ପ୍ରଚାର କଲେ ସିନେ ତାରକା ପୁନମ ମିଶ୍ର ଓ ଛତ୍ରପୁର ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆସନ୍ତା ୨୦ ତାରିଖରେ ଛତ୍ରପୁର ବ୍ଲକରେ ଭୋଟଗ୍ରହଣ ହେବ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ପ୍ରଚାର ମଧ୍ୟ ଜୋରସୋରରେ ହେଉଥିବା ଦେଖିବାକୁ ମିଳୁଛି । ଏହା ସହ ନିଜ ନିଜ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଦଳର ବରିଷ୍ଠ ନେତା ମାନେ ଗାଁ ଗାଁ ରେ ବୁଲୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ୨୧ ନଂ ଜିଲ୍ଲାପରିଷଦ ଜୋନ୍ ରେ ବିଜେଡିର ପ୍ରଚାର ଜୋରଦାର ଚାଲିଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆଜି ବିଜେଡି ପ୍ରାର୍ଥିନୀ ଛବିତା ବେହେରାଙ୍କ ନିମନ୍ତେ ଗାଁ ଗାଁ ବୁଲି ମାରାଥନ ପ୍ରଚାର କରିଛନ୍ତି । ତାଙ୍କ ସହ ସିନେ ତାରକା ପୁନମ ମିଶ୍ର ମଧ୍ୟ ଜନସାଧାଣଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଛବିତା ବେହେରାଙ୍କୁ ବିପୁଳ ପରିମାଣରେ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି । ୨୧ନଂ ଜୋନ୍ ର ପୋଟ୍ଟଲାମପୁର ପଂଚାୟତ ଠାରୁ ବାଇକ ଶୋଭାଯାତ୍ରା ମାଧ୍ୟମରେ ଏହି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୋନ୍ ଅଧିନରେ ଥିବା ସମସ୍ତ ଗ୍ରାମର ଘରକୁ ଘର ବୁଲି ବିଧାୟକ ଶ୍ରୀ ବେହେରା ବିଜେଡି ପ୍ରାର୍ଥିନୀ ଛବିତା ବେହେରାଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନମଙ୍ଗଳ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଏହି ନିର୍ବାଚନ ପ୍ରଚାର ଚାଲିଛି । ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ. ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଉପସଭାପତି ଅହିଭୂଷଣ ସାହୁ, କିଶୋର ଚନ୍ଦ୍ର ସେନାପତି, ଡମିନାଥ ସାହୁ, ସାଧାରଣ ସମ୍ପାଦକ ଏଲ. ଗୋପାଳ ରାଓଙ୍କ ସମେତ ବହୁ ଛାମୁଆ ନେତା ମାନେ ଏହି ପ୍ରଚାରରେ ସାମିଲ ହୋଇ ବିଜେଡି ପ୍ରାର୍ଥିନୀ ଛବିତା ବେହେରାଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ । ଏହି ଜୋନ୍ ଅଧିନରେ ପୋଟ୍ଟଲାମପୁର, ବଡମାଧପୁର, ବିପୁଳିଙ୍ଗୀ, ବଉଳଗାଁ, ମହାନାଦପୁର ଓ ଭିକାରିପଲ୍ଲୀ ପଂଚାୟତ ରହିଥିବା ବେଳେ ୩୭୫୪୯ ଜଣ ଭୋଟର ଅଛନ୍ତି । ଏହି ଜୋନ୍ ନିମନ୍ତେ ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ପକ୍ଷରୁ ରଶ୍ମିତା ସେଠୀ, ସିପିଆଇ ପକ୍ଷରୁ ମିନତୀ ପ୍ରଧାନ, ବିଜେଡି ପକ୍ଷରୁ ଛବିତା ବେହେରା ଓ ବିଜେପି ପକ୍ଷରୁ ପ୍ରମିଳା ସେଠୀ ନିଜ ନିଜ ପ୍ରଚାର କାର୍ଯ୍ୟକୁ ଜୋରସୋରରେ ଚଳାଇଛନ୍ତି ।