ପ୍ରତିଶୃତି ପାଳନ କଲା ପ୍ରଶାସନ, ଚାଷୀଙ୍କ ମୁହଁରେ ହସ ଫୁଟିଲା
ବନ୍ତ, (ଚାନ୍ଦିନୀ ମହାନ୍ତି):ପ୍ରଶାସନ ଦେଇଥିବା ପ୍ରତିଶୃତ ପାଳନ କରିଥିବାରୁ ଚାଷୀଙ୍କ ମୁହଁରେ ହସ ଫୁଟିଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତର ଚାଷୀ ମାନେ ଧାନ ବିକ୍ରୟ କରି ନପାରିବାରୁ ଗତ ଶନିବାର ଭଦ୍ରକ-ଆନନ୍ଦପୁର ୫୩ଂନ.ରାଜ୍ୟ ରାଜପଥର ଛୟାଳସିଂ ପଞ୍ଚାୟତ ଅଫିସ ଛକ ଠାରେ ରାସ୍ତାରେ ଧାନ ବସ୍ତା ପକାଇ ଶାନ୍ତିପୂର୍ଣ୍ଣ ଅନଶନ କରିଥିଲେ । ପରେ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ପହଞ୍ôଚ ଚାଷୀଙ୍କ ସହିତ ଆଲୋଚନା କରିବା ସହ ଜିଲା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ । ସୋମବାର ଠାରୁ ଧାନ କିଣାଯିବ ବୋଲି ପ୍ରତିଶୃତି ଦିଆଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ସେହି ଅନୁଯାୟୀ ସୋମବାର ଠାରୁ ଗଣିଜାଙ୍ଗ ସେବା ସମବାୟ ସମିତି ପକ୍ଷରୁ ଧାନ କିଣା ଆରମ୍ଭ ହୋଇଛି । ପ୍ରଥମ ଦିନରେ ବୃନ୍ଦାବନ ରାଉତ, ରାଜ କିଶୋର ରାଉତ, ବୀର କିଶୋର ରାଉତ, ନୃସିଂହ ବେହେରା ପ୍ରମୁଖ ଚାଷୀଙ୍କ ଠାରୁ ୩ ଶହ କୁଇଁଣ୍ଟାଲ ଧାନ କିଣାଯାଇଛି । ପ୍ରତିଶୃତି ଅନୁଯାୟୀ ପ୍ରଶାସନ ଚାଷୀଙ୍କ ଠାରୁ ଧାନ କିଣିବା ଆରମ୍ଭ କରିଥିବାରୁ ଚାଷୀ ପ୍ରଫୁଲ୍ଲ ରାଉତ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷେ ଏହି ପଞ୍ଚାୟତରେ ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣା ଯାଉଥିଲା । ଚଳିତ ଖରିଫ ଋତୁ ପାଇଁ ଜଗାକାଳିଆ ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ପଞ୍ଜୀକରଣ ମଧ୍ୟ କରିଥିଲା । ମାତ୍ର ଅନ୍ୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ବିବାଦ ଲାଗିବାରୁ ଏହି ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ପହଞ୍ôଚ ଥିବା ଜଣାଯାଇଛି । ଫଳରେ ଏଠାରେ ଧାନ କିଣିବାରେ ସମସ୍ୟା ଦେଖାଯାଇଥିଲା । ଏହି ପଞ୍ଚାୟତରେ ମୋଟ ୫୧୬ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି । ଏପରିସ୍ଥଳେ ଜାନୁଆରୀ ୬ରୁ ବ୍ଲକର ସମସ୍ତ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଏଠାରେ ଉପରୋକ୍ତ ସମସ୍ୟା ଯୋଗୁ ଧାନ କିଣା ହୋଇପାରିନଥିଲା । ଏବେ ଧାନ କିଣା ଅବଧି କ୍ରମଶ ସରିବାକୁ ଯାଉଥିବାରୁ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣା କିପରି ହୋଇପାରିବ ସେନେଇ ଅଧିକ ମିଲର ଯୋଗାଇ ଦେବାକୁ ସମ୍ପୃକ୍ତ ପଞ୍ଚାୟତର ଚାଷୀ ମାନେ ଦାବୀ କରିଛନ୍ତି ।