ପ୍ରଥମ ପ୍ରତିମା ପୁରସ୍କାର ଉତ୍ସବ-୨୦୨୩
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ଫାଉଣ୍ଡେସନ ତରଫରୁ ଗୁରୁବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ପ୍ରଥମ ପ୍ରତିମା ପୁରସ୍କାର ଉତ୍ସବ-୨୦୨୩’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କବି ଓ ସାମ୍ବାଦିକ କେଦାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସମାଜରେ ଶିକ୍ଷା ଓ ପ୍ରତିମା ଦେବୀଙ୍କ ପରି ଶିକ୍ଷକର ଭୂମିକା ଏବଂ ପାରମ୍ପରିକ କଳାକୁ ବଞ୍ଚାଇ ରଖିବାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ବିକଳ୍ପ ଶିକ୍ଷା କ୍ଷେତ୍ରକୁ ପ୍ରତିମା ଦେବୀଙ୍କ ଅବଦାନ ବିଷୟରେ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଲାଭ କରିଥିବା ବିଶିଷ୍ଟ ଗବେଷିକା, ଶିକ୍ଷାବିତ୍, ହିନ୍ଦି କବି ତଥା ଉତ୍ସବର ମୁଖ୍ୟ ବକ୍ତା ଡକ୍ଟର ଶେଫାଳୀ ନନ୍ଦନ ପ୍ରତିମା ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ସେ ଶିଶୁ ମନସ୍ତତ୍ତ୍ୱ, ମାନସିକ ଚାପ, ଡିପ୍ରେସନ ଆଦି କାରଣ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତିମା ଦେବୀଙ୍କ ପରି ଜଣେ ଶିକ୍ଷକଙ୍କର ଭୂମିକା କିପରି ଏବେକାର ସମୟରେ ଖୁବ୍ ଜରୁରୀ, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସେ ପ୍ରତିମା ଦେବୀଙ୍କ ବିକଳ୍ପ ଶିକ୍ଷା ପ୍ରୟୋଗ ଉପରେ କରିଥିବା ଗବେଷଣା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଯାହା ତାଙ୍କ ପିଏଚ୍ଡି ନିବନ୍ଧରେ ସ୍ଥାନ ପାଇଛି । ଏଥିସହିତ ପ୍ରତିମା ଦେବୀଙ୍କ ପ୍ରବନ୍ଧ ପୁସ୍ତକ ‘ସହଜ ମଣିଷ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ଯେଉଁଥିରେ ପିଲାଙ୍କ ସହ ତାଙ୍କର ସ୍ମୃତି ଓ ବିକଳ୍ପ ଶିକ୍ଷା ପ୍ରୟୋଗର ପ୍ରକ୍ରିୟା ଓ ଅନୁଭବ ରହିଛି ।ଏହି ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ଓ ଅନୁବାଦକ ଶ୍ରୀଯୁକ୍ତ ଅସିତ ମହାନ୍ତିଙ୍କୁ ଓଡ଼ିଆ ପ୍ରବନ୍ଧ ଜଗଜକୁ ତାଙ୍କର ଅବଦାନ ପାଇଁ ‘ପ୍ରଥମ ପ୍ରତିମା ସାହିତ୍ୟ ସମ୍ମାନ-୨୦୨୩, ବିଶିଷ୍ଟି ଶିକ୍ଷାବିତ୍ ଶ୍ରୀଯୁକ୍ତ ତ୍ରିନାଥ ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ‘ପ୍ରଥମ ପ୍ରତିମା ଶିକ୍ଷା ସମ୍ମାନ-୨୦୨୩’ ଏବଂ ଢୋକରା ଶିଳ୍ପୀ ଶ୍ରୀମତୀ ବାସନ୍ତୀ ବେହେରାଙ୍କୁ ପାରମ୍ପରିକ କଳା କ୍ଷେତ୍ରରେ ଅବଦାନ ପାଇଁ ‘ପ୍ରଥମ ପ୍ରତିମା ଶିଳ୍ପୀ ସମ୍ମାନ-୨୦୨୩’ ସହିତ ଫଳକ, ମାନପତ୍ର, ଉତ୍ତରୀୟ ଏବଂ ୫ହଜାର ଟଙ୍କା ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ସଂଯୋଜନା କରିଥିଲେ ଚଳଚ୍ଚିତ୍ର ଅଭିନେତ୍ରୀ ମଧୁମିତା ମହାନ୍ତି । ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁମିତ୍ରା ପାଢୀ ସଂଗଠନର ଉଦ୍ଦେଶ୍ୟ ଓ ପ୍ରତିମା ଦେବୀଙ୍କ ଜୀବନ ସମ୍ପର୍କରେ ସୂଚନା ଦେବା ସହ ପ୍ରତିବର୍ଷ ମେ ମାସ ୪ ତାରିଖ ପ୍ରତିମା ଦେବୀଙ୍କ ଜନ୍ମ ଦିବସରେ ଏହି ପୁରସ୍କାର ଉତ୍ସବ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ବିଶିଷ୍ଟ କବି ଓ ସ୍ତମ୍ଭକାର ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ ।