ପ୍ରଥମ ରୋବଟିକ୍ ହ୍ୟାଣ୍ଡ
ଆଇଆଇଟି କାନପୁରର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ରୋବଟିକ ହ୍ୟାଣ୍ଡ୍ ବିକାଶ କରିଛନ୍ତି । ଷ୍ଟ୍ରୋକ୍ ପରେ ଯେଉଁମାନଙ୍କ ହାତ କାମ କରୁନି ସେମାନଙ୍କୁ ଏହା ସାହାଯ୍ୟ କରିବ । ଏହାର ପରୀକ୍ଷା ମଧ୍ୟ ଶେଷ ହୋଇଛି । ରୋବଟିକ ହ୍ୟାଣ୍ଡ୍ର ନାମ ରଖାଯାଇଛି ଏକ୍ସୋସ୍କେଲିଟନ୍ । ଦୁଇ ଅଙ୍ଗୁଳି ବିଶିଷ୍ଟ ଏହି ହ୍ୟାଣ୍ଡ୍ ଫୋର୍-ବାର୍ ମେକାନିଜିମ ବ୍ୟବହାର କରିପାରିବ ଏବଂ ଏହାର ଫୋର୍ ଡିଗ୍ରୀଜ ଅଫ୍ ଫ୍ରିଡମ୍ (ଡିଓଏଫ)ବି ରହିଛି । ଏକ୍ସୋସ୍କେଲିଟନ୍କୁ ବିକାଶ କରିବାରେ ମୁଖ୍ୟ ଭୂମିକା ନେଇଥିବା ପ୍ରଫେସର ଆଶିଷ ଦତ୍ତ ଓ ପ୍ରଫେସର କେ. ଏସ. ଭେଙ୍କଟେସ କହନ୍ତି, ପରାଲିସିସ୍ରେ ପୀଡ଼ିତ ରୋଗୀର ହାତରେ ଲଗାଇ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ)କୁ ମୁଣ୍ଡରେ ପିନ୍ଧିବାକୁ ହେବ । ଏହା ସାହାଯ୍ୟରେ ରୋବଟିକ ହ୍ୟାଣ୍ଡ୍ ବ୍ରେନ୍ ସିଗ୍ନାଲକୁ ଗ୍ରହଣ କରି କାମ କରିବ । ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ୟମା ଅଙ୍ଗୁଳିକୁ ଖୋଲିବା ଓ ବନ୍ଦ କରିବାରେ ସାହାଯ୍ୟ କରିବ । ଏକ୍ସୋସ୍କେଲିଟନକୁ ମାଇକ୍ରୋକଣ୍ଟ୍ରୋଲର ଦ୍ୱାରା ନିୟନ୍ତ୍ରଣ କରାଯିବ ଓ ବ୍ୟାଟେରୀ ଦ୍ୱାରା ଚାଲିବ । ଏହାର ଦାମ ରଖାଯାଇଛି ୧୫,୦୦୦ ଟଙ୍କା । ଫିଙ୍ଗର ଟିପ୍ ପ୍ରେସର ନିୟନ୍ତ୍ରଣ କରିବା ପାଇଁ ଏଥିରେ ଏକ ସେନ୍ସର ଲଗାଯାଇଛି । ଯଦି ପୀଡ଼ିତ ଅଙ୍ଗୁଳି ବନ୍ଦ କରିପାରିବେ ତେବେ ଡିଭାଇସ୍ ତାହାକୁ ସକାରାତ୍ମକ ଭାବେ ଗ୍ରହଣ କରିନେବ । ନଚେତ ଏହା ବଳ ପ୍ରୟୋଗ କରି ବିସିଆଇ ନିର୍ଦ୍ଦେଶରେ ସିଗ୍ନାଲ ବ୍ୟବହାର କରି ଅଙ୍ଗୁଳିକୁ ବନ୍ଦ କିମ୍ବା ଚାଳନା କରିବ । ୨୦୧୮ରେ ଏହା ଲାଗି ଭାରତର ମାନବ ସମ୍ବଳ ବିକାଶ ବିଭାଗ ଓ ଦି ବ୍ରିଟିଶ କାଉନ୍ସିଲର ୫୫ ଲକ୍ଷର ପ୍ରୋଜେକ୍ଟକୁ ମଞ୍ଜୁରି ମିଳିଥିଲା । ରୋବଟିକ ହ୍ୟାଣ୍ଡକୁ ୟୁନିଭର୍ସିଟି ଅଫ୍ ଅଲଷ୍ଟର୍(ଇଂଲଣ୍ଡ)ର ମିଳିତ ଗବେଷଣାରେ ବିକାଶ କରାଯାଇଛି । ଏହି ଗବେଷଣା ସମ୍ବନ୍ଧୀୟ ତଥ୍ୟ ଜର୍ନାଲ ଅଫ୍ ନ୍ୟୁରୋ ସାଇନ୍ସ, ବାୟୋମେଡିକାଲ ଆଣ୍ଡ୍ ହେଲ୍ଥ୍ ସାଇନ୍ସ, ହାପ୍ଟିକସ ଆଣ୍ଡ୍ ଇଞ୍ଜିନିୟରିଂ ଇନ୍ ଦି ମେଡିକାଲ ଆଣ୍ଡ୍ ବାୟୋଲାଜି ସୋସାଇଟିରେ ପ୍ରକାଶ ପାଇଛି ।


