ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ତାଲିମ୍ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ମୁକାବିଲା ନିମନ୍ତେ ବୁଧବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରାକ୍ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଉପରେ ସମ୍ୟକ୍ ସୂଚନା ଦେବା ସହ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିବା ସହ କିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ର ମୁକାବିଲା କରାଯାଇ ପାରିବ ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମପୁରର ଡଃ ବିରେନ୍ଦ୍ର କୁମାର ନାୟକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିଡିତ ବ୍ୟକ୍ତି ବିଶେଷଙ୍କ ଲକ୍ଷଣ, ଚିକିତ୍ସା ଓ ପ୍ରତିକାର ବିଷୟରେ ବିଷଦ୍ ଭାବେ ବୁଝାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମପୁରର ଡଃ ଦୟାନିଧି ପ୍ରଧାନ ଓ ଉପଖଣ୍ଡ ଚିକିତ୍ସାଳୟ ଛତ୍ରପୁରର ସୀଲା ସୀତାରାମ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଆଶୁ ପଦକ୍ଷେପ ଓ ଅନ୍ୟାନ୍ୟ ବିଭାଗର କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତର ସୁରକ୍ଷା ପାଇଁ ସାବଧାନତାହିଁ ଏକମାତ୍ର ପନ୍ଥା । ଘରୁ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟଖାଇ ପ୍ରଚୁର ପାଣି ପିଇବା ଉଚିତ୍ । ଓଦା ଗାମୁଛା ଓ ପାଣି ବୋତଲ ସାଥୀରେ ନେବା ଆବଶ୍ୟକ । ପଖାଳ, ତରଭୁଜ ଓ କାକୁଡି ଆଦି ଖାଇବା ଉଚିତ୍ । ତୋରାଣି, କାଞ୍ଜିପାଣି, ବେଲପଣା, ସରବତ୍,ଘୋଳଦହି ଏବଂ ଓ.ଆର୍.ଏସ୍. ଘୋଳ ପ୍ରଚୁର ପରିମାଣରେ ପିଇବା ଉଚିତ୍ । ଗ୍ରୀଷ୍ମ ଋତୁରେ ଛତା, ଜୋତା,ଟୋପି,ପଗଡି,ସୂତାଲୁଗା,କଳାଚଷମା, ହାଲକା ରଙ୍ଗର ପୋଷାକ ବ୍ୟବହାର କରିବା ଉଚିତ୍ । ଚାହା,କଫି, ମାଦକ ଦ୍ରବ୍ୟ ସେବନ କରିବା ଉଚିତ୍ ନୁହେଁ । ପଥିକ ମାନଙ୍କ ନିମନ୍ତେ ରାସ୍ତା କଡରେ ଓ ଜନ ଗହଳି ସ୍ଥାନ ମାନଙ୍କରେ ଜଳ ସେବା କେନ୍ଦ୍ର ଖୋଲାଯାଇଛି । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ହିଟ୍ ଓ୍ବେଭ୍ ସେଲ୍ ଖୋଲାଯାଇଛି । ସେଠାରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବା ଅଂଶୁଘାତ ଜନୀତ ମୃତ୍ୟୁ ଘଟିଲେ ସେଠାକୁ ସ୍ଥାନୀୟ ବ୍ଲକ୍ ଉନ୍ନୟନ ଅଧିକାରୀ, ତହସିଲଦାର ଯାଇ ଅନୁସନ୍ଧାନ କରିବେ । ସ୍ଥାନୀୟ ଥାନାରେ ଅସ୍ବାଭାବିକ ମୃତ୍ୟୁ କେସ୍ ଦରଜ କରି ପୋଷ୍ଟମର୍ଟମ କରି ରିପୋର୍ଟ ଆଧାରରେ ସରକାରୀ ସହାୟତା ତାଙ୍କ ଉତ୍ତରାଧିକାରୀଙ୍କୁ ଯୋଗାଇ ଦିଆଯିବ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୀଷଣ ମୁଣ୍ଡ ବ୍ୟଥା, ମୁଣ୍ଡ ବୁଲାଇବା,ହାଲିଆ ଲାଗିଲେ, ଦୁର୍ବଳତା ଅନୁଭବ କଲେ ପ୍ରାଥମିକ ଚିକିତ୍ସା ସ୍ବରୂପ ବ୍ୟକ୍ତିକୁ ଛାଇ ସ୍ଥାନରେ ରଖି ଥଣ୍ଡା ଜଳରେ ଦେହକୁ ପୋଛିବା, ପଙ୍ଖା କିମ୍ବା କୁଲର ସାମ୍ନାରେ ବସାଇ ଦେହରୁ ଅନାବଶ୍ୟକ ଲୁଗାପଟା କାଢିଦେବା ଉଚିତ୍ । ତା ପରେ ତାକୁ ଅଧିକ ଚିକିତ୍ସା ନିମନ୍ତେ ନିକଟସ୍ଥ ଡାକ୍ତରଖାନା ରେ ପହଞ୍ଚାଇବା ଉଚିତ୍ । ଏହି ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧକାରୀ ପରିକ୍ଷୀତ ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ସାହୁ, ଉପଖଣ୍ଡ ଚିକିତ୍ସାଳୟର ସୁପରିନଟେଣ୍ଡେଣ୍ଟ, ସଂସ୍ଥାପନା ଅଧିକାରୀ ନୃସିଂହ ମହାରଣା, ଓସଡମାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଭୁପ୍ରସାଦ ମହାରଣା, ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ