ପ୍ରତିହିଂସା ପରାୟଣ ନହୋଇ : ଜନସେବା କରିବା ଗଣମାଧ୍ୟମର କର୍ତ୍ତବ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରଠାରେ ଦୈନିକ ତ୍ରୈଭାଷିକ ଖବରକାଗଜ ‘ବିଶ୍ୱବାଣୀ’ର ୧୬ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବାଣୀ ଖବରକାଗଜ ଦିନକୁ ଦିନ ସଫଳତାର ପାହାଚ ଚଢୁ । ଆଜି ବହୁ ବଡ଼ ବଡ଼ ଗଣମାଧ୍ୟମ ସହିତ ସମକକ୍ଷ ହୋଇଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । ବିଶେଷକରି ଆଜିର ଦିନରେ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା, ସତ୍ୟ ଓ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିବା, ପ୍ରତିହିଂସା ପରାୟଣ ନହୋଇ ଜନସେବାରେ ଗଣମାଧ୍ୟମକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶ୍ୱ ବାଣୀର ପ୍ରତିଷ୍ଠାତା ତଥା ସମ୍ପାଦକ ଅର୍ଜୁନ ମୁଦୁଲି ନିଜେ କିଭଳି କରୋନା ମହାମାରୀ ସମୟରେ ଲୋକମାନଙ୍କ ପାଖରେ କିପରି ଖବରକାଗଜ ପହଞ୍ଚାଉଥିଲେ ସେହି କଷ୍ଟ ମୁହୂର୍ତ୍ତର କଥା ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ । ସମ୍ବାଦପତ୍ରକୁ ଆଜିର ଦିନରେ ପରିଚାଳନା କରିବା ଓ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା, ବିନା କୌଣସି ସରକାରୀ ଅନୁଦାନରେ ଚଳାଇ ରଖିବା କେତେ ଯେ କଷ୍ଟ, ତାହା ସେ ନିଜସ୍ୱ ଅନୁଭୂତିରେ ପ୍ରକାଶ କରିଥିଲେ । ବିଶ୍ୱବାଣୀ ଖବରକାଗଜ ଗ୍ରାମାଞ୍ଚଳରେ ବେଶ୍ ଆଦୃତ ହୋଇପାରିଛି ଓ ଆଗାମୀ ଦିନରେ ଖାଲିଥିବା ଅନ୍ୟାନ୍ୟ ବ୍ଲକରେ ନିଜର ପ୍ରତିନିଧି ନିଯୁକ୍ତି ଦେବେ ବୋଲି କହିଥିଲେ ।


