ପ୍ରଦୂଷଣର ମାତ୍ରା ବୃଦ୍ଧି ହେତୁ ଅଣନିଃଶ୍ୱାସୀ ଯୋଡାବାସୀ
ଯୋଡା, (ସମୀର କୁମାର ଦାସ): ଯୋଡା ସହରାଂଚଳରେ ପରିବହନ ଜନିତ ଧୂଳିଧୂଆଁ ହେତୁ ପ୍ରଦୂଷଣର ମାତ୍ରା ଅତ୍ୟଧିକ ବୃଦ୍ଧି ପାଇଛି । ଯୋଡା ସହର ଦେଇ ଶହଶହ ଖଣିଜ ବୋଝେଇ ଟ୍ରକ ଡମ୍ପର ଯାତାୟାତ ହେଉଥିବାରୁ ପ୍ରବଳ ଧୂଳି ଉଡି ଅଂଚଳ ପ୍ରଦୂଷିତ ହେଉଛି । ଯାହା ଫଳରେ ଧୂଳିଧୂଆଁ ହେତୁ ଯୋଡାବାସୀ ଅଣନିଶ୍ୱାସୀ ହେଉଛନ୍ତି । ଅଣତାଲିମ ପ୍ରାପ୍ତ, ଅନଭିଜ୍ଞ ଡ୍ରାଇଭର, ପଡୋଶୀ ଝାଡଖଣ୍ଡରୁ ଜାଲ ଲାଇସେନ୍ସ ପ୍ରାପ୍ତ ଆଣି ଭାରିଯାନ ଚଳାଉଛନ୍ତି । ଏଣୁ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଅତୀତରେ ସ୍ୱଳ୍ପ ଲୁହାପଥର ଉତୋଳନ ହେତୁ ଜଙ୍ଗଲ ଥିଲା । ସହରର ପରିବେଶ ମଧ୍ୟ ସ୍ୱଚ୍ଛ ଥିଲା । ଖଣିଖନନ ବୃଦ୍ଧି ହେତୁ ଜଙ୍ଗଲ କାଟ ହେଉଛି । ୨୦୧୮-୧୯ ରେ ବାର୍ଷିକ ୧୫ ଲକ୍ଷ ମେଟ୍ରିକ ଟନ୍ରୁ ଉର୍ଦ୍ଧ୍ୱ ଖଣିଜ କେବଳ ଯୋଡା ଖଣିମଣ୍ଡଳରୁ ଟ୍ରକ ଓ ଡମ୍ପର ଜରିଆରେ ବାହାରକୁ ପରିବହନ ହେଉଥିଲା । ଏହାକୁ ବିଶ୍ଳେଷଣ କଲେ ମାସିକ ୧ ଲକ୍ଷ ଟନ୍ରୁ ଉର୍ଦ୍ଧ୍ୱ ଖଣିଜ ସଡକ ପଥରେ ପରିବହନ ହେଉଛି । ଫଳରେ ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି । ଭିତିଭୂମିର ବିକାଶ ନ ହୋଇ ଲକ୍ଷାଧିକ ଟନ୍ ଖଣିଜ ଓ ପିଲେଟ୍ ପରିବହନ ହେତୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ପରିବେଶବିତ୍ ମାନେ କହୁଛନ୍ତି, ୧ କ୍ୟୁବିକ ମିଟର ଅଂଚଳରେ ୧ ଶହ ମାଇକ୍ରୋ ଗ୍ରାମ ଧୂଳିକଣା ରହିବା ଏକ ସ୍ୱଭାବିକ ଅବସ୍ଥା । ଯୋଡା ଉପତ୍ୟକାରେ ଧୂଳିକଣାର ମାତ୍ରା ତିନି ଗୁଣାରୁ ଅଧିକ ବୃଦ୍ଧି ପାଉଛି । ଯାହାକି ୧ କ୍ୟୁବିକ ମିଟର ଅଂଚଳରେ ୧ ଶହ ମାଇକ୍ରୋଗ୍ରାମ ତୁଳନାରେ ୩୦୦ ମାଇକ୍ରୋ ଗ୍ରାମରୁ ଅଧିକ । ଏହା ଏକ ଉଦ୍ବେଗର ବିଷୟ । ଏ ନେଇ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ଅପରାହ୍ନ ୨ ଟାରୁ ୩ ଟା ପର୍ଯ୍ୟନ୍ତ ଏବଂ ରାତି ୮ ଟାରୁ ଭୋର୍ ୬ ଟା ପର୍ଯ୍ୟନ୍ତ ଭାରିଯାନ ଯୋଡା ମୁଖ୍ୟରାସ୍ତା ଦେଇ ଯାତାୟାତ କରୁଛି । ଡିଷ୍ଟ୍ରିକ ମିନେରାଲ ଫାଉଣ୍ଡେଶନ (ଡି.ଏମ.ଏଫ) ଜରିଆରେ ୨୦୧୫ ରୁ ଏଯାବତ ପ୍ରାୟ ୩ ହଜାର କୋଟି ଟଙ୍କା ଆଦାୟ ହୋଇଛି । ଏହି ଅର୍ଥ ଅଂଚଳର ପ୍ରଦୂଷଣ ଜନିତ ସମସ୍ୟା ଏବଂ ଭିତିଭୂମି ବିକାଶ ଦିଗରେ ଖର୍ଚ୍ଚ କରାଯାଉନାହିଁ ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି । ପ୍ରଶାସନିକ ଅବହେଳା, ରାଜନୈତିକ ଇଛା ଶକ୍ତିର ଅଭାବ ହେତୁ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସହର ମଧ୍ୟଦେଇ ଯାଇଥିବା ରାସ୍ତାରେ ଭାରିଯାନ ଚଳାଚଳର ବିକଳ୍ପ ଭାବେ ରଣାଶାଳ ଠାରୁ କମାରଯୋଡା ପର୍ଯ୍ୟନ୍ତ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ଯୋଡା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା ଏବଂ ଏଥିପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ ମଧ୍ୟ ମିଳିଛି । ଯୋଡାର ଯୁବ ସଂଗଠକ ମାନସ ଦାସ କହିଛନ୍ତି ଯେ, ବାମେବାରୀ ଠାରୁ ରଣାଶାଳ ପର୍ଯ୍ୟନ୍ତ ରାସ୍ତା ଆଉ ନାହିଁ । ଟ୍ରକ୍ ଓ ଡମ୍ପର ଗୁଡିକ ଆପସ ବୁଝାମଣାରେ ଗାଡି ଚଳାଇ ରାସ୍ତା ନିରୀକ୍ଷଣ କରୁଛନ୍ତି । ଏ ସମ୍ପର୍କରେ ଯୋଡାର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ମହାନ୍ତି ଓ ବରିଷ୍ଠ ଆଇନଜୀବି ଏସ୍.କେ ତ୍ରିପାଠୀ କହିଛନ୍ତି ଯେ, କୋମାରଯୋଡା ଠାରୁ ସହର ମଧ୍ୟଦେଇ ରାତି ୮ଟା ପରେ ଯାତାୟାତ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ବିଭିନ୍ନ ଖଣି ଅଂଚଳରେ ଲିଜ୍ଧାରୀ ମାନେ ଜଳ ସିଂଚନ କରି ଖଣି ରାସ୍ତାକୁ ପ୍ରଦୂଷଣର ମାତ୍ରାକୁ କମ୍ କରୁଥିବା ବେଳେ ଯୋଡା ସହରରେ କୌଣସି କମ୍ପାନୀ ମୁଖ୍ୟ ରାସ୍ତାରେ ଜଳ ସିଂଚନ କରୁନାହାନ୍ତି । କେନ୍ଦୁଝର ଜିଲାପାଳଙ୍କ ବୈଠକରେ ପାଣି ପକାଇବା ପାଇଁ ନିର୍ଦେଶ ହୋଇଥିବାବେଳେ ଏହା ଖୋଲାଖୋଲି ଭାବେ ବିଭିନ୍ନ କମ୍ପାନିମାନେ ଉଲଂଘନ କରୁଛନ୍ତି ।