ପ୍ରତିକ୍ଷାର ଅନ୍ତ , ପଦ୍ମ ଧରିଲେ ବୈଜନ୍ତ

ଶେଷରେ ସମସ୍ତ କଲ୍ପନାଜଳ୍ପନାର ଅନ୍ତ ଘଟିଲା । ପୂର୍ବତନ ସାଂସଦ ବରିଷ୍ଠ ନେତା ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ଏଥିସହିତ ବୈଜୟନ୍ତ ରାଜନୀତିରେ ଦ୍ଵିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ବିଜେଡ଼ିରେ ଟିକେଟରେ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ।
ବୈଜୟନ୍ତ ଗତ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ପରେ ତାଙ୍କର ଦଳ ସହ ମତଭେଦ ଦେଖାଯାଇଥିଲା । ସେ ବିଜେଡିର ଅନେକ ଦୁର୍ନୀତିକୁ ବିରୋଧ କରିବା ସହ ଭୁଲ ନିଷ୍ପତିକୁ ସମାଲୋଚନା କରିଥିଲେ । ଯାହା ତାଙ୍କ ପାଇଁ ଅଡୁଆ ବଢାଇଥିଲା । ଏପରିକି ତାଙ୍କର ଅନେକ କାରବାରକୁ ରାଜ୍ୟ ସରକାର ଷଡଯନ୍ତ୍ର କରି ବନ୍ଦ କରିବାକୁ ପ୍ରୟାସ କରିଥିଲେ । ଏହାପରେ ବିଜେଡି ବୈଜୟନ୍ତଙ୍କୁ ଦଳରୁ ବହିଷ୍କାର କରିଥିଲା । ଏହାପରେ ମଧ୍ୟ ସେ ନିଜର ରାଜନୈତିକ କାର‌୍ୟ୍ୟ କଳାପ ଜାରି ରଖିଥିଲେ । ଯାହାକୁ ନେଇ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଆହୁରି ପୁଣି କେତେବେଳେ ସେ କଂଗ୍ରେସରେ କିମ୍ବା ନୂତନ ଦଳ ଗଠନ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।
ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ସେ ଆଜି ପଦ୍ମ ପୋଖରୀରେ ସାମିଲ ହୋଇଛନ୍ତି । ବୈଜୟନ୍ତଙ୍କ ସାମିଲ ଖବର ପାଇବା ପରେ ରାଜ୍ୟ ବିଜେପି କ୍ୟାମ୍ପରେ ଖୁସିର ମାହୋଲ ଖେଳି ଯାଇଛି। କାରଣ ରାଜ୍ୟ ରାଜନୀତି ସହିତ ଜାତୀୟ ରାଜନୀତିରେ ସେ ଜଣେ ଟାଣୁଆ ରାଜନେତା। ନିଜର କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ତାଙ୍କର ନିଜସ୍ଵ ଭୋଟ୍ ବ୍ୟାଙ୍କ ମଧ୍ୟ ରହିଛି। ତାଙ୍କର ଆଗମନରେ ରାଜ୍ୟ ବିଜେପି ଆହୁରି ମଜବୁତ ହେବ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ। କେବଳ ଏତିକି ନୁହେଁ ସେ ବିଜେଡି ଭୋଟ ବିଗାଡିବାରେ ମଧ୍ୟ ମୁଖ୍ୟ ଭୂମିକା ତୁଲାଇବେ । ତାଙ୍କୁ ନେଇ ଦଳ ଆହୁରି ମଜବୁତ ହେବ ବୋଲି ଦଳର ଅନେକ ବରିଷ୍ଠ ନେତା କହିଛନ୍ତି ।
ବୈଜୟନ୍ତ ପଣ୍ଡା ୨୦୦୦ ମସିହାରେ ପ୍ରଥମ ଥର ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ଏହା ପରେ ସେ ୨୦୦୦ ରୁ ୨୦୦୯ ପର‌୍ୟ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। ଏହା ପରେ ସେ ବିଜେଡ଼ି ଟିକେଟରେ ୨୦୦୯ ଓ ୨୦୧୪ରେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ