ପ୍ରଥମାଷ୍ଟମୀ ଆସିଲେ ଖୋଜାପଡ଼ୁଛି କନ୍ଧମାଳ ହଳଦୀପତ୍ର
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଆସନ୍ତା ୨୭ ତାରିଖରେ ପ୍ରଥମାଷ୍ଟମୀ । ପିଠା ପାଇଁ ଦରକାର ପଡ଼ିଥାଏ ହଳଦୀପତ୍ର । ଏନେଇ ପ୍ରଥମାଷ୍ଟମୀ ଆସିଲେ ବ୍ୟବସାୟୀଙ୍କ କନ୍ଧମାଳ ହଳଦୀପତ୍ର କଥା ମନେ ପଡ଼ିଥାଏ । କନ୍ଧମାଳ ଦାରିଙ୍ଗବାଡ଼ିରୁ ହଳଦୀପତ୍ର କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହରକୁ ଯାଉଛି । କନ୍ଧମାଳ ହଳଦୀ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିବାବେଳେ ଜିଆଇ ଟ୍ୟାଗ୍ ମାନ୍ୟତା ମଧ୍ୟ ପାଇଛି । ଏହାର ପତ୍ର ମଧ୍ୟ ଓଡ଼ିଶାର ବିଭିନ୍ନ ସହରରେ ଚାହିଦା ରହିଛି । ଅଷ୍ଟମୀ ଆସିଲେ ଖୋଜାପଡ଼େ ହଳଦୀପତ୍ର । ହଳଦୀପତ୍ରରେ ଏଣ୍ଡୁରୀ ପିଠା କରି ଘରେ ଘରେ ପୂଜା ହୋଇଥାଏ । ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠା ଖାଇବାର ମଜା କିଛି ଅଲଗା । ସ୍ୱାଦିଷ୍ଟ ଯେମିତି ବାସ୍ନା ବି ସେମିତି । ଏହି ହଳଦୀପତ୍ର କାଟି ଚାଷୀ ବିଡ଼ା କରି ବ୍ୟବସାୟୀଙ୍କ ଅପେକ୍ଷାରେ ରହିଥାଏ । ଦର ବିଭିନ୍ନ ପ୍ରକାର ରହିଥାଏ । ଗୋଟିଏ ବିଡ଼ା ପିଛା ୧୦ଟି ପତ୍ର ରହୁଥିବା ବେଳେ ବେପାରୀଙ୍କୁ ୨ ଟଙ୍କାରେ ବିକ୍ରି କରନ୍ତି । ଏହା ବାବଦକୁ ଲୋକ ନିଜର ପାରିଶ୍ରମିକ ବାବଦକୁ ୨ ଶହରୁ ୩ ଶହ ଟଙ୍କା ପାଇଥାଏ । ଦାରିଙ୍ଗବାଡ଼ିରୁ ପ୍ରତିଦିନ ୨ରୁ ୩ ଗାଡ଼ି ହଳଦୀପତ୍ର ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରକୁ ଯାଇଥାଏ ।


