ପ୍ରଥମ ଥର ମୁଖ୍ୟ ଭୂମିକାରେ ଅପାରଶକ୍ତି!
ମୁମ୍ବାଇ : ଜାତୀୟ ପୁରସ୍କାର ବିଜେତା ଆୟୁଷ୍ମାନ ଖୁରାନାଙ୍କ ସାନ ଭାଇ ଅପାରଶକ୍ତି ଖୁରାନା ପତି ପତ୍ନୀ ଔର ୱ, ଦଙ୍ଗଲ, ସ୍ତ୍ରୀ ଓ ଲୁକ୍କାଛୁପ୍ପି ଭଳି ଫିଲ୍ମରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିସାରିଛନ୍ତି। ବଲିଉଡ୍ରେ ଅନେକ ଫିଲ୍ମରେ ଜବରଦସ୍ତ ଅଭିନୟ କରି ଅପାରଶକ୍ତି ନିଜକୁ ପ୍ରମାଣିତ କରି ସାରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେ ଫିଲ୍ମରେ ସହଅଭିନେତା ଚରିତ୍ରରେ ନଜର ଆସୁଥିଲେ। କିନ୍ତୁ ଏବେ ଲାଗୁଛି ଖୁବ୍ଶୀଘ୍ର ଅପାରଶକ୍ତି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ରିପୋର୍ଟ ମୁତାବକ ଅପାରଶକ୍ତି ଅଭିନେତ୍ରୀ ପ୍ରନୂତନ ବହଲଙ୍କ ବିପକ୍ଷରେ ନଜର ଆସିବେ ବୋଲି ଶୁଣାଯାଉଛି। ଏହି ଫିଲ୍ମକୁ ଡିନୋ ମୋରିଆ ପ୍ରଯୋଜନା କରୁଛନ୍ତି। ଦୀର୍ଘ ଦିନ ହେଲାଣି ଅପାରଶକ୍ତିଙ୍କ ପ୍ରଶଂସକମାନେ ତାଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ଚାହୁଥିଲେ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଫିଲ୍ମ ‘ପତି ପତ୍ନୀ ଔର ୱ’ଫିଲ୍ମରେ ଅପାରଶକ୍ତିଙ୍କ ଅଭିନୟକୁ ଦର୍ଶକ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି। ସେହିପରି ପ୍ରନୂତନ ବହଲ ‘ନୋଟ୍ବୁକ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଯେଉଁଥିରେ ତାଙ୍କ କାମକୁ ଖୁବ୍ ପସନ୍ଦ କରାଯାଇଥିଲା। କୁହାଯାଉଛି ଅପାରଶକ୍ତି ଓ ପ୍ରନୂତନ ଅଭିନୟ କରିବାକୁ ଯାଉଥିବା ଏହି ଫିଲ୍ମର ନାମ ‘ହେଲ୍ମେଟ’ ରଖାଯିବ ବୋଲି। ୨୦୨୦ରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି।


