ପ୍ରଦୀପ୍ତ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଗଜପତିର ଗୁମ୍ମା ଟିମ୍ ଚାମ୍ପିୟନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଏକ ସପ୍ତାହ ଧରି ଚାଲିଥିବା ପ୍ରଦୀପ୍ତ ପଟ୍ଟନାୟକ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ସୋମବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ଆୟୋଜିତ ଦିବାରାତ୍ର ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗଜପତି ଜିଲ୍ଲାର ଗୁମ୍ମା ଗ୍ରାମ ଭଲିବଲ ଦଳ ପ୍ରତିପକ୍ଷ କନ୍ଧମାଳ ଜିଲ୍ଲାର ବାରଖମା ଭଲିବଲ ଦଳକୁ ୩-୨ ସେଟରେ ହରାଇ କ୍ରମାଗତ ଦ୍ବିତୀୟ ଥର ପାଇଁ ଚାମ୍ପିୟନ ହୋଇପାରିଛି । ଫାଇନାଲ ମ୍ୟାଚ ଆରମ୍ଭ ପୂର୍ବରୁ ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଦୁଇ ଦଳର ସଂଘର୍ଷ ପୂର୍ଣ୍ଣ ହାଇ ଭୋଲଟେଜ ମ୍ୟାଚ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ୫ ସେଟ୍ ବିଶିଷ୍ଟ ମ୍ୟାଚରେ ଉଭୟ ଦଳ ପ୍ରଥମ ୪ ସେଟ୍ ରୁ ୨ ସେଟ୍ ଜିତି ଥିବା ବେଳେ ମ୍ୟାଚ ର ଶେଷ ସେଟ୍ ଟି ଗୁମ୍ମା ଦଳ ବାଜି ମାରିଥିଲା । ଉଦଯାପନୀ ସମାରୋହରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା , ବଡ଼ ଖେମୁଣ୍ଡି ରାଜପୁତ୍ର ଶ୍ରୀଧର ଦେଓ , ଫାସିଗୁଡା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ , ସମାଜସେବୀ ଗଣେଶ ବ୍ରହ୍ମା , ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ବିକାଶ ପଶୁପାଳକ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ। ବିଜେତା ଦଳକୁ ୩୩୩୩୩ ଟଙ୍କା ଓ ପରାଜିତ ଦଳକୁ ୨୨୨୨୨ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିସହ ବାରଖମା ଦଳର ଢାମଣା ଭାଇ ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇ ମୁଖ୍ୟଅତିଥି ଙ୍କ ଦ୍ଵାରା ପ୍ରଦତ୍ତ ଏକ ବାଇ ସାଇକେଲ ପ୍ରଦାନ କରାଯାଇଥିଲା ।କ୍ରୀଡାପ୍ରେମୀ ଅର୍ବ୍ଦୁ . ଗୋବିନ୍ଦଙ୍କ ସଂଯୋଜନାରେ ଆୟୋଜକ କମିଟି ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , କୋଷାଧ୍ୟକ୍ଷ ତଥା କାଉନସିଲର ଦୀପକ କୁମାର ମିଶ୍ର , ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ, କେ . କୁନା ପ୍ରମୁଖ ସମଗ୍ର ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଗୋବିନ୍ଦ ନାୟକ ମ୍ୟାଚ ରେଫେରି ଥିବା ବେଳେ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ବୃନ୍ଦ ସମସ୍ତ ମ୍ୟାଚ ତଦାରଖ କରିବାରେ ସହଯୋଗ କରିଥିଲେ ।