ପ୍ରତିରକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ୨ଠବର୍ଷ ମଧ୍ୟରେ କୌଣସି ରାଷ୍ଟ୍ର ଏଦିଗରେ କାର୍ଯ୍ୟକ୍ରମ କରିନଥିଲେ

 

ଓଡ଼ିଶା ଉପକୂଳରେ ଥିବା ଅବଦ୍ଦୁଲ କଲାମ ଦ୍ୱୀପରୁ ପରୀକ୍ଷା କରାଯାଇଥିବା ଆଣ୍ଟି-ସାଟେଲାଇଟ୍ (ଏ-ସାଟ୍) ମିସାଇଲକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ମିସାଇଲର ସଫଳ ପରୀକ୍ଷଣ ସମ୍ପର୍କରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲ ମହାକାଶର ନିମ୍ନ ଭୂକକ୍ଷରେ ସକ୍ରିୟ ଥିବା ଏକ ସନ୍ଦିଗ୍ଧ ସାଟେଲାଇଟ୍ (ଲିଓ)କୁ ମାତ୍ର ୩ମିନିଟ୍ ମଧ୍ୟରେ ଧ୍ୱଂସ କରିବା ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଉଭା ହୋଇଛି । ଗତ ୨୦ବର୍ଷ ମଧ୍ୟରେ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ଏ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିନାହାନ୍ତି । ତେବେ ଏହି ବିରଳ କୃତିତ୍ୱ ଉପଲବ୍ଧି ଭାରତକୁ ମହାକାଶର ଅନ୍ୟତମ ମହାଶକ୍ତିରେ ପରିଣତ କରାଇଛି । ଭାରତ ପୂର୍ବରୁ ଆମେରିକା, ଋଷ୍ ଓ ଚୀନ୍ ଏଦିଗରେ ସଫଳତା ପାଇସାରିଛନ୍ତି । ତେବେ କ’ଣ ଏହି ସାଟେଲାଇଟ୍, ଏହା ଦେଶକୁ କେଉଁ ଦିଗରେ ସହଯୋଗ କରିପାରିବ ତଥା ଏହାର ସାମର୍ଥ୍ୟ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଏଠାରେ ଉପସ୍ଥାପନା କରୁଛୁ ।

ଆଣ୍ଟି ସାଟେଲାଇଟ୍ ମିସାଇଲ କ’ଣ?
କେନ୍ଦ୍ର ସରକାରଙ୍କ ମିଶନ ଶକ୍ତି ଯୋଜନା ଅଧୀନରେ ପ୍ରସ୍ତୁତ କରାଯାଇଛି ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ । ଏଥିରେ ଅତ୍ୟନ୍ତ କଠିନ ଓ ଉଚ୍ଚକୋଟୀର ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ (ଲିଓ) ସାଟେଲାଇଟ୍କୁ ନଷ୍ଟ କରିଥିବା ଏହି ସାଟେଲାଇଟ୍ ନିରୋଧୀ କ୍ଷେପଣାସ୍ତ୍ର ଭାରତରେ ବିକାଶ କରାଯାଇଛି । ମିଶନ ଶକ୍ତି ଅଧୀନରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ) ବୈଜ୍ଞାନିକମାନେ ଏହାର ନିର୍ମାଣ କରିଛନ୍ତି । ମହାକାଶରେ ଯେକୌଣସି ସନ୍ଦିଗ୍ଧ ସାଟେଲାଇଟ୍କୁ ନଷ୍ଟ କରିବାର କ୍ଷମତା ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍ ପାଖରେ ରହିଛି । ଲିଓ ପ୍ରଣାଳୀର ଅନେକ ସନ୍ଦିଗ୍ଧ ସାଟେଲାଇଟ୍ ଏବେ ମହାକାଶରେ ନିଜ ଉପସ୍ଥିତି ଜାହିର କରୁଥିବା ବେଳେ ସେଗୁଡିକ ପାଇଁ ଭାରତ ପ୍ରସ୍ତୁତ ଏହି ଆଣ୍ଟି ସାଟେଲାଇଟ୍ ଉପଯୁକ୍ତ ଜବାବ ହେବ ବୋଲି ମତ ପ୍ରକାଶ ପାଇଛି । ଏ-ସାଟ୍ ମିସାଇଲ୍କୁ ଅଗ୍ନି ମିସାଇଲ୍ ଓ ଆଡ୍ଭାନ୍ସଡ୍ ଏୟାର ଡିଫେନ୍ସ (ଏଏଡି)ର ମିଶ୍ରଣରୁ ପ୍ରସ୍ତୁତ କରାଯାଇଛି ।
କେମିତି କାମ କରେ?
ମହାକାଶ ବୈଜ୍ଞାନିକ ଅଜୟ ଲୟେଲଙ୍କ ସୂଚନା ଅନୁଯାୟୀ, ଆଣ୍ଟି ସାଟେଲାଇଟ୍ ମିସାଇଲ୍ ଭିତରେ କୌଣସି ପ୍ରକାରର ବାରୁଦ ଗୁଣ୍ଡନଥାଏ । ଏହାକୁ କାଇନାଟିକ୍ କିଲ୍ ୱିପନ ମଧ୍ୟ କୁହାଯାଏ । କିନ୍ତୁ ସାଧାରଣ ମିସାଇଲର ଟିପ୍ ଉପରେ ବାରୁଦ ଲଗାଯାଏ । ଏହା ଟାର୍ଗେଟକୁ ଛୁଇଁବା ମାତ୍ରେ ବିସ୍ଫୋରଣ କରିଥାଏ । ହେଲେ ଆଣ୍ଟି ସାଟେଲାଇଟ୍ ମିସାଇଲ୍ ସଂପୂର୍ଣ୍ଣ ଭିନ୍ନ । ଏହା କାଇନାଟିକ୍ କିଲ୍ ମେକାନିଜିମ୍ ଦ୍ୱାରା କାମ କରିଥାଏ । ଏହାର ଉପରି ଭାଗ ବା ୱାରହେଡ୍ରେ ଏକ ମେଟାଲ୍ ଷ୍ଟ୍ରିପ୍ ରହିଥାଏ । ଟାର୍ଗେଟ ହୋଇଥିବା ସାଟେଲାଇଟ୍ ଉପରେ ଏହି ମେଟାଲ୍ ବଲ୍ଟି ପଡ଼ିବା ସହ ଏହାକୁ ନଷ୍ଟ କରିଦେଇଥାଏ ବୋଲି ସେ କହିଛନ୍ତି । ତାଙ୍କ କହିବାନୁସାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ବିକଶିତ ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ ଇଣ୍ଟସେପ୍ଟର କ୍ଷେପଣାସ୍ତ୍ର ନିମ୍ନ ଭୂକକ୍ଷ (ଲିଓ)ରେ ଅବସ୍ଥାପିତ ଏକ ଭାରତୀୟ ସ୍ୟାଟେଲାଇଟ୍କୁ ଲକ୍ଷ୍ୟଭେଦ କରିବା ପାଇଁ ପ୍ରେରଣ କରାଯାଇଥିଲା । ଏହି ଡିଫେନ୍ସ ଇଣ୍ଟସେପ୍ଟର କ୍ଷେପଣାସ୍ତ୍ରଟି ଦୁଇଟି କଠିନ ବୁଷ୍ଟର ଥିବା ଏକ ତ୍ରିସ୍ତରୀୟ କ୍ଷେପଣାସ୍ତ୍ର । ଏହା ରେଞ୍ଜ ସେନ୍ସର ଡାଟାକୁ ବ୍ୟବହାର କରି ଟାର୍ଗେଟ୍ ନିର୍ଦ୍ଧାରଣ କରିଥାଏ ।
ଲିଓ ସାଟେଲାଇଟ୍ କ’ଣ?
ଲୋ ଆର୍ଥ ଅର୍ବିଟ୍ ବା ନିମ୍ନ ଭୂକକ୍ଷ ସାଟେଲାଇଟ୍କୁ ସଂକ୍ଷେପରେ ଲିଓ ସାଟେଲାଇଟ୍ କୁହାଯାଇଥାଏ । ଏହା ସାଧାରଣତଃ ଟେଲି ଯୋଗାଯୋଗ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ପୃଥିବୀପୃଷ୍ଠରୁ ୨ହଜାର କିଲୋମିଟର ଦୂରରେ ରହି ପୃଥିବୀକୁ ପ୍ରଦିକ୍ଷଣ କରିଥାଏ । ତୁରନ୍ତ ଇମେଲ୍ ଓ ଭିଡିଓ କନଫରେନ୍ସିଂ ପରି କାର୍ଯ୍ୟରେ ଜରୁରି ହେଉଥିବା ଡାଟା କମ୍ୟୁନିକେସନ୍ ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଏ । ଏହା ଦ୍ରୁତ ଗତିରେ ପ୍ରଦିକ୍ଷଣ କରିଥାଏ ଏବଂ ପୃଥିବୀ ଘୂରିବା ସହିତ ବିଶେଷ କିଛି ସମ୍ପର୍କ ରଖିନଥାଏ । ବିଚ୍ଛିନ୍ନାଞ୍ଚଳ ଏବଂ ନେଟ୍ୱାର୍କ ଯୋଗାଇ ହେଉନଥିବା ସ୍ଥାନରେ ଏହାକୁ ମୁଖ୍ୟତଃ ବ୍ୟବହାର କରାଯାଏ । ମୋଟାମୋଟି ଭାବେ କହିଲେ ଆକାଶମାର୍ଗରୁ ରହି କିଛି ପର୍ଯ୍ୟବେକ୍ଷଣ କରିବା ଏବଂ କାହା ଉପରେ ଗୁଇନ୍ଦା ନଜର ରଖିବାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ ।
ଜିଓଠାରୁ ଭିନ୍ନ
ଜିଓସିଙ୍କ୍ରୋନସ୍ ଇକ୍ୟୁଟୋରିଆଲ ଅର୍ବିଟ୍ (ଜିଓ) ବା ଜିଓ ଷ୍ଟେସନାରୀ ସାଟେଲାଇଟ୍କୁ ସାଧାରଣତଃ ପାଣିପାଗ ପୂର୍ବାନୁମାନ, ସାଟେଲାଇଟ୍ ରେଡିଓ ଓ ଟେଲିଭିଜନ୍ ଆଦି କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । ଜିଓର ସିଗନାଲ୍ କ୍ଷମତା ମଧ୍ୟ ଯଥେଷ୍ଟ ଅଧିକ । ଜିଓ ପ୍ରଦିକ୍ଷଣ କରୁନଥିବାରୁ ଏହାର ସିଗ୍ନାଲ ଆଉଟପୁଟ୍ ଲିଓ ତୁଳନାରେ ଅଧିକ ସ୍ପଷ୍ଟ ଓ ପାରଦର୍ଶୀ ହୋଇଥାଏ । ଲିଓ ତୁଳନାରେ ଜିଓ ସାଟେଲାଇଟ୍ ଆକାରରେ ମଧ୍ୟ ବଡ ହୋଇଥାଏ ।
୨ଠ୧୨ରୁ ସରିଥିଲା, ଅନୁମତି ମିଳିନଥିଲା
ଅଗ୍ନି-୫ ମିସାଇଲ୍ ପରୀକ୍ଷଣ ପରେ ଭାରତର ପ୍ରତିରକ୍ଷା ବୈଜ୍ଞାନିକମାନେ ଏପ୍ରକାର ଆଣ୍ଟି ସାଟେଲାଇଟ୍ ମିସାଇଲର ପ୍ରସ୍ତୁତି ଶେଷ କରିଥିଲେ । ୨ଠ୧୨ରେ ଏନେଇ ତକ୍ରାଳୀନ କେନ୍ଦ୍ର ସରକାର (ୟୁପିଏ)ଙ୍କୁ ଅବଗତ କରାଯାଇଥିଲା । ମାତ୍ର ସରକାର ଏହାର ପରୀକ୍ଷଣ ଅନୁମତି ଦେଇନଥିଲେ । ତକ୍ରାଳୀନ ଡିଆରଡିଓ ମୁଖ୍ୟ ଭିକେ ସରସ୍ୱତୀ ଆଜି ଏସମ୍ପର୍କରେ ଖୁଲାସା କରିଛନ୍ତି । ସେ କହିଛନ୍ତି, ସେତେବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁ ଏହାର ପରୀକ୍ଷଣ ହୋଇପାରିନଥିଲା । ମାତ୍ର ଏବେର ମୋଦି ସରକାର ଏହାର ପରୀକ୍ଷଣ କରିବାକୁ ସବୁଜ ସଙ୍କେତ ଦେଇଥିଲେ ।
ଭାରତର ଗୁରୁତ୍ୱାରୋପ କାହିଁକି?
ବିଶ୍ୱ ଏବେ ପୁଣି ଥରେ ମହାକାଶର ସାମରିକୀକରଣ ଆଡ଼କୁ ଗତିକରୁଛି । ଏହାର କାରଣ ହେଉଛି ଚୀନ୍ ଯେଉଁପ୍ରକାର ଦ୍ରୁତ ଗତିରେ ନିଜର ମହାକାଶ ଶକ୍ତିକୁ ବୃଦ୍ଧି କରୁଛି, ଏହାକୁ ଦୃଷ୍ଟିରେ ରଖି ଭାରତ ଏଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଥିଲା । ଚୀନ୍ ପ୍ରଥମେ ୨ଠଠ୭ ଜାନୁୟାରୀରେ ଏ ଧରଣର ମିସାଇଲ ପରୀକ୍ଷା କରିଥିଲା । ଏହାପରଠାରୁ ଚୀନ୍ ନିଜର ମହାକାଶ ଶକ୍ତିକୁ ବୃଦ୍ଧି କରିଚାଲିଛି । ଚୀନ୍ର ଏପ୍ରକାର ଅନ୍ତରୀକ୍ଷ ସାଜସଜ୍ଜାକୁ ଦେଖି ଆମେରିକା ମଧ୍ୟ ମହାକାଶରେ ନିଜ ସାମରିକ ଅଭିଯାନକୁ ଜୋରଦାର କରିଛି । ଗତ ୬ଠ ଦଶକରେ ଆମେରିକା ଓ ଋଷ୍ ଆଣ୍ଟି-ସାଟେଲାଇଟ ମିସାଇଲର ପରୀକ୍ଷା କରିଥିଲେ । ଏହାର ପରବର୍ତ୍ତି କିଛି ଦଶନ୍ଧି ଉଭୟ ଦେଶ ମହାକାଶରେ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଯୋଗୀତାରେ ଅବତୀର୍ଣ୍ଣ ହେଲେ । ଏହାକୁ ଷ୍ଟାର-ୱାର କୁହାଗଲା । କିନ୍ତୁ ସୋଭିଏତ ସଂଘର ବିଘଟନ ପରେ ଏହି ପ୍ରତିଯୋଗୀତା ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ଋଷ୍ ଓ ଚୀନ ନିଜର ମହାକାଶ ଶକ୍ତିକୁ ବୃଦ୍ଧି କରୁଥିବାରୁ ଆମେରିକା ମଧ୍ୟ ଏକ ଷ୍ଟ୍ରାଟେର୍ଜିକ ସ୍ପେଶ କମାଣ୍ଡ ଗଠନ ପାଇଁ ଅନୁମତି ଦେଇଛି । ଭବିଷ୍ୟତରେ ଏହି ପ୍ରତିଯୋଗିତା ତୀବ୍ର ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ମହାକାଶରେ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବା ସ୍ୱାଗତଯୋଗ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ