ପ୍ରଚାରକୁ ଶେଷ ସ୍ପର୍ଶ ଦେବା ପାଇଁ ତିନି ଦଳର ପ୍ରସ୍ତୁତି

ବିଜେପୁର : ମଝିରେ ଆଉ ମାତ୍ର ଗୋଟିଏ ଦିନ । ୧୯ ତାରିଖ ସଂଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଯିବ । ତେଣୁ ପ୍ରଚାରର ଅନ୍ତିମ ପର୍ଯ୍ୟାୟକୁ ପ୍ରଭାବଶାଳୀ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ବିଜେଡିର ଷ୍ଟାର୍ ପ୍ରଚାରଚକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ରୋଡ୍ ସୋ’ ସହିତ ବଡ଼ ନିବାର୍ଚନୀ ସଭା, ମହିଳା ସମାବେଶ ଆଦି ଆୟୋଜନ ଜାରି ରଖିଥିବାବେଳେ ବିଜେପି କିନ୍ତୁ ଏହାର ରଣନୀତିରେ ପରିବର୍ତନ କରିଛି । ଗତ ନିର୍ବାଚନଗୁଡ଼ିକ ଭଳି ବିଜେପିର ହାଇପ୍ରୋଫାଇଲ ସଭା ଏଥର ଦେଖିବାକୁ ମିଳିନାହିଁ । କଂଗ୍ରେସ ଦଳର ପ୍ରଚାର ଶୈଳୀ ବି ଭିନ୍ନ ରହିଛି । ଦଳ ରୋଡ୍ ସୋ’ରେ ଓହ୍ଲାଇ ନାହିଁ । ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ନେତା ତୁହାକୁ ତୁହା ନିର୍ବାଚନୀ ସଭା ଆୟୋଜନ କରି ପ୍ରଚାର ଚଲାଇଛନ୍ତି । ଅନ୍ୟପକ୍ଷରେ ତିନି ବ୍ଳକର ୬୫ ପଂଚାୟତ ଓ ୨ ଏନ୍‌ଏସିରେ ବିଜେଡି ଦାୟିତ୍ୱରେ ଥିବା ବିଧାୟକ ତଥା ନେତାମାନେ ଗଡ଼ ଜଗିଛନ୍ତି । ପ୍ରତିଦିନର ଟିକିନିଖି ଖବର ବ୍ଲକ୍ ଦାୟିତ୍ୱରେ ଥିବା ମନ୍ତ୍ରୀ, ନେତାଙ୍କୁ ଜଣାଉଛନ୍ତି । ବରିଷ୍ଠ ନେତାମାନେ ସ୍ଥିତିର ସମୀକ୍ଷା କରୁଛନ୍ତି । ଦିବଂଗତ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଗତ ଉପନିବାର୍ଚନରେ ରୀତା ସାହୁଙ୍କୁ ଅନୁକମ୍ପା ଆଧାରରେ ଭୋଟ୍ ମିଳିଥିବା ଚର୍ଚ୍ଚା ହେଉଥିଲା । ଏଥର ଦଳ “ବିକାଶ’କୁ ପ୍ରସଂଗ କରି ପ୍ରଚାର ଚଳାଇଛି । ଗଙ୍ଗାଧର ମେହେର ବୃହତ୍ ଜଳସେଚନ ପ୍ରକଳ୍ପ ଓ ପାର୍ବତୀ ଗିରି ପ୍ରକଳ୍ପ ଭଳି ଦୁଇ ମେଗା ଯୋଜନା, ବିଭିନ୍ନ ରାସ୍ତା ଓ ସେତୁ ପ୍ରକଳ୍ପ , ସ୍ୱାସ୍ଥ୍ୟକେନ୍ଦ୍ର, ଆଇଟିଆଇ, ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ସମେତ ଅନ୍ୟ ଛୋଟବଡ଼ ପ୍ରକଳ୍ପ ଦଳର ଇସ୍ତାହାରରେ ରହିଛି । କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ତୃଣମୂଳ ସ୍ତରରେ କାମ କରିଥିଲେ ମଧ୍ୟ ବିଧାୟକ ଲଢ଼େଇ ପାଇଁ ପ୍ରଥମ ଥର ସୁଯୋଗ ପାଇଛନ୍ତି । ନୂଆ ଚେହେରା ନେଇ କଂଗ୍ରେସ ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ଥର ଯୋଜନାକୁ କଂଗ୍ରେସ ପ୍ରସଙ୍ଗ କରିଛି । ସେହିପରି ବିଜେପି ବିଭିନ୍ନ ସରକାରୀ ଯୋଜନା ଏବଂ ପ୍ରକଳ୍ପର ତ୍ରୁଟି ବିଚ୍ୟୁତି ଖୋଜି ବିଜେଡିକୁ ଘେରିଛି । ତେବେ ଭୋଟରଙ୍କ ମନୋଭାବ ଏବେ ବି ସମସ୍ତଙ୍କୁ ଅଜଣା ହୋଇ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ