ପ୍ରତିରକ୍ଷା ବିଭାଗରେ ଅଗ୍ନିପଥ ଯୋଜନାକୁ ବାମପନ୍ଥୀ ଯୁବ-ଛାତ୍ରସଂଗଠନର ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଅଗ୍ନିପଥ ଯୋଜନାକୁ ବାମପନ୍ଥୀ ଯୁବ ଛାତ୍ର ସଂଗଠନମାନଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ବୁଧବାର ପୂର୍ବାହ୍ନରେ ବିଚାରଗଞ୍ଜ ଛକରୁ ଯୁବଛାତ୍ରମାନଙ୍କର ଏକ ଶୋଭାଯାତ୍ରା ବାହାରି ବାଲେଶ୍ୱର ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଯୁବନେତା ତପନ ସିଟ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଗ୍ନିପଥ ଯୋଜନାରେ ପ୍ରତିରକ୍ଷା ବିଭାଗରେ ୪ବର୍ଷିଆ ଠିକା ସୈନିକ ନିଯୁକ୍ତିକୁ ବକ୍ତାମାନେ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ୨୦୧୯ ମସିହାରୁ ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଁ ଯୋଗ୍ୟ ଆବେଦନକାରୀମାନଙ୍କୁ ପ୍ରଥମେ ନିଯୁକ୍ତି ଦେବାକୁ ସେମାନେ ଦାବି କରିଥିଲେ । ୪ବର୍ଷ ଚାକିରି ପରେ ପେନସନ୍ କିମ୍ବା ଅନ୍ୟ କୌଣସି ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା ନଥିବାରୁ ଏହି ଯୋଜନା ଅଧିକ ବେକାରୀ ସୃଷ୍ଟି କରିବ ବୋଲି ସେମାନେ ମତ ଦେଇଥିଲେ । ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ପାଇଁ ଏକ ସ୍ଥାୟୀ ସଂସ୍ଥା ହୋଇଥିବାବେଳେ ଅସ୍ଥାୟୀ ନିଯୁକ୍ତି କାହିଁକି ବୋଲି ସେମାନେ ସରକାରଙ୍କୁ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାର ନିର୍ବାଚନବେଳେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଥିଲେ । ଯଦି କେନ୍ଦ୍ର ସରକାର ଏହି ଯୋଜନାକୁ ପ୍ରତ୍ୟାହାର ନକରନ୍ତି ତେବେ ବ୍ୟାପକ ଆନ୍ଦୋଳନ ପାଇଁ ସେମାନେ ଚେତାବନୀ ଦେଇଥିଲେ । ବିଭିନ୍ନ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ କ୍ରୀଷ୍ଣା ରାଣୀ ସାହୁ, ପ୍ରଶାନ୍ତ କୁମାର ଦାସ, ପ୍ରେମରଂଜନ ପାତ୍ର, ଆରତୀ ମେହେର, ପୂର୍ବତନ ଛାତ୍ରନେତା ତଥା ସରପଞ୍ଚ ଷ୍ଟାଲିନ୍ ମିଶ୍ର, ଆଇନଜୀବୀ ନିରଞ୍ଜନ ପରିଡ଼ା, ୱତନ ରାଜ୍, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ରସରକାରଙ୍କ ଠିକା ନିଯୁକ୍ତି ଓ ଘରୋଇକରଣ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ସୁଶାନ୍ତ ଜେନା, କୃଷ୍ଣ ପଟ୍ଟାୟତ, ସୁଜିତ୍ ଦାସ, ଚନ୍ଦ୍ରମୋହନ ସୋରେନ୍, ସୁଦର୍ଶନ ଆଚାର୍ଯ୍ୟ, ରାମଚନ୍ଦ୍ର ମହାରଣା, ମଣ୍ଟୁ ନାୟକ ଓ ଅଜୟ ଦାସ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ନିରାକାର ପାଣ୍ଡବ ଧନ୍ୟବାଦ ଦେଇଥିଲେ ।


