ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପର ସୁଫଳ ମିଳୁଛି

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣ ଓ ଏଥିପାଇଁ ଜାରି ହୋଇଥିବା ଲକଡାଉନ ଅନେକ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ମାତ୍ର ଏଥିରେ ବିଚଳିତ ନହୋଇ ଆହ୍ୱାନକୁ ଅବସରରେ ପରିଣତ କରିବା ଲାଗି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏପରି ବିପତି କାଳରେ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ସେ ସଂକଳ୍ପ ନେଇଛନ୍ତି । ତାଙ୍କର ଏହି ଆହ୍ୱାନର ପ୍ରତିଫଳନ ଦେଶର ବିଭିନ୍ନ ପ୍ରାନ୍ତରେ ଧୀରେ ଧୀରେ ଦେଖିବାକୁ ମିଳିଲାଣି । ଯାହାର ପ୍ରକୃଷ୍ଟ ଉଦାହରଣ ସାଜିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କିଛି ମହିଳା ଓ ପୁରୁଷ । ସେମାନେ ଖାଦ୍ୟ ବିତରଣ (ଫୁଡ ଡେଲିଭରୀ) ବ୍ୟବସାୟ ଆରମ୍ଭ କରି ହୋଇପାରିଛନ୍ତି ,ଆତ୍ମନିର୍ଭରଶୀଳ  ପାଇଛନ୍ତି ନୂଆ ଜୀବିକାର୍ଜନର ପନ୍ଥା ।
ସ୍ଥାନୀୟ ଅଂଚଳରେ ଗୁରୁକୃପା ନାମକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରୁଥିଲେ କିଛି ପୁରୁଷ ଓ ମହିଳା । ସେମାନେ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ନେବା ଆଣିବା ସହିତ ଅନ୍ୟାନ୍ୟ ସେବା ଯୋଗାଇ ଦେଇ ମାସିକ କିଛି ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଲକଡାଉନରେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବା ଫଳରେ ଏମାନଙ୍କର ଜୀବିକା ଓ ଜୀବନ ପ୍ରଭାବିତ ହୋଇଥିଲା । ହେଲେ ଏପରି ଘଡ଼ିସନ୍ଧି ମୁହୂର୍ତରେ ସେମାନେ ଭାଙ୍ଗି ନପଡ଼ି ରୋଜଗାର ନୂଆ ମାର୍ଗ ପାଇଁ ଯୋଜନା କଲେ । ଅବସରକୁ ଆହ୍ୱାନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସାକାର କରିବା ସହିତ ନୂତନ ଜୀବିକା ନିର୍ବାହ ପାଇଁ ଅଂଟା ଭିଡ଼ିଲେ ।
ସମସ୍ତେ ମିଶି ଏବେ ଏମ.ଏସ. ଫୁଡ୍ସ ନାମରେ ସଂସ୍ଥାଟିଏ ଗଢ଼ିଛନ୍ତି । ଏ ସଂସ୍ଥା କରୋନା ଆକ୍ରାନ୍ତ ଏବଂ ଗୃହ ସଙ୍ଗରୋଧରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି । ବରାଦ ମୁତାବକ ଅନ୍ୟ ଲୋକମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ଓ ସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା ସଂସ୍ଥାରେ ଜଡ଼ିତ ଲୋକମାନେ ମତ ଦେଇଛନ୍ତି । ସୁସ୍ୱାଦୁ ଓ ଉଚ୍ଚଗୁଣବତା ସମ୍ପନ୍ନ ଖାଦ୍ୟ ଯୋଗାଇ ଦେଉଥିବାରୁ ଏମଏସ ଫୁଡ୍ସର ଖାଦ୍ୟ ଡେଲିଭରୀ ସେବା ଏବେ ସ୍ଥାନୀୟ ଅଂଚଳରେ ବିଶେଷ ଆଦୃତି ଲାଭ କରିଛି । ପୂର୍ବ ବରାଦ ମୁତାବକ ଘରକୁ ଘର ବୁଲି ଏମାନେ ଖାଦ୍ୟ ପ୍ୟାକେଟ ପହଁଚାଉଛନ୍ତି । ଫଳରେ ଲକଡାଉନରେ ଥିବା ଲୋକମାନେ ମନମୁତାବକ ଖାଦ୍ୟ ପାଇପାରୁଛନ୍ତି ।ଅପରପକ୍ଷରେ ଏହାଦ୍ୱାରା ଏମ.ଏସ. ଫୁଡ୍ସର କର୍ମଚାରୀମାନେ ଲକଡାଉନ ସମୟରେ ଜୀବିକାର୍ଜନରେ ସଫଳ ହୋଇଛନ୍ତି । ଦୃଢ଼ ଇଚ୍ଛାଶକ୍ତି ଓ ସାମୁହିକ ପ୍ରୟାସ ବଳରେ ଏମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ବାସ୍ତବରେ କରୋନା ମହାମାରୀ ଏବଂ ଲକଡାଉନର ସଂଘର୍ଷ ଏମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ନୂଆ ରାହା ଦେଖାଇଛି । ବାସ୍ତବରେ ଏମ.ଏସ ଫୁଡ୍ସ କର୍ମଚାରୀ ଆଜି ହୋଇପାରିଛନ୍ତି ଆତ୍ମନିର୍ଭର ଭାରତର ପରିଚୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ