ପ୍ରତି ଛକରେ ବାଲି ଗାଡିରୁ ଚାନ୍ଦା ଆଦାୟ
ହାଟଡିହି, (ଯୁଗାବ୍ଦ ନ୍ୟୁଜ) : ନନ୍ଦିପଦା ଥାନା ଅଧିନସ୍ଥ ହାବଳେଶ୍ୱର, ଡିମିରିଆ ଓ ଗିରିଗାଁ ଘାଟରୁ ପ୍ରତିଦିନ ଶହଶହ ବାଲିଗାଡି ଯାତାୟତ କରୁଥିବାବେଳେ କିଛି ଅସାମାଜିକ ଯୁବକ ଏହାର ଫାଇଦା ନେଇ ବାଲିଗାଡିରୁ ଚାନ୍ଦା ଆଦାୟ କରୁଥିବା ଦେଖିବାକୁ ମିଳିଛି । ସରକାର ଚାନ୍ଦା ।ଦାୟକୁ ଏକ ଧର୍ତବ୍ୟ ଅପରାଧ ବୋଲି ଘୋଷଣା କରିଥିବାବେଳେ ଏଠାରେ ତାର କୌଣସି ପ୍ରତିଫଳନ ଦେଖିବାକୁ ମଳୁନି । ବାହାରିପୁର, ବରାଙ୍ଗ, ଷଡଙ୍ଗ, ଜାବିନିପୁର, ଏଲକଣିଆ, ଶଙ୍ଖୋ, ରମ୍ପାସ, ଟୁକୁଣା ପ୍ରଭୃତି ଛକ ମାନଙ୍କରେ ବେପରୁଆ ଭାବେ ଏହି ଚାନ୍ଦା ଆଦା କରାଯାଉଛି । ଏପରିକି ଅନେକ ନିଶାଶକ୍ତ ବ୍ୟକ୍ତି ବି ଏହାର ଫାଇଦା ନେଇ ଯୋର ଜୁଲମ କରି ଗାଡି ବାଲାଙ୍କ ଠାରୁ ଚାନ୍ଦା ଆଦାୟ କରିବାରେ ଲାଗି ପଡିଛନ୍ତି । ସଡଙ୍ଗ ଠାରେ ଏକ ମନ୍ଦିର କମିଟି ପକ୍ଷରୁ ୧୦ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରାଯାଉଥିବାବେଳେ ଝଗଡାଝାଟି ହେବାରୁ ଗ୍ରାମବାସୀମାନେ ଚାନ୍ଦା ଆଦାୟକୁ ବନ୍ଦ କରିଦେଇଥିଲେ । ମାତ୍ର କିଛି ଯୁବକ ଏବେ ମନଇଛା ସେଠାରେ ଚାନ୍ଦା ଆଦାୟ କରିବାରେ ଲାଗିଛନ୍ତି । ଯଦି କେହି ଗାଡିବାଲା ଚାନ୍ଦା ଦେଉ ନାହି ତାଙ୍କୁ ମାରଧର ମଧ୍ୟ କରାଯାଉଥିବା ନେଇ ଅଭିଯୋଗ ହେଉଛି । ଏପରିକି ଗୋଟିଏ ଗୋଟିଏ ଛକରେ ୩/୪ଟି ଗ୍ରୁପ ହୋଇ ଚାନ୍ଦା ଆଦାୟ କରାଯାଉଛି । ଏଣୁ ପୁଲିସ ପ୍ରଶାସନ ଏହି ଚାନ୍ଦା ଆଦାୟ ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହେଉଛି ।


