ପ୍ରଦୂଷଣ ବଢ଼ାଇବାରେ ଲାଗିଛି ଶ୍ମଶାନ ଧୂଆଁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କୋମାରେ ବୈଦ୍ୟୁତିକ ଶବଦାହ ଚୁଲା । ଆଜକୁ ପାଖାପାଖି ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଶବଦାହ ଚୁଲାଟି ଅଚଳ ହୋଇ ପଡ଼ିରହିଛି । ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ, ଖୋଦ୍ ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଛାତି ଉପରରେ ଥିବା ସହରର ପୁରାତନ ସତ୍ୟନଗର ଶ୍ମଶାନର କଥା । ଏଥିପ୍ରତି ଭୁବନେଶ୍ୱର ମହାନଗର ନିଗମର ବିଭାଗୀୟ କର୍ତ୍ତୃପକ୍ଷଙ୍କର ସାମାନ୍ୟ ଦରଦ ନାହିଁ । ଯାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ, ଗୋଟିଏ ପଟେ ସହରର ସୌନ୍ଦର୍ଯ୍ୟ ଓ ଆଧୁନୀକରଣ ନାଁରେ ମହାନଗର ନିଗମ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଅନ୍ୟପଟେ ଶ୍ମଶାନ ଧୂଆଁରେ ସହରର ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଯଦ୍ୱାରା ଅଙ୍ଗାରକାମ୍ଳ ଗ୍ୟାସ୍ର ମାତ୍ରା ବୃଦ୍ଧି ପାଇବା ସହ ସହରକୁ ତତଲା ସହରର ମାନ୍ୟତା ମିଳୁଛି । ଏହାର ପ୍ରଭାବରେ ସାଧାରଣ ଲୋକ ନାହିଁ ନଥିବା ଯନ୍ତ୍ରଣା ପାଉଛନ୍ତି । ଏନେଇ ପରିବେଶବିତ୍ ସୁଶାନ୍ତ ସାହୁ ଚିନ୍ତା ପ୍ରକଟ କରିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି ।ଏ ସମ୍ପର୍କରେ ଶ୍ରୀ ସାହୁ କୁହନ୍ତି, ରାତି ପାହିଲେ ଏଠାକୁ ଶହ ଶହ ଲୋକେ ଶବଦାହ ପାଇଁ ଆସିଥାନ୍ତି । ବୈଦ୍ୟୁତିକ ଚୁଲାରେ ଶବଦାହ କଲେ ଏଠି ୩୫୦ଟଙ୍କା ଦେୟ ଦେବାକୁ ପଡୁଥିବା ବେଳେ କାଠରେ ଶବଦାହ କଲେ ୩ରୁ ୪ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଯାହା ଏକ ଗରିବ ପରିବାର ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ । ଏତଦ୍ ସହ ଗୋଟିଏ ବ୍ୟକ୍ତିର ଶବଦାହ ପାଇଁ ୩ରୁ ୪କୁଇଣ୍ଟାଲ କାଠ ଖର୍ଚ୍ଚ ହୋଇଥାଏ । ଏଥିପାଇଁ ଶହ ଶହ ସଂଖ୍ୟାରେ ବୃକ୍ଷ ବଳି ପଡ଼ିଥାଆନ୍ତି । ଅନ୍ୟପଟେ ସହର ବୃକ୍ଷଶୂନ୍ୟ ହେବାରେ ଲାଗିଛି । କେବଳ ସ୍ଲୋଗାନ୍ରେ ରହିଯିବ ଏ ସବୁଜିମା ଭରା ସହର । ବୈଦ୍ୟୁତିକ ଶବଦାହ ଚୁଲା ଦାୟିତ୍ୱରେ ଥିବା କର୍ମଚାରୀ କୁହନ୍ତି ଜୁଲାଇ ୨, ୨୦୨୨ରୁ ଶବଦାହ ଚୁଲା ଅଚଳ ହୋଇ ପଡ଼ିରହିଛି । ଅଚଳ ଚୁଲାକୁ ସଚଳ କରିବା ପାଇଁ ପ୍ରତିଥର ସୁଦୂର କୋଲକାତାରୁ ମେକାନିକ୍ ଆସିଥାନ୍ତି । ଓଡ଼ିଶାରେ ଏ ଚୁଲାକୁ ସଜାଡ଼ିବା ପାଇଁ ମେକାନିକ୍ ନାହାଁନ୍ତି । ଏ ଦାୟିତ୍ୱରେ ଥିବା ବିଭାଗୀୟ ଇଲେକ୍ଟ୍ରିକାଲ୍ ଜେ.ଇ.ଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ମହାନଗର ନିଗମ କର୍ତ୍ତୃପକ୍ଷ ଏଥିପ୍ରତି ଯତ୍ନବାନ୍ ହୋଇ ତୁରନ୍ତ ସ୍ଥାୟୀ ସମାଧାନ ଲାଗି ପଦକ୍ଷେପ ନେବାଲାଗି ଶ୍ରୀ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।


