ପ୍ରଥମ ଓଡ଼ିଆ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ର ଥିଲେ ବହୁ ବ୍ୟକ୍ତିତ୍ୱର ଅଧିକାରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅତୁଳନୀୟ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ପ୍ରାଣ, ମହାନ ଆଇନ ବିଶେଷଜ୍ଞ, ବାଗ୍ମୀ, ପ୍ରଥମ ଓଡ଼ିଆ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ରଙ୍କ ୧୪୪ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ ସହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ର ଜଣେ ଅତୁଳନୀୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିପ୍ରାଣ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କାଣ୍ଡାରୀ, କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ସଭ୍ୟ ରହିବା ସହିତ ସାଧାରଣ ଜନତାଙ୍କୁ ଆଇନ ମାଧ୍ୟମରେ କିପରି ନ୍ୟାୟ ମିଳିପାରିବ ସର୍ବଦା ଚେଷ୍ଟିତ ଥିଲେ । ଏହା ସହିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବା ସହ ମା\’ ମାଟି ଓ ମାତୃଭାଷା ପ୍ରତି ସମର୍ପିତ ମନୋଭାବ ସହିତ କାର୍ଯ୍ୟ କରିଆସୁଥିଲେ । ଏହି ଅବସରରେ ସାରସ୍ୱତ କୃତୀ ପାଇଁ ଦୀପକ ମହାନ୍ତି, ରଜତ କୁମାର ମହାନ୍ତି ଓ ସ୍ୱପ୍ନାଙ୍କୁ ଉତ୍କଳ ରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର ସ୍ମୃତି ସମ୍ମାନ ୨୦୨୧ ପ୍ରଦାନ କରାଯାଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜୁ ସାଂସ୍କୃତିକ ସାମ୍ମୁଖ୍ୟ ପ୍ରବୀର ମହାନ୍ତି, ବିଶିଷ୍ଟ ଶିକ୍ଷାବିତ୍ ରମେଶ ଚନ୍ଦ୍ର ପାତାଲ ସିଂହ, ବି. ଉୂରଲୀଧର, ସୀତାବଲ୍ଲଭ ମହାପାତ୍ର, ସରକାରଙ୍କ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସହିତ ଅଭିଯାନର ସଂଯୋଜକ ବାପୁ ଓଝା, ବିଜୟ ପରିଡ଼ା, ଡ. ଅସିତ ଦାସ, କବିତା ସୁବୁଦ୍ଧି, ସତ୍ୟବ୍ରତ ଜେନା, ତନ୍ମୟ ପ୍ରମୁଖ ଯୋଗଦେଇଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।