ପ୍ରତିରକ୍ଷା ବିଭାଗର ପରୀକ୍ଷା ଗୋଳା ମାଡ଼ରେ ମତ୍ସ୍ୟଜୀବୀ ମୃତ

ବାଲେଶ୍ୱର, (ସରୋଜ ପଣ୍ଡା):ସମୁଦ୍ରରେ ମାଛ ଧରୁଥିବା ବେଳେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ପରୀକ୍ଷା ଗୋଳା ମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କର ବୁଧବାର ପୂର୍ବାହ୍ଣରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ସିଂଲା ଥାନା ଅନ୍ତର୍ଗତ ସାର୍ଥା ବିନ୍ଦାଘୋଲା ଅଞ୍ଚଳର ଆଶିଷ କୁମାର ମାଝୀଙ୍କ ପୁତ୍ର କମଳାକାନ୍ତ ମାଝୀ(୩୫) । ଗୁରୁତର ମତ୍ସ୍ୟଜୀବୀ ହେଲେ ବିମ୍ବାଧର ମଲିକଙ୍କ ପୁତ୍ର ପଦ୍ମଲୋଚନ ମଲିକ (୨୮) । ଗତକାଲି ଭୁଟୁଭୁଟିରେ କଷାଫଳ ମୁହାଣରୁ ୭ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ । ଆଜି ପୂର୍ବାହ୍ଣ ୧୧ଟା ବେଳେ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ବେଳେ ଭୁଟିଭୁଟି ନିକଟରେ ଏକ ଗୋଳ ପଡ଼ି ଫୁଟିଥିଲା । ଫୁଟା ଗୋଳାରୁ ଏକାଧିକ ଖଣ୍ଡ ପିତଳ ତଥା ଲୁହା ଅଂଶ ବିଛୁଡ଼ି ହୋଇପଡ଼ିଥିଲା ।ଏଇଥିରୁ ଖଣ୍ଡେ କମଳାକାନ୍ତଙ୍କ ଛାତିରେ ପଶିଥିବା ବେଳେ ଅନ୍ୟଏକ ଖଣ୍ଡ ପଦ୍ମଲୋଚନଙ୍କ କାନ୍ଧରେ ବାଜିଥିଲା । ଅନ୍ୟ ୫ଜଣ ସୁରକ୍ଷିତ ଥିବା ମତ୍ସ୍ୟଜୀବୀମାନେ ଦୁଇ ଗୁରୁତରଙ୍କୁ ନେଇ ନେଇ କୂଳକୁ ଫେରି ଆସିଥିଲେ । ଡାକ୍ତରଖାନାରେ କମଳାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସା ଆରମ୍ଭ ପରେ ପଦ୍ମଲୋଚନଙ୍କ ଅବସ୍ଥାର ଉନ୍ନତି ହେଉଥିବା ଜଣାଯାଇଛି । ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗର ପିଏକ୍ସଇ ପକ୍ଷରୁ ହୋଇଥିବା ଗୋଳା ପରୀକ୍ଷାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅନ୍ୟପକ୍ଷରେ ପ୍ରତିରକ୍ଷା ବିଭାଗ ଦ୍ୱାରା ଘୋଷିତ ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ମାଛ ଧରୁଥିବା ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ