ପୂର୍ବରୁ ସେ ବୁଲାଗାଇଗୋରୁ ପାଇଁ ଜଳକୁଣ୍ଡ ରଖିବା , ଗରିବ ଅସହାୟଙ୍କୁ ସାହାଯ୍ୟ କରିବା, ବୃକ୍ଷରୋପଣ କରିବା ଇତ୍ୟାଦି ବହୁ ସମାଜମଙ୍ଗଳ କାର୍ଯ୍ୟକରି ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କଠାରୁ ସମ୍ମାନୀତ ହୋଇଛନ୍ତି।


