ପ୍ରତିଭା ଅନ୍ୱେଷଣ ରାଜ୍ୟପାଳ ଟ୍ରଫିରେ ଜିଲ୍ଲାରୁ ୨ ପୁରସ୍କୃତ
କେନ୍ଦ୍ରାପଡା – କେନ୍ଦ୍ରାପଡା ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ଯଯାତି କେଶରୀ ଷଡଙ୍ଗୀ ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ ହୋଇ ରାଜ୍ୟପାଳଙ୍କ ଟ୍ରଫି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଶିଷ୍ଟ ଚିତ୍ରଗୁରୁ ହିମାଂଶୁ ଶେଖର ଦାସଙ୍କ ପ୍ରେରଣାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଲବଣ ସତ୍ୟାଗ୍ରହ ସଂପର୍କରେ ଯଯାତି କେଶରୀ ଚିତ୍ର ଆଙ୍କି ଏହି ସଫଳତା ହାସଲ କରିଛନ୍ତି । ସେହିପରି ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ ଯଶ୍ମିନ ମହାନ୍ତି ସଂଗୀତ ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ୨ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଭୂବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ୨ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି । ଜିଲ୍ଲାର ଗୌରବ ବୃଦ୍ଧି କରି ଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ଏହି ୨ ପ୍ରତିଯୋଗୀଙ୍କୁ ଜିଲ୍ଲା କାର୍ଯ୍ୟାଳୟରେ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରିଛନ୍ତି ।