ପ୍ରତାରକ ପ୍ରେମିକ ଗିରଫ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଜଣେ ନାବାଳିକା କଲେଜ ପଢୁଆ ଝିଅକୁ ପ୍ରେମ ପ୍ରତାରଣା ଦେଇ ଯୁବକ ଗିରଫ ହେବା ଘଟଣା ଚର୍ଚ୍ଚା ଜୋର ଧରିଛି । ଜନୈକ ଯୁବତୀ ଜଣକ କିଛିଦିନ ପୂର୍ବରୁ ମିସକଲରୁ ପୁରୀ ଅଞ୍ଚଳର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ଯୁବକ ଜଣକ ନାମ ସୁବାଷ ଚନ୍ଦ୍ର ବେହେରା ହୋଇଥିବାବେଳେ ସେ ବିଭିନ୍ନ ସମୟରେ ଯୁବତୀଙ୍କୁ ଫୋନ କରି ଅଶ୍ଲୀଳ ଭିଡିଓ ରେକର୍ଡିଂ କରିବାରେ ସଫଳ ହୋଇଥିଲା । ପ୍ରେମ, ସେକ୍ସ ଉପରେ ଧୋକାଦେବା ଭଳି ଘଟଣା ସ୍ୱରୁପ ଯୁବକ ଜଣକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋକୁ ଭାଇରାଲ କରିଥିଲେ । ଏକଥା ଯୁବତୀ ଜଣକ ଜାଣିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ସଂପୃକ୍ତ ଯୁବକଙ୍କ ନାମରେ ପରିବାର ଲୋକ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ଦୀର୍ଘ ଏକମାସ ହେବ ତଦନ୍ତ ଚଳାଇଥିବାବେଳେ ଶେଷରେ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଛି । ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିବାବେଳେ ବିଶାଖାପାଟନାମ ଅଞ୍ଚଳରୁ ସଂପୃକ୍ତ ଯୁବକଙ୍କୁ ଧରିଥିଲେ । ପ୍ରେମ, ପ୍ରତାରଣା ଓ ଅଶ୍ଳୀଳ ଭିଡିଓ ଭାଇରାଲ ଭଳି ସଂଗୀନ ଅଭିଯୋଗ ପରେ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି ।