ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଛଟେଇ ସ୍ୱାସ୍ଥ୍ୟ କର୍ମଚାରୀ
ଛତ୍ରପୁର,(ଦେବଦତ୍ତ ମହାରଣା): ନିଯୁକ୍ତି ର ମାସେ ନପୂରୁଣୁ ଛଟେଇ । ଏହି ଛଟେଇ ପ୍ରତିବାଦରେ ଗଂଜାମ ଜିଲ୍ଲାରେ କୋଭିଡ -୧୯ କାର୍ଯ୍ୟରେ ନିୟୋଜିତ ଷ୍ଟାଫନର୍ସ , ଫାର୍ମାସିଷ୍ଟ ,ପାରାମେଡିକାଲ ଓ ଅନ୍ୟ କର୍ମଚାରୀ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ , ଚୁକ୍ତିନାମାର ଉଲ୍ଲଘଂନ କରାଯାଇଛି । ଆମକୁ ୩ମାସ ନିଯୁକ୍ତି ଦେବା କହି ନିଯୁକ୍ତି ର ଏକ ମାସ ନପୁରୁଣୁ ଛଟେଇ କରାଯାଇଛି । ଜିଲ୍ଲାପ୍ରଶାସନର ଏହି ନିଷ୍ପତ୍ତି ପ୍ରତିବାଦରେ ଶତାଧିକ ସ୍ୱାସ୍ଥ୍ୟ କର୍ମଚାରି ଅକ୍ଟବୋର ୧ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ । ରାତି ତମାମ ଆନ୍ଦୋଳନରତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ଭୋକ ଉପାସରେ ଉଜାଗାର ରହି ଧାରଣାରେ ବସିଥିଲେ । ଶୁକ୍ରବାର ଆନ୍ଦୋଳନର ଦ୍ୱିତୀୟ ଦିନ ତଥା ପବିତ୍ର ଗାନ୍ଧୀ ଜୟନ୍ତିରୁ ଏହି ଆନ୍ଧୋଳନକୁ ଆହୁରୀ ତୀବ୍ର କରାଯାଇଥିଲା । ମହାତ୍ମାଗାନ୍ଧୀଙ୍କ ଫୋଟ ଧରି ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ ଦାବୀ ସଂପର୍କରେ ନାରାବାଜି ଦେଇଥିଲେ । ଏମାନଙ୍କୁ ସମର୍ଥ ଜଣାଇ ସିପିଆଇ , ବିଜେପି ଓ ଏସୟୁସିଆଇର ପାର୍ଟୀ ର ନେତା ଓ କର୍ମୀ ମାନେ ଧାରଣାସ୍ଥଳରେ ବସି ସେମାନଙ୍କୁ ପୁନଃ ନିଯୁକ୍ତି ଦେବା ନିମନ୍ତେ କହିବା ସହ ରାଜ୍ୟ ସରକାର ଏବଂ ଗଂଜାମ ଜିଲ୍ଲାପ୍ରଶାସନ କୁ ସମାଲୋଚନା କରିଥିଲେ । ଦିନ ତମାମ ଏହି ଆନ୍ଦୋଳନ ଚାଲିଥିବା ବେଳେ ଶୁକ୍ରବାର ଅପରାହ୍ନରେ ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ପରେ ଆନ୍ଦୋଳନରତ ପାଞ୍ଚଜଣିଆ ପ୍ରତିନିଧି ମାନେ ନିଜର ଦାବୀ ସଂପର୍କ ଜିଲ୍ଲପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲପାଳଙ୍କ ସହ ଆଲୋଚନା କରିଥିଲେ । ପ୍ରାୟ ୧ଘଣ୍ଟାଧରି ଆଲୋଚନା ହୋଇଥିଲା । ଏଥିରେ ବହୁ ପ୍ରଶାନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟରୁ ଛଟେଇ ହୋଇଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ଚୁକ୍ତି ମୁତାବକ ତିନିମାସ ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟ ଯୋଗାଇବା ସହ ଦରମା ପ୍ରଦାନ କରାଯିବ ଏବଂ କାର୍ଯ୍ୟ କରୁଥିବା ସାଟିଫିକେଟ ପ୍ରଦାନ କରାଯିବ ବୋଲି ଆଲୋଚନାରେ ନିଷ୍ପତ୍ତି ହେବା ପରେ ପାଞ୍ଚଜଣିଆ ପ୍ରତିନିଧୀ ଦଳ ଆସି ଆନ୍ଦୋଳନରତ କର୍ମଚାରୀ ମାନଙ୍କୁ କହିଥିଲେ । ଏହା ଉପରେ ଆନ୍ଦୋଳନକାରୀ ମାନଙ୍କ ମଧ୍ୟ ଆପୋଷ ଆଲୋଚନା ହୋଇଥିଲ।। ତାପରେ ଏହି ପାଞ୍ଚଜଣିଆ ପ୍ରତିନିଧୀ ଦଳ ପୁଣି ଜିଲ୍ଲପାଳଙ୍କୁ ମିଶି ଆଲୋଚନା କରିଥିଲେ । ଏହାପରେ ଜିଲ୍ଲପାଳ କାର୍ଯ୍ୟାଳୟରୁ ବାହାରିଯିବା ପରେ ଆନ୍ଦୋଳନରତ କର୍ମଚାରୀ ମାନେ ଆନ୍ଦୋଳନ କୁ ପ୍ରତ୍ୟାହାର କରି ନିଜ ନିଜ ଘରକୁ ଚାଲିଯାଇଥିଲେ ।ଏହି ଧାରଣାରେ ସିପିଆଇ ପାର୍ଟିର ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ବିଜେପି ଯୁବ ମୋର୍ଚ୍ଚା ଗଂଜାମ ଜିଲ୍ଲା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ଉପସଭାପତି କେ.ରଘୁନାଥ ରେଡ୍ଡୀ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ, ସାଧାରଣ ସଂପାଦକ ଅମରେଶ କୁମାର ମହାରଣ , ଡି.ସୁରେଶ ରେଡ୍ଡୀ, ଶ୍ରମିକ ନେତା ବିଜୟ ମୁଦୁଲି , ପି.ତିରୁପତି ରାଓ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ଏସୟୁସିଆଇ ର ଜିଲ୍ଲା ସଂପାଦକ ସୋମାନାଥ ବେହେରାଙ୍କ ସମେତ ଶତାଧୀକ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।


