ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ବାଲେଶ୍ୱର, (ସରୋଜ ପଣ୍ଡା) :-ପଂଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଭୋଗରାଇ ଓ ଜଳେଶ୍ୱର ବ୍ଲକରେ ଫେବୃଆରୀ ୧୬ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବେଳେ ପୋଲିଂ ଅଧିକାରୀମାନେ ଆସନ୍ତା ୧୪ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ବିତରଣ କେନ୍ଦ୍ରରେ ରିପୋର୍ଟ କରିବେ । ଭୋଗରାଇ ପାଇଁ ୬୯୦ଟି ପୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଥିବା ବେଳେ ୬୭ଟି ପୋଲିଂ ପାର୍ଟିକୁ ରିଜର୍ଭ ଭାବେ ରଖାଯାଇଛି । ସେହିପରି ଜଳେଶ୍ୱର ନିମନ୍ତେ ୪୪୬ଟି ପୋଲିଂ ପାର୍ଟିକୁ ନିୟୋଜିତ କରାଯିବା ସହିତ ୪୪ଟି ପୋଲିଂ ପାର୍ଟିକୁ ରିଜର୍ଭ ରଖାଯାଇଛି । ପ୍ରତି ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଧିକାରୀ, ପ୍ରଥମ ପୋଲିଂ ଅଧିକାରୀ ଏବଂ ଦ୍ୱିତୀୟ ପୋଲିଂ ଅଧିକାରୀ ରହିଛନ୍ତି । ଏଥି ସହିତ ସେମାନଙ୍କ ସାଙ୍ଗରେ ସୁରକ୍ଷାକର୍ମୀ ମଧ୍ୟ ରହିବେ । ଆସନ୍ତା ୧୪ତାରିଖ ଦିନ ଭୋଗରାଇ ଆର.ଆଇ.ଏଚ.ଏସ୍‌. କଲେଜ ଏବଂ ସୁଗୋ ସ୍ଥିତ ଡି.କେ.କଲେଜ ବିତରଣ କେନ୍ଦ୍ରରେ ପୋଲିଂ ଅଧିକାରୀମାନେ ରିପୋର୍ଟ କଲା ପରେ ନିର୍ଦ୍ଧାରିତ କାଉଂଟରରୁ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ନେଇ ନିଜ ନିଜ ବୁଥ୍‌କୁ ଯାତ୍ରା କରିବେ । ମତଦାନ ପୂର୍ବରୁ ପୋଲିଂ ବୁଥ୍‌ରେ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସାରିବା ସହିତ କୌଣସି ସମସ୍ୟା ଥିଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ସମସ୍ତ ପ୍ରକାର ବାଲଟ ପେପର, ଫର୍ମ, ଭୋଟବାକ୍ସକୁ ପ୍ରସ୍ତୁତ କରିବା ସହିତ ବିଜୁଳି, ପାଣି, ଶୌଚାଳୟ, କୋଭିଡ୍ ନିୟମର ଅନୁପାଳନ ପ୍ରତି ସେମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବେ । ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି । ଏଥିପାଇଁ ମାଜିଷ୍ଟ୍ରେଟ ଓ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଉତେଜନାପ୍ରବଣ ଏବଂ ଅତି ଉତେଜନାପ୍ରବଣ ବୁଥ ଗୁଡିକ ଉପରେ ନଜର ରଖିବା ସହ ଆଇନଶୃଙ୍ଖଳା ପରିସ୍ଥିତ ଦେଖାଦେଲେ ତୁରନ୍ତ ତାହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ