ପ୍ରଦୂଷଣ ଦୂର କରିବ ଜୈବ ପରଦା
ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ । ଏହି ପରଦାର ନାମ ରଖାଯାଇଛି ଫଟୋସିନ୍ଥେଟିକା । ୨୦ଟି ଗଛ ଯେତିକି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରେ ଗୋଟିଏ ଫଟୋସିନ୍ଥେଟିକା ତାହା କରିପାରିବ । ଡିଜିଟାଲ ଡିଜାଇନର ବାୟୋପ୍ଲାଷ୍ଟିକରେ ଏହି ପରଦା କରାଯାଇଛି । ଏହା ଫଟୋବାୟୋରିଅକ୍ଟର ଭାବେ କାମ କରେ । ଦିନରେ ସୌର ରଶ୍ମି ଗ୍ରହଣ କରି ପରଦାରେ ଥିବା ମାଇକ୍ରୋ ଶୈବାଳକୁ ଖାଦ୍ୟ ଯୋଗାଏ । ପରଦାରେ ଥିବା ଶୈବାଳ ପ୍ରଦୂଷିତ ବାୟୁରୁ କାର୍ବନଡାଇଅକ୍ସାଇଡ ଅବଶୋଷଣ କରି ଅମ୍ଳଜାନ ଛାଡିଥାଏ । ଦୁଇ ମିଟର ଚଉଡା ଓ ୭ ମିଟର ଲମ୍ବର ଏହି ପରଦାରେ ବାୟୋପ୍ଲାଷ୍ଟିକର ଦୁଇଟି ସ୍ତର ଯୋଡି ହୋଇ ରହିଛି । ଏହା ମଧ୍ୟରେ ଶୈବାଳ ରହି ବାୟୁରୁ କାର୍ବନଡାଇଅକ୍ସାଇଡ ଅବଶୋଷଣ କରିଥାଏ । ଶୈବାଳ କାର୍ବନଡାଇଅକ୍ସାଇଡକୁ ନିଜ ଭିତରେ ଗଚ୍ଛିତ କରି ବାୟୋମସ୍ରେ ପରିଣତ କରେ ଯାହା ବାୟୋପ୍ଲାଷ୍ଟିକ ତିଆରି କରିବା ପାଇଁ କଞ୍ଚାମାଲ ଭାବେ ବ୍ୟବହାର ହୋଇଥାଏ । ଏହି ପରଦାର ମାଇକ୍ରୋ ଶୈବାଳରେ ଥିବା ବ୍ୟାକ୍ଟେରିଆ ବାୟୁରୁ ବିଷାକ୍ତ ତତ୍ତ୍ୱ ଗ୍ରହଣ କରି ବାୟୁକୁ ବିଶୁଦ୍ଧ କରେ । ଏହି ପରଦା କାର୍ବନଡାଇଅକ୍ସାଇଡରୁ କାର୍ବନ ଓ ଅକ୍ସିଜେନକୁ ଅଲଗା କରିଦିଏ । ପରଦାକୁ ବିଲ୍ଡିଂର ସାଇଡ୍ରେ ଝୁଲାଇ ରଖାଯାଇପାରିବ । ଘର ପାଖ ପ୍ରଦୂଷିତ ବାୟୁକୁ ସହଜରେ ଏହି ଜୈବ ପରଦା ବିଶୁଦ୍ଧ କରିପାରିବ । ଏହି ପରଦାର ଦାମ୍ ପ୍ରତି ବର୍ଗମିଟରକୁ ୨୩, ୦୦୦ରୁ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।


