ପ୍ରଥମ ଗାନ୍ଧିବାଦୀ ଓଡ଼ିଆ ଗୋବିନ୍ଦ ମିଶ୍ରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଦାବି

ଭୁବନେଶ୍ୱର,: ଓଡ଼ିଶାର ପ୍ରଥମ ଗାନ୍ଧିବାଦୀ ନେତା ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରାବନ୍ଧିକ ବିପ୍ଲବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ୧୩୨ତମ ଜନ୍ମ ଜୟନ୍ତୀ ଉତ୍କଳ ବିଶ୍ୱବିଦ୍ୟାଳୟସ୍ଥିତ ମହାତ୍ମା ଗାନ୍ଧୀ ଅହିଂସା ସ୍ଥଳଠାରେ ପାଳିତ ହୋଇଯାଇଛି । ନ୍ୟାସନାଲ ହ୍ୟୁମାନ ୱେଲ୍‌ଫେୟାର ବୋର୍ଡ଼ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସ୍ମୃତିସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶାରଦା ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଓ ଆଦର୍ଶକୁ ଅନୁଶୀଳନ କରିବାରେ ଶ୍ରୀ ମିଶ୍ରଙ୍କର ଅତୁଳନୀୟ ଭୂମିକା ଥିଲା ବୋଲି କହିଥିଲେ । ଓଡ଼ିଶାର ପ୍ରଥମ ଗାନ୍ଧିବାଦୀ ନେତା ତଥା ମହାନ୍ ପ୍ରାବନ୍ଧିକ ଭାବେ ଗୋବିନ୍ଦ ମିଶ୍ରଙ୍କର ଜାତୀୟସ୍ତରରେ ଅନେକ ସୁଖ୍ୟାତି ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କର ସ୍ମୃତିଚାରଣ ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟଜନକ ବୋଲି ମତପୋଷଣ କରିଥିଲେ । ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଏବଂ ଯୁବ ସମାଜସେବୀ ଶିବରାମ ମହାପାତ୍ର ଏହି ଅବସରରେ ଶ୍ରୀ ମିଶ୍ରଙ୍କର ଆଗାମୀ ଦିନରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି ଦାବିକୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଆଗାମୀ ଦିନରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଶତପଥୀ ଘୋଷଣା କରିଥିଲେ । ଏହି ଅବସରରେ ନ୍ୟାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ଼ ଟ୍ରଷ୍ଟ ପକ୍ଷରୁ ପୂଜ୍ୟପୂଜା ପାଇଁ ସମାଜସେବୀ ନିରଞ୍ଜନ ସାହୁ, ବିଶ୍ୱଜିତ ରଣା, ଶିକ୍ଷାବିତ୍ ଡ. ରଜନୀକାନ୍ତ ତରାଇ, କଳାକାର ଶେଖ୍ ଗୁଲଜାର ହୁସେନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତ୍ତା ତଥା ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋବିନ୍ଦ ମିଶ୍ରଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଂଗ୍ରାମ ବଳିଆରସିଂ, ବି. ମୁରଲୀଧର, ଜ୍ୟୋତିରଞ୍ଜନ ସାହୁ, ସଦାଶିବ ନାୟକ, ସତ୍ୟପ୍ରିୟ କର, ସୁଧାଂଶୁ ଶେଖର ସାହୁ, ବିଜୟ ପ୍ରଧାନ, ପ୍ରସନ୍ନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ