ପ୍ରତିଶ୍ରୃତି ପରେ ଆନ୍ଦୋଳନରୁ ଓହରିଲେ ଅଭିଭାବକ
ଘଟଗାଁ,(ଯୁଗାବ୍ଦ ନ୍ୟୁଜ୍): ଗତ ସୋମବାର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଶିକ୍ଷା ବିଭାଗ ଅଧିନସ୍ଥ ପିଟାଟାଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲର ପ୍ରଧାନ ଶିକ୍ଷକ ରତି ନାରାୟଣ ରାଉତ ଛାତ୍ରଛାତ୍ରୀ ମାନଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଛାତ୍ରଛାତ୍ର ମାନେ ପ୍ରଶ୍ନର ଉତର ନଦେବାରୁ ଶ୍ରୀଯୁକ୍ତ ରାଉତ କିଛି ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇଦେଇ ନିର୍ଦ୍ଧୁମ ଛେଚିଥିଲେ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିଥଲେ ।ଶ୍ରୀଯୁକ୍ତ ରାଉତ ନିଲମ୍ବିତ ହୋଇଥିବା ଖବର ପାଇ ମଙ୍ଗଳବାର ଦିନ ସକାଳେ ଉକ୍ତ ସ୍କୁଲ୍ର ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଶିକ୍ଷକ ଶ୍ରୀଯୁକ୍ତ ରାଉତଙ୍କ ନିଲମ୍ବିତ ଆଦେଶ ଫେରାଇ ନେବା ସହିତ ତାଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ କରିଥିଲେ । ଅବିଭାବକ ମାନଙ୍କ କହିବା ଅନୁସାରେ ଏଥିରେ ଶିକ୍ଷକଙ୍କର କୌଣସି ତୃଟି ନାହିଁ ବୋଲି ଦର୍ଶାଇବା ସହ ସେମାନେ ନିଜେ ଶିକ୍ଷକଙ୍କୁ କହିଥିଲେ କି ପିଲାମାନଙ୍କୁ ମାଡଛାଟ ଦେଇ ପାଠ ପଢାନ୍ତୁ ! ଏନେଇ ଆମର କୌଣସି ଆପତି ନାହିଁ । ଏହି ଭଳି ମତପ୍ରକାଶ କରିବା ସହିତ ଉକ୍ତ ଶିକ୍ଷକଙ୍କ ନିଲମ୍ବନ ହଟାଇବା ପାଇଁ ଦାବି କରି ମଙ୍ଗଳବାର ଦିନ ତମାମ ସ୍କୁଲ୍କୁ ବନ୍ଦ କରିବା ସହିତ ଅବିଭାବକ ଓ ଛାତ୍ରଛାତ୍ରୀ ମାନେ ହରିଚନ୍ଦନପୁର-ବଡପଳାଶପାଳ ରାସ୍ତାକୁ ଅବରୋଧ କରିଥିଲେ । ଅନ୍ୟପକ୍ଷରେ ଠିକ୍ ସେହି ମଙ୍ଗଳବାର ଦିନ କେନ୍ଦୁଝର ଗସ୍ତରେ ଆସି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିୟମ ଉଲଘ୍ନ କରି ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡ ଦେଇଥିବାରୁ ଦୋଷି ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆନ୍ଦୋଳନ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବୁଧବାର ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି କାରଣରୁ ନ ଆସିପାରିବାରୁ ହରିଚନ୍ଦନପୁର ବିଇଓଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ତେବେ ଗତକାଲି ସକାଳେ ହରିଚନ୍ଦନପୁର ବିଇଓ ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନରେ ବସିଥିବା ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନଙ୍କୁ ଦୀର୍ଘ ଘଂଟା ଧରି ବୁଝାସୁଝା କରିଥିଲେ । ଶେଷରେ ଅବିଭାବକ ଓ ଛାତ୍ରଛାତ୍ରୀ ବିଇଓ ମହାଶୟଙ୍କୁ ଲିଖିତ ଭାବରେ ଆସନ୍ତା ୭ଦିନ ମଧ୍ୟରେ ଯଦି ଶ୍ରୀଯୁକ୍ତ ରାଉତଙ୍କୁ ପୁନଃ ନିଯୁକ୍ତି ନ କରାଯାଉଛି! ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ପ୍ରକାଶ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ବିଇଓ ମଧ୍ୟ ଦାବିପତ୍ର ଗ୍ରହଣ କରି ଆସନ୍ତା ୭ଦିନ ମଧ୍ୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କଥାହୋଇ ଜିଲ୍ଲା ଶିକ୍ଷା ଅଧିକାରୀ ଯାହା ନିର୍ଦ୍ଦେଶ ଦେବେ ସେ ଅନୁସାରେ କାର୍ଯ୍ୟ କରାଯିବ ବୋଲି ପ୍ରତିସୃତି ଦେବା ପରେ ଆନ୍ଦୋଳନ ବନ୍ଦ ହୋଇଥିଲା । ଏବଂ ଆଗାମୀ ୭ଦିନ ପର୍ଯ୍ୟନ୍ତ ଦୁଇଜଣ ଶିକ୍ଷକଙ୍କୁ ଡେପୁଟେସନରେ ଦିଆଯିବ ବୋଲି ମଧ୍ୟ ବିଇଓ ମହାଶୟ ପ୍ରତିସୃତି ଦେଇଥିବା ଜଣାପଡିଛି ।