ପ୍ରତିବର୍ଷ ୫୦୦୦ କି.ମି. ଅତିକ୍ରମ କରି ନିଜ ତ୍ରାଣକର୍ତ୍ତାଙ୍କ ପାଖକୁ ଫେରିଆସେ ପେଙ୍ଗୁଇନ୍‌

ବ୍ରାଜିଲିଆ: ଦୁନିଆରେ ଯେଉଁଠି ଭଲପାଇବା ଅଛି ସେଠି ସମ୍ପର୍କ ଅତି ସୁଦୃଢ଼ ହୋଇଥାଏ । ମଣିଷ ମଣିଷ ହେଉ ଅବା ପଶୁପକ୍ଷୀଙ୍କ ମଧ୍ୟରେ ହେଉ, ପ୍ରେମ ଓ ଭଲ ପାଇବାର ସମ୍ପର୍କ ସବୁବେଳେ ଅତୁଟ ଓ ସ୍ୱର୍ଗୀୟ । କେବଳ ଗୋଟିଏ ମଣିଷ ଅନ୍ୟ ଜଣେ ମଣିଷ ସହ ଭଲ ସମ୍ପର୍କ ରଖିବ ଓ ଗୋଟିଏ ପ୍ରାଣୀ ତା’ ପ୍ରଜାତିର ଅନ୍ୟ ଏକ ପ୍ରାଣୀ ସହ ସମ୍ପର୍କ ରଖିବ ଏ କଥା ଭୁଲ ପ୍ରମାଣିତ ହୋଇଛି ବ୍ରାଜିଲର ଜିଓ ପେରେଇରା ଡିସୁଜା ଓ ଡିନ୍‌ଡିମ୍‌ଙ୍କ ମଧ୍ୟରେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଡିନ୍‌ଡିମ୍ କୌଣସି ମଣିଷର ନାଁ ନୁହେଁ, ବରଂ ଏକ ପେଙ୍ଗୁଇନ । ଏକ ଦୁର୍ଘଟଣାରୁ ଡିସୁଜା ଡିନ୍‌ଡିମ୍‌କୁ ବଞ୍ଚାଇବା ପରେ ଏମାନଙ୍କ ମଧ୍ୟରେ ଗଢ଼ିଉଠିଛି ଅତୁଟ ବନ୍ଧନ । ଏବେ ବର୍ଷର ୮ ମାସ ଡିନ୍‌ଡିମ୍ ଡିସୁଜାଙ୍କ ସହ ବିତାଉଥିବାବେଳେ ବାକି ୪ ମାସ ଅଣ୍ଡା ଦେବା ସମୟରେ ଆର୍ଜେଣ୍ଟିନା ଓ ଚିଲିକୁ ଚାଲିଯାଇଥାଏ ।ଡିନ୍‌ଡିମ୍ ଯେବେ ଡିସୁଜାଙ୍କଠାରୁ ଅଲଗା ହୋଇ ନିଜ ସାଥୀଙ୍କ ପାଖକୁ ଯାଇଥାଏ ପାଖ ପଡୋଶୀ କହିଥାନ୍ତି, ସେ ଆଉ ଫେରିବ ନାହିଁ । ହେଲେ ସବୁ କଥାକୁ ଭୁଲ ପ୍ରମାଣିତ କରି ୪ ମାସ ଅନ୍ତରରେ ସେ ପୁଣି ଡିସୁଜାଙ୍କ ପାଖକୁ ଫେରି ଆସିଥାଏ । ଅବସରପ୍ରାପ୍ତ ରାଜମିସ୍ତ୍ରୀ ତଥା ମତ୍ସ୍ୟଜୀବୀ ଡିସୁଜା (୭୧) ୨୦୧୧ରେ ନିଜ ଗାଁ ନିକଟରେ ଥିବା ରିଓ ଡି ଜେନେରିଓ ଦ୍ୱୀପରେ ଏକ ଛୋଟ ପେଙ୍ଗୁଇନ ଅତ୍ୟନ୍ତ ଦୁର୍ବଳ ଓ ଭୋକିଲା ଅବସ୍ଥାରେ ତେଲ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କୁ ଘରକୁ ନେଇ ଆସିଥିଲେ । ଘରକୁ ଆଣି ଚିକିତ୍ସା କରିବା ସହ ଯତ୍ନ ନେବାର କିଛିଦିନ ପରେ ପେଙ୍ଗୁଇନ୍‌ଟି ସୁସ୍ଥ ହୋଇଯାଇଥିଲା । ଡିସୁଜା ଖୁସିରେ ତାର ନାଁ ଡିନ୍‌ଡିମ୍ ଦେଇଥିଲେ । ଡିନ୍‌ଡିମ୍ ସୁସ୍ଥ ହୋଇଯିବା ପରେ ଡିସୁଜା ତାକୁ ସମୁଦ୍ରରେ ଛାଡ଼ିଦେବାକୁ ସ୍ଥିର କରିଥିଲେ । ସେ ଭବିଷ୍ୟତରେ କେବେ ଡିନ୍‌ଡିମ୍‌କୁ ଭେଟିବେ ବୋଲି ଭାବି ନ ଥିଲେ । ହେଲେ କିଛିମାସ ପରେ ସେ ନିଜ ଦ୍ୱୀପରେ ଡିନ୍‌ଡିମ୍‌କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଡିନ୍‌ଡିମ୍ ମଧ୍ୟ ତାଙ୍କ ସହ ଘରକୁ ଚାଲି ଆସିଥିଲା । ଏହା କେବଳ ଗୋଟିଏ ବର୍ଷର କଥା ନୁହେଁ, ୨୦୧୧ରୁ ଏପରି ଧାରା ଚାଲିଆସୁଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଥରେ ଡିସୁଜାଙ୍କ ପାଖକୁ ଆସିବାକୁ ଡିନ୍‌ଡିମ୍‌କୁ ୫୦୦୦ କି.ମି. ଅତିକ୍ରମ କରିବାକୁ ପଡୁଛି । ଡିସୁଜା କହିଛନ୍ତି, “ଏହି ପେଙ୍ଗୁଇନ୍‌କୁ ମୁଁ ମୋର ପିଲା ଭଳି ଭଲପାଏ । ଆଉ ମୁଁ ଜାଣିଛି, ସେ ବି ମୋତେ ବହୁତ ଭଲପାଏ । ମୋ ବ୍ୟତୀତ ସେ କାହାରିକୁ ତା’କୁ ଛୁଇଁବାକୁ ଦେଇ ନ ଥାଏ । ଯଦି କେହି ତାକୁ ଛୁଇଁବାକୁ ଚେଷ୍ଟା କରେ ତେବେ ସେ ତାଡ଼କୁ ଖୁମ୍ପିବାକୁ ଗୋଡ଼ାଇଥାଏ । ସେ ମୋ ପାଖରେ ସୁଏ, ମୁଁ ତାଡ଼କୁ ଗାଧୋଇ ଦିଏ । ମୁଁ ତାକୁ ଚୁନ୍ନି (ଗୋଟିଏ ପ୍ରକାର ମାଛ) ଖୁଆଇ ଦେଇଥାଏ । ସେ କହିଛନ୍ତି, “ଡିନ୍‌ଡିମ୍ ଯେବେ ଅସୁସ୍ଥ ଥିଲା, ପ୍ରତିଦିନ ତା’କୁ ମାଛ ଖାଇବାକୁ ଦେଉଥିଲି । ସେ ସୁସ୍ଥ ହେବା ପରେ ତା’କୁ ନେଇ ସମୁଦ୍ରରେ ଛାଡ଼ିଥିଲି ଓ ଯିବାକୁ କହିଥିଲି । ହେଲେ ସେ ଯାଇ ନ ଥିଲା । ସେ ମୋ ସହ ୧୧ ମାସ ରହିବା ପରେ ଯାଇଥିଲା । ପ୍ରତିବର୍ଷ ଜୁନ୍‌ରେ ସେ ଫେରି ଆସି ଫେବ୍ରୁଆରିରେ ଲେଉଟି ଯାଇଥାଏ । ପ୍ରତିବର୍ଷ ସେ ଫେରିବା ବେଳେ ମୋତେ ବହୁତ ଖୁସି ଲାଗିଥାଏ । ଏ ସମ୍ପର୍କରେ ପ୍ରାଣୀ ବିଜ୍ଞାନୀ ଜୋଆଓ ପାଉଲୋ କ୍ରାଜେୱସ୍କି କହିଛନ୍ତି, “ମୁଁ ମୋ ଜୀବନରେ ଏମିତି କେବେ ଦେଖି ନ ଥିଲି । ମୁଁ ଭାବୁଛି ଡିସୁଜା ତା’ ପରିବାରର ଏକ ଅଂଶ ବୋଲି ପେଙ୍ଗୁଇନଟି ବିଶ୍ୱାସ କରୁଛି । ଆଉ ଏହା କେବଳ ପେଙ୍ଗୁଇନ୍‌ଙ୍କ କ୍ଷେତ୍ରରେ ହିଁ ସମ୍ଭବ ।” ଅନ୍ୟଜଣେ ବିଶେଷଜ୍ଞ କହିଛନ୍ତି, “ଡିନ୍‌ଡିମ୍ ଡିସୁଜାଙ୍କୁ ଆଉ ଗୋଟେ ପେଙ୍ଗୁଇନ୍ ବୋଲି ଭାବୁଛି ଓ ସେଥିପାଇଁ ତାଙ୍କ ସହ ଏପରି ବ୍ୟବହାର କରୁଛି ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ