ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ଖୋଲାଯାଉ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିବା ପାଇଁ ସରକାର ନିଜେ ଦାୟୀ ବୋଲି ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି । ଶିକ୍ଷା ସମସ୍ତଙ୍କ ପାଇଁ ମୌଳିକ ଅଧିକାର ଥିବାବେଳେ ଓଡ଼ିଶା ସରକାର ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି ପ୍ରଣୟନ କରୁନାହାଁନ୍ତି । ଶିକ୍ଷା ଅଧିକାର ଅଧିନିୟମ ୨୦୧୦ରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଯେଉଁ ମୌଳିକ ସୁବିଧା ସୁଯୋଗ ଅଛି, ତାହାକୁ କାର୍ଯ୍ୟକାରୀ ନକରି ସେମାନଙ୍କ ସହିତ ଖେଳ ଖେଳୁଛନ୍ତି । ଆମ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯଉଥିବା ବେଳେ ଆମ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଦେଶର କୌଣସି ରାଜ୍ୟରେ ୨୨୦୦ ଗ୍ରେଡ଼ ପେ ନଥିବା ବେଳେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ଦରମା ସପ୍ତମ ବେତନ କମିଶନରେ ୨୨୦୦ ଗ୍ରେଡ଼ ପେ ଦେଇ ସଂଶୋଧନ କରାଗଲା । ବହୁ ଦାବି ସତ୍ତ୍ୱେ କ୍ୟାଡ଼ର ସଂଶୋଧନ କରି ପ୍ରାଥମିକ ଶିକ୍ଷକମାନଙ୍କୁ ୨୮୦୦ ଗ୍ରେଡ଼ ପେ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଲେ । ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ୨୮୦୦ ଗ୍ରେଡ଼ ପେ ଦେଲେନାହିଁ କିନ୍ତୁ କ୍ୟାଡ଼ର ସଂଶୋଧନ କରି ପ୍ରାଥମିକ ଶିକ୍ଷକମାନଙ୍କୁ ବହୁ ଭାଗରେ ବିଭକ୍ତ କରାଯାଇ ଶିକ୍ଷକମାନଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କଲେ । ସରକାର ୨୦୧୯ରେ ଯେଉଁ କ୍ୟାଡ଼ର ସଂଶୋଧନ କଲେ, ସେଥିରେ ଯେଉଁ ସମୟସୀମା ରଖିଲେ, ସେହି କ୍ୟାଡ଼ର ନିୟମ ଯୋଗୁଁ ବହୁ ଶିକ୍ଷକ ପଦୋନ୍ନତିରୁ ବଞ୍ôଚତ ହେଲେ । ତେଣୁ ସରକାର ତୁରନ୍ତ ସମୟସୀମାକୁ କୋହଳ କରିବାକୁ ସଂଘ ଦାବି କରିଛି । କୋଭିଡ଼ ୧୯ ଯୋଗୁଁ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ôଚତ ଅଛନ୍ତି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମିର ବିକାଶ ଯୋଗୁଁ ସେହି ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ପାଠ ପଢିପାରିଲେ । କିନ୍ତୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ଅଭାବ ଯୋଗୁ ଶିକ୍ଷାଦାନରୁ ବଞ୍ôଚତ ହେଲେ । ବର୍ତ୍ତମାନ ପରିସ୍ଥିତିରେ ସରକାର ମନ୍ଦିର, ମସଜିଦ, ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଧର୍ମାନୁଷ୍ଠାନ ଖୋଲିଥିବା ବେଳେ କରୋନା ଆଳ ଦେଖାଇ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଖୋଲିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହି ବିଦ୍ୟାଳୟଗୁଡ଼ିକ ଖୋଲିବାରେ ସରକାରଙ୍କ ଯେଉଁ ଅସଲ ଉଦ୍ଦେଶ୍ୟ ରହିଛି ତାହା ହେଲା ସରକାର ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦବୀଗୁଡ଼ିକ ୪ ବର୍ଷ ହେଲା ପୂରଣ କରିନାହାଁନ୍ତି । ତେଣୁ ବହୁ ଶିକ୍ଷକ ପଦବୀ ରାଜ୍ୟରେ ଖାଲି ପଡ଼ିଛି । ପୁନଶ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବିଇଡ଼ି ଓ ଏମ୍ଇଡ଼ି ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ମାଧ୍ୟମିକ ବିଦ୍ୟାଳୟରେ ପଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କୃତ୍ରିମ ଶିକ୍ଷକ ଅଭାବ ଦେଖାଦେଇଛି । ଅନ୍ୟପଟରେ ବିଦ୍ୟାଳୟଗୁଡ଼ିକରେ ଭିତ୍ତିିଭୂମିର ବିକାଶ ହୋଇନଥିବାରୁ ଆବଶ୍ୟକୀୟ ଶ୍ରେଣୀଗୃହ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନାହିଁ । ତେଣୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଲେ କୋଭିଡ଼ ନିୟମ ପାଳନ କରିବାରେ ଅସୁବିଧା ହେବ । ସରକାର ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ କୋଭିଡ଼ ବାହାନା ଦେଖାଇ ପ୍ରଥମର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାରୁ ବଞ୍ôଚତ କରିଛନ୍ତି । ଗୋଟିଏ ପଟେ ସରକାର ନିଜେ ସରକାରୀ ବିଧି ବ୍ୟବସ୍ଥାକୁ ଭାଙ୍ଗୁଛନ୍ତି ଓ ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ଅନ୍ୟପଟେ ସରକାରୀ ବିଦ୍ୟାଳୟକୁ ମୋ ସ୍କୁଲ ଯୋଜନାରେ ସାମିଲ କରି ସରକାରୀ ବିଦ୍ୟାଳୟକୁ ଘରୋଇକରଣ କରିବା ପାଇଁ ବାଟ ପରିଷ୍କାର କରୁଛନ୍ତି । ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମିର ବିକାଶ ନକରି ବିଦ୍ୟାଳୟଗୁଡ଼ିକ ପୋଷ୍ୟ ରୂପେ ଗ୍ରହଣ କରିବାକୁ ନିବେଦନ କରିବା ଅର୍ଥ ସରକାରୀ ବିଦ୍ୟାଳୟକୁ ଘରୋଇକରଣ କରିବା ପାଇଁ ବାଟ କରୁଛନ୍ତି । ସରକାର ତୁରନ୍ତ ଏଥିରୁ ନିବୃତ୍ତ ରହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟଗୁଡ଼ିକ ତୁରନ୍ତ ଖୋଲିବା, ମାଧ୍ୟମିକ ବିଦ୍ୟାଳୟରେ ପଢାଉଥିବା ବିଇଡ଼ ଓ ଏମ୍ଇଡ଼ି ଯୋଗ୍ୟତାଧାରୀ ପ୍ରାଥମିକ ଶିକ୍ଷକମାନଙ୍କୁ ହାଇସ୍କୁଲକୁ ପଦୋନ୍ନତି ଦେବା, ପ୍ରାଥମିକ ଠାରୁ ମାଧ୍ୟମିକ ଶିକ୍ଷକମାନଙ୍କୁ ଗୋଟିଏ କ୍ୟାଡ଼ରଭୁକ୍ତ କରିବା ଓ ପୁରୁଣା ପେନସନ ନୀତିକୁ ତୁରନ୍ତ ଲାଗୁ କରିବା ଓ ନୂତନ ଜାତୀୟ ଶିକ୍ଷାନୀତିରେ ଛାତ୍ର ଓ ଶିକ୍ଷକ ମାରଣ ନୀତି ଥିବାରୁ ଏହାକୁ ତୁରନ୍ତ ବାତିଲ କରିବା ପାଇଁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସମ୍ପାଦକ ବିଭୂପ୍ରସାଦ ସାହୁ ଦାବି କରିଛନ୍ତି ।
ଖାରବେଳନଗରସ୍ଥିତ ଶ୍ରମିକ ଭବନରେ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଉପସଭାପତି କେଶବ ଚନ୍ଦ୍ର କର, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ଯୁଗ୍ମ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ, ସଂଗଠନ ସମ୍ପାଦକ ସୁଧାଂଶୁ ମଣ୍ଡଳ, ସୁଦାମ ଦଳବରା, ଜିତେନ୍ଦ୍ର କୁମାର ନାୟକ, ନରେଶ କୁମାର ପାତ୍ର, ସବିର ଅଲ୍ଲୀ ଖାନ, ଦିଲ୍ଲୀପ ମିଶ୍ର, ଟୁଲୁ ଦେଇ, ମହେଶ୍ୱର ମହାରଣା, ସୁଧାଂଶୁ ଶେଖର ନାୟକ, ପ୍ରସନ୍ନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।