ପ୍ରଥମ ଥର ଫାଇନାଲରେ ଦିଲ୍ଲୀ, ମୁମ୍ବାଇ ସହ ମଙ୍ଗଳବାର ଟ୍ରଫି ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଦୀର୍ଘ ପ୍ରତିକ୍ଷାର ଅବସାନ ଘଟିଛି। ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଉଦୟ ହେବାର କୌଣସି ସୁଯୋଗ ନଦେଇ ଫାଇନାଲରେ ସ୍ଥାନ ପକ୍କା କରି ନେଇଛି ଶ୍ରେୟସ୍ ଆୟରଙ୍କ ଦଳ। ଆଇପିଏଲ୍‌ର ଗତ ୧୨ ଋତୁରେ ଏକାଧିକବାର ଫାଇନାଲ୍ ଦ୍ବାରରେ ପହଞ୍ଚିଥିଲା ଦିଲ୍ଲୀ। ହେଲେ ଶେଷ କ୍ଷଣରେ ଏହି ଦଳ ହାତରୁ ଖସି ଯାଉଥିଲା ଟ୍ରଫି ଲଢ଼େଇ ଟିକେଟ। ଏଥର କିନ୍ତୁ ପ୍ରତୀକ୍ଷିତ ଲକ୍ଷ୍ୟକୁ ହାସଲ କରି ନେଇଛି ଦୁଇ ଥର ସେମିଫାଇନାଲିଷ୍ଟ ଦଳ। ରବିବାରର ଉତ୍କଣ୍ଠାପୂର୍ଣ୍ଣ , ରୋମାଞ୍ଚକର ତଥା ନାଟକୀୟ ଦ୍ବିତୀୟ କ୍ବାଲିଫାୟରରେ ସନ୍‌ରାଇଜର୍ସକୁ ୧୭ ରନ୍‌ରେ ହରାଇ ପ୍ରଥମ ଥର ଆଇପିଏଲ୍ ଫାଇନାଲ୍‌ରେ ପ୍ରବେଶ କରିଛି ଦିଲ୍ଲୀ। ଏବେ ମଙ୍ଗଳବାର ଟ୍ରଫି ଟକ୍କରରେ ଚାରି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ମୁକାବିଲା କରିବ। ଦିଲ୍ଲୀ ତା’ ସହ ଗତବର୍ଷ ଏଲିମିନେଟର ପରାଜୟର ମଧୁର ପ୍ରତିଶୋଧ ନେଇଛି। ଗତବର୍ଷ ଦିଲ୍ଲୀକୁ ହରାଇ ହାଇଦ୍ରାବାଦ କ୍ବାଲିଫା‌ୟରକୁ ଯାଇଥିଲା। ଏବର୍ଷ ହାଇଦ୍ରାବାଦକୁ ପଥଚ୍ୟୁତ କରି ଫାଇନାଲ ଖେଳିବାକୁ ଯାଉଛି ରାଜଧାନୀ ଏକ୍ସପ୍ରେସ୍ ଭାବେ ପରିଚିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳ। ରବିବାର ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ସନ୍‌ରାଇଜର୍ସ ମାତ୍ର ୧୨ ରନ୍‌ରେ ଅଧିନାୟକ ଡେଭିଡ୍ ୱାର୍ନର (୨)ଙ୍କୁ ହରାଇଥିଲା। ତେବେ କେନ୍ ୱିଲିୟମସନ୍ (୬୭ ରନ୍, ୪୫ ବଲ୍, ୫ ଚୌକା, ୪ ଛକା)ଙ୍କ ଦ୍ରୁତ ଓ ଲଢ଼ୁଆ ଅର୍ଧଶତକ ସହ ଅବଦୁଲ ସମଦଙ୍କ ୧୬ ବଲ୍, ୩୩ (୨ ଚୌକା, ୨ ଛକା) ରନ୍ ବଳରେ ଦିଲ୍ଲୀ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେବାର ନିକଟରେ ପହଞ୍ଚି ଯାଇଥିଲା। ଠିକଣା ସମୟରେ ୱିଲିୟମସନଙ୍କୁ କୌଶଳ କ୍ରମେ ଆଉଟ୍ କରି ମାର୍କସ ଷ୍ଟୋଇନିସ୍ ମ୍ୟାଚ୍‌ର ମୋଡ଼ ପୂରା ବଦଳାଇ ଦେଇଥିଲେ। ରସିବ ଖାନ୍ ଏକ ଦର୍ଶନୀୟ ଛକା ମାରି ହାଇଦ୍ରାବାଦ ପାଇଁ ଆଶା ସୃଷ୍ଟି କରିଥିଲେ। ତେବେ ୱିକେଟ୍ ବଞ୍ଚାଇ ପାରି ନଥିଲେ। ଏହା ପରେ ନିୟମିତ ୱିକେଟ୍ ହରାଇ ହାଇଦ୍ରାବାଦ ୮ ୱିକେଟ୍ ବିନିମୟରେ ୧୭୨ ରନ୍ କରି ପରାଜିତ ହେବା ସହ ଚଳିତ ଆଇପିଏଲ୍‌ରୁ ବିଦାୟ ନେଇଥିଲା। ବିସ୍ଫୋରକ ସମଦଙ୍କ ସହ ହାଇଦ୍ରାବାଦର ଶେଷ ତିନିଟି ୱିକେଟ୍‌ ନେଇ କାଗିସୋ ରବାଦା ମଧ୍ୟ ପୁନର୍ବାର ବାଇଗଣୀ ଟୋପୀ ଫେରି ପାଇଥିଲେ। ହେଲେ ଷ୍ଟୋଇନିସ୍ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ