ପ୍ରଥମ ଦୃଷ୍ଟିବାଧିତ ମହିଳା ତୀରନ୍ଦାଜୀ ପ୍ରତିଯୋଗିତାର ଲୋଗୋ ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ଦିବସରେ ଭାରତର ପ୍ରଥମ ଥର ପାଇଁ ଦୃଷ୍ଟିବାଧିତ ମହିଳା ତୀରନ୍ଦାଜୀ ପ୍ରତିଯୋଗିତା ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ଭାରତ ସରକାରଙ୍କ ନିଯୁକ୍ତି ମହାନିର୍ଦ୍ଦେଶାଳୟ ପରିସରରେ ଆୟୋଜିତ ହେବାକୁ ଯାଉଛି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭାରତ ସରକାରଙ୍କ ନିଯୁକ୍ତି ମହାନିର୍ଦ୍ଦେଶାଳୟ ଏବଂ ସାମାଜିକ ଅନୁଷ୍ଠାନ ‘ବୁଲସ୍ଆଇ’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରତିଯୋଗିତାର ଲୋଗୋକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ସରକାରୀ ବାସଭବନ ଠାରେ ଆନୁଷ୍ଠାନିକ ରୂପେ ଉନ୍ମୋଚିତ କରିବା ସହ ଖେଳାଳି ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଲୋଗୋର ନିମ୍ନ ଭାଗରେ ଇଂରାଜୀ ଭାଷାରେ ଫୋକ୍ସ ଅନ୍ ଏବିଲିଟି, ନଟ୍ ଡିସାବିଲିଟିର ଏକ ପ୍ରେରଣାଦାୟୀ ଟ୍ୟାଗ୍ ଲାଇନ୍ ରହିଛି । ଉନ୍ମୋଚନ କାର୍ଯ୍ୟକ୍ରମରେ ‘ବୁଲ୍ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ଉପଦେଷ୍ଟା ଡ. ରଶ୍ମୀ ରଂଜନ ସାହୁ, ଶିବାନୀ ଶଶୀକାନ୍ତା ମହାନ୍ତି ଏବଂ କୋଷାଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଉର୍ଦ୍ଧ୍ୱ ଖେଳାଳି ଏହି ତୀରନ୍ଦାଜୀ ପ୍ରତିଯୋଗିତାରେ ଭାଗନେବା ପାଇଁ ଇତି ମଧ୍ୟରେ ନାମ ପଞ୍ଜୀକରଣ କରିଥିବାର ଜଣାପଡିଛି ।


