ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ବିଦ୍ୟୁତ୍ ବିତରଣ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ-ପାୱାର ୨୦୪୭ କାର୍ଯ୍ୟକ୍ରମର ଭବ୍ୟ ସମାପନ ଉତ୍ସବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନୂତନ ବିଦ୍ୟୁତ ଆବଣ୍ଟନ ଯୋଜନାର ଶୁଭାରମ୍ଭ କରିଥିଲେ । ଏହାଛଡା ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏନ୍ଟିପିସିର ୫୨୦୦କୋଟି ଟଙ୍କାର ବିଭିନ୍ନ ସବୁଜ ଇନ୍ଧନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଥିଲା । ସେ ମଧ୍ୟ ଜାତୀୟ ସୋଲାର ରୁଫଟପ୍ ପୋର୍ଟାଲକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀଙ୍କ ସହିତ ଭାବ ବିନିମୟ କରିବା ସହିତ ଅନେକ କଥା ପଚାରି ବୁଝିଥିଲେ । ହିମାଚଳ ପ୍ରଦେଶର ମଣ୍ଡିରୁ ହଂସରାଜ ପ୍ରଧାନମନ୍ତ୍ରୀଙ୍କୁ କୁସୁମ ଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ଜଣାଇଥିଲେ । ଏହି ଯୋଜନାରେ ଅନ୍ୟାନ୍ୟ ଚାଷୀମାନେ କିପରି ଆଗ୍ରହ ପ୍ରକାଶ କରୁଛନ୍ତି ସେ କଥା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ତ୍ରିପୁରାର ଖୋୱାଇରୁ କଲାହ ରିଆଙ୍ଗ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କ ଗାଁରେ ବିଜୁଳି ପହଞ୍ଚାଇବା ପରେ ଲୋକଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି । ସୌରଶକ୍ତି ମିଳିବା ପରେ କିରୋସିନ ଉପରେ ନିର୍ଭରଶୀଳତା ଯଥେଷ୍ଟ କମିଛି । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ବିଜୁଳି ଆସିବା ପରେ ତାଙ୍କ ଗାଁରେ ପିଲାଙ୍କ ପାଠପଢାରେ ଉନ୍ନତି ଆସିଛି । ଶିଳ୍ପ କ୍ଷେତ୍ର ଓ ସନ୍ଧ୍ୟାକାଳୀନ ଜୀବନରେ ବଡ ପରିବର୍ତ୍ତନ ଘଟିଛି । ସେମାନେ ସହଜରେ ମୋବାଇଲ ଚାର୍ଜ କରି ନିଜର ଯୋଗାଯୋଗ ଆବଶ୍ୟକତା ପୂରଣ କରିପାରୁଛନ୍ତି । ବିଜୁଳି ବଞ୍ଚାଇବା ସହ ପିଲାଙ୍କ ପାଠପଢା ପାଇଁ ଟିଭିରେ ଶିକ୍ଷା ଚାନେଲ ଦେଖିବାକୁ ପ୍ରଧାନମନ୍ତ୍ରୀ ରିଆଙ୍ଗକୁ ପରାମର୍ଶ ଦେଇଥିଲେ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ କେ. କ୍ରାନ୍ତିକୁମାର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାର ସେ ହିତାଧିକାରୀ । ବିଜୁଳି ମିଳିବା ଦ୍ୱାରା ଗ୍ରାମବାସୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଛି । ଦେଶର ସବୁ ଗ୍ରାମରେ ବିଜୁଳି ଶକ୍ତି ପହଞ୍ଚିଲେ ଭାରତ ଆହୁରି ପ୍ରଗତି କରିବ ଏବଂ ସମସ୍ତଙ୍କ ଜୀବନ ସୁଖମୟ ହେବ । ବାରାଣସୀର ଶ୍ରୀମତୀ ପ୍ରମିଳା ଦେବୀ ସମନ୍ୱିତ ଶକ୍ତି ବିକାଶ ଯୋଜନାର ଜଣେ ହିତାଧିକାରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଜଣେ ଅଧିବାସୀ । ସେ ବିଜୁଳି ପାଇଥିବାରୁ “ହର୍ହର ମହାଦେବ” କହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ବାବା ବିଶ୍ୱନାଥଙ୍କୁ ପ୍ରଣାମ ଜଣାଇ କାଶୀବାସୀଙ୍କ ମଙ୍ଗଳ କାମନା କରିଥିଲେ । ନଗରୀରେ ପୁରୁଣା ବିଜୁଳି ତା’ର ସବୁକୁ ହଟାଇ ନୂଆ ତାର ଲଗାଯାଇଥିବା ଜାଣି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ସୋଲାର ପ୍ୟାନେଲ ଲଗାଇବାର ଅନୁଭୂତି ସମ୍ପର୍କରେ ଅହମ୍ମଦାବାଦର ଧୀରେନ ସୁରେଶ ଭାଇ ପଟେଲ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ କହିଥିଲେ ନିଜ ଛାତ ଉପରେ ସୌରଫଳକ ଲଗାଇ ଧୀରେନ ଭାଇ ଏବେ ବିଜୁଳି ବିକ୍ରି କରି ଲାଭବାନ ହେଉଥିବା କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଜନଭାଗିଦାରୀର ମହତ୍ୱ ଅଧିକ । ଏହା ଜାରି ରହିଲେ ୨୦୪୭ ସୁଦ୍ଧା ଭାରତରର ଊର୍ଜା ସ୍ଥିତି ସମ୍ପୂର୍ଣ୍ଣ ବଦଳିଯିବ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଆସନ୍ତା ୨୫ବର୍ଷ ମଧ୍ୟରେ ଭାରତର ବିକାଶ ପ୍ରକ୍ରିୟାରେ ଊର୍ଜା/ଶକ୍ତି କ୍ଷେତ୍ର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଊର୍ଜା କ୍ଷେତ୍ର ଲୋକଙ୍କ ଜୀବନକୁ ସୁଗମ କରିବା ସହିତ ବେପାର ବଣିଜକୁ ମଧ୍ୟ ସହଜ ଓ ଜଞ୍ଜାଳମୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ । ଆଜି ଯେଉଁସବୁ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ତାହା ଦେଶର ସବୁଜ ଇନ୍ଧନ ଉତ୍ପାଦନ ଏବଂ ଊର୍ଜା ନିରାପତ୍ତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହିସବୁ ପ୍ରକଳ୍ପ ଭାରତ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟକୁ ସୁଦୃଢ କରିବା ସହିତ ଗ୍ରୀନ ମୋବିଲିଟି ସଂକ୍ରାନ୍ତ ଅଙ୍ଗୀକାର ଓ ଆଶା ଆକାଂକ୍ଷା ପୂରଣରେ ସହାୟକ ହେବ । ଲଦାଖ ଓ ଗୁଜରାଟର ଦୁଇଟି ବୃହତ ହାଇଡ୍ରୋଜେନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ଲଦାଖରେ ତିଆରି ହେଉଥିବା ପ୍ଲାଣ୍ଟରୁ ସବୁଜ ଉଦ୍ଯାନ (ଗ୍ରୀନ ହାଇଡ୍ରୋଜେନ) ଉତ୍ପାଦିତ ହେବ ଏବଂ ସେଥିରେ ଦେଶର ଯାନବାହନ ସବୁ ଚାଲିବ । ଏହା ଦେଶର ପ୍ରଥମ ପ୍ରକଳ୍ପ ଯାହା ବ୍ୟାବସାୟିକ ଭିତ୍ତିରେ ହାଇଡ୍ରୋଜେନ ଇନ୍ଧନ ଉତ୍ପାଦନ କରିବ ଏବଂ ତାହାକୁ ଦେଶର ପରିବହନ କ୍ଷେତ୍ରରେ ବ୍ୟବହାର କରାଯିବ । ଲଦାଖ ଦେଶର ପ୍ରଥମ ଅଞ୍ଚଳ ହେବ ଯେଉଁଠି ଖୁବ୍ ଶୀଘ୍ର ଫୁଏଲ ସେଲ ଇଲେକଟ୍ରିକ ଯାନ ଚାଲିବ । ଏହାଫଳରେ ଲଦାଖ ଏକ ଅଙ୍ଗାରକାମ୍ଳ ମୁକ୍ତ ଅଞ୍ଚଳରେ ପରିଣତ ହେବ । ୨୦୧୪ ପୂର୍ବରୁ ବିଜୁଳି ଅଭାବ ଥିବା ରାଜ୍ୟମାନଙ୍କ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ଆଠବର୍ଷ ମଧ୍ୟରେ ସରକାର ଦେଶର ସବୁ ଅଂଶର ବିଜୁଳି କ୍ଷେତ୍ରକୁ ବଦଳାଇବା ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜୁଳି ଉତ୍ପାଦନ, ପରିବହନ, ବା ସରବରାହ, ବଣ୍ଟନ ଓ ସଂଯୋଗ ପ୍ରଦାନ- ଏହି ଚାରିଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱ ଦେଇ କାମ କରାଯାଉଛି । ସେ ଆହୁରି ଜାଣିଥିଲେ ଯେ ଗତ ଆଠବର୍ଷ ମଧ୍ୟରେ ଦେଶରେ ଅତିରିକ୍ତ ପ୍ରାୟ ୧, ୭୦, ୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ସୃଷ୍ଟି କରାଯାଇଛି । ଗୋଟିଏ ଦେଶ ଗୋଟିଏ ପାୱାର ଗ୍ରୀଡ ଏବେ ଆମର ଶକ୍ତି ପାଲଟିଛି । ଏହି ସମୟରେ ଦେଶରେ ପ୍ରାୟ ୧, ୭୦, ୦୦୦ ସର୍କିଟ କିଲୋମିଟରର ଟ୍ରାନ୍ସମିଶନ ଲାଇନ ବିଛାଯାଇଥିବା ସମଗ୍ର ଦେଶକୁ ସଂଯୁକ୍ତ କରାଯାଇଛି । ଆହୁରି ମଧ୍ୟ ସୌଭାଗ୍ୟ ଯୋଜନାରେ ୩କୋଟି ବିଜୁଳି ସଂଯୋଗ ପ୍ରଦାନ କରି ଆମେ ସମସ୍ତଙ୍କୁ ବିଜୁଳି ଯୋଗାଣ ଲକ୍ଷ୍ୟ ପୂରଣ କରିବାର ନିକଟବର୍ତ୍ତୀ ହୋଇଛୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ୭୫ବର୍ଷ ପାଳନ ସୁଦ୍ଧା ଦେଶରେ ୧୭୫ ଗିଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ କରିବାକୁ ଆମେ ସଂକଳ୍ପ ନେଇଥିଲୁ । ଏବେ ଆମେ ୧୭୦ ଗିଗାୱାଟ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ଉତ୍ପାଦନ ସୁବିଧା ସୃଷ୍ଟି କରି ସେହି ଲକ୍ଷ୍ୟର ନିକଟବର୍ତ୍ତୀ ହୋଇପାରିଛୁ । ସୌରଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବାରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ୪/୫ଟି ଦେଶ ମଧ୍ୟରେ ରହିଛି ବୋଲି ସେ କହିଥିଲେ । ବିଶ୍ୱର ସର୍ବବୃହତ୍ ସୋଲାର ପ୍ଲାଣ୍ଟ ମଧ୍ୟରୁ ଅନେକ ଭାରତରେ ରହିଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶ ଆଉ ଦୁଇଟି ବୃହତ ସୋଲାର ପ୍ଲାଂଟ ପାଇଲା । ଏହି ଦୁଇଟି ପ୍ଲାଣ୍ଟ ତେଲଙ୍ଗାନା ଓ କେରଳରେ ବସାଯାଇଛି ଏବଂ ଉଭୟ ଯଥାକ୍ରମେ ଦେଶର ପ୍ରଥମ ଓ ଦ୍ୱିତୀୟ ସର୍ବବୃହତ ସୋଲାର ପ୍ଲାଣ୍ଟ । ବ୍ୟକ୍ତିଗତ ବ୍ୟବହାର ପାଇଁ ମଧ୍ୟ ସୌର ବିଜୁଳି ନିମନ୍ତେ ଲୋକଙ୍କୁ ଉତ୍ସାହିତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜୁଳି ଉତ୍ପାଦନ ବଢାଇବା ସହିତ ଏହାର ଅପଚୟ ହ୍ରାସ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଦ୍ୟୁତ ସଂଚୟର ଅର୍ଥ ଭବିଷ୍ୟତକୁ ସମୃଦ୍ଧ କରିବା । ପିଏମ୍ କୁସୁମ ଯୋଜନା ଏହାର ବଡ ଉଦାହରଣ । ଆମେ ଚାଷୀଙ୍କୁ ସୌରଶକ୍ତି ଚାଳିତ ପାଣିପମ୍ପ ଯୋଗାଉଛୁ । ଏଥିସହିତ ଜମି କଡରେ ସୌର ଫଳକ ଲଗାଇବା ସେମାନଙ୍କୁ ସାହାଯ୍ୟ କରୁଛୁ । ଉଜ୍ଜ୍ୱଳ ଯୋଜନା ବିଦ୍ୟୁତ ଶକ୍ତି ବ୍ୟବହାର କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ପ୍ରତିବର୍ଷ ୫୦ହଜାର କୋଟି ଟଙ୍କା ସଞ୍ôଚତ ହୋଇ ପାରୁଥିବା ସୂଚନା ଦେଇଛନ୍ତି । ବିଜୁଳି ଖର୍ଚ୍ଚ କମିବାରୁ ବିଲ୍ କମ୍ ଆସୁଛି ଓ ଉପଭୋକ୍ତାଙ୍କ ଅର୍ଥ ବଞ୍ଚୁଛି । ଗରିବ ଓ ମଧ୍ୟବିତ ବର୍ଗ ଏହା ଦ୍ୱାରା ଅଧିକ ଉପକୃତ ହେଉଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମୟକ୍ରମେ ଆମ ରାଜନୀତିରେ ଏକ ଗୁରୁତର ବ୍ୟକ୍ତିକ୍ରମ ଦେଖାଦେଇଛି । ରାଜନୀତିରେ ଲୋକଙ୍କର ସତ କହିବାରେ ସାହସ ରହିବା ଆବଶ୍ୟକ । ଆମେ କିନ୍ତୁ ଦେଖୁଛୁ ଯେ କେତେକ ରାଜ୍ୟ ଏହାକୁ ଏଡାଇ ଚାଲିଛନ୍ତି । ସେମାନଙ୍କର ଏହି ରଣନୀତି ସାମୟିକଭାବେ ଭଲ ରାଜନୀତି ଭାବେ ବିବେଚିତ ହୋଇପାରେ । କିନ୍ତୁ ସେମାନେ ଆଜିର ସତ୍ୟକୁ ଆସନ୍ତାକାଲିର ଆହ୍ୱାନ ପାଇଁ ଲୁଚାଇ ରଖୁଛନ୍ତି । ଏହା ଦ୍ୱାରା ଆମ ପିଲାମାନେ, ଭବିଷ୍ୟତ ବଂଶଧର କ୍ଷତିଗ୍ରସ୍ତ ହେବେ । ଏଭଳି ରାଜନୀତି/ରଣନୀତି ଦେଶର ସ୍ୱାର୍ଥର ପରିପନ୍ଥୀ । ଏଭଳି ବିଚାର ଯୋଗୁଁ ଦେଶର ଅନେକ ରାଜ୍ୟର ଶକ୍ତି କ୍ଷେତ୍ର ଗୁରୁତର ସମସ୍ୟାର ସମ୍ମୁଖୀନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ କ୍ଷତି ହାର ଦୁଇଅଙ୍କ ବିଶିଷ୍ଟ । ବିକାଶଶୀଳ ଦେଶଗୁଡିକରେ ଏହା ଏକ ଅଙ୍କରେ ସୀମିତ । ଏହାର ଅର୍ଥ ଭାରତରେ ବିଜୁଳି ପରିବହନ ଓ ବଣ୍ଟନ ସମୟରେ ପ୍ରଚୁର ଶକ୍ତି ନଷ୍ଟ ହେଉଛି । ଏହାଫଳରେ ଆମକୁ ଅଧିକ ବିଜୁଳି ଉତ୍ପାଦନ କରି ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ପଡୁଛି । ଦେଶର ଅନେକ ରାଜ୍ୟରେ ବିଜୁଳି ସରବରାହ ଓ ବଣ୍ଟନ ଜନିତ କ୍ଷତିକୁ କମାଇବା ପାଇଁ ବିଶେଷ ତତ୍ପରତା ଓ ଉଦ୍ୟମ ନାହିଁ । ଅନେକ ରାଜ୍ୟରେ ବିଜୁଳି ବାବଦ ଦେୟ ବାକି ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ । ସେମାନେ ଏହି ଅର୍ଥ ବିଜୁଳି ଉତ୍ପାଦନକାରୀ କମ୍ପାନୀଗୁଡିକୁ ନ ଦେଇ ପକାଇ ରଖିଛନ୍ତି। ସେହିଭଳି ବିଜୁଳି ବଣ୍ଟନକାରୀ କମ୍ପାନୀମାନେ ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ବିଦ୍ୟୁତ ଯୋଗାଣ ବାବଦ ୬୦ହଜାର କୋଟିରୁ ଅଧିକ ଟଙ୍କା ଏଯାଏ ପାଇନାହାନ୍ତି । ଅତଏବ ଅର୍ଥାଭାବରୁ ସମ୍ପୃକ୍ତ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀମାନେ ବିଭିନ୍ନ ରାଜ୍ୟରେ ବିଜୁଳି ଉପରେ ସବ୍ସିଡି ପୂର୍ଣ୍ଣମାତ୍ରାରେ ଦେବାକୁ ବିଫଳ ହେଉଛନ୍ତି । ଏ ବାବଦ ବାକି ୭୫,୦୦୦କୋଟି ଟଙ୍କାରୁ ଅଧିକ । ବିଜୁଳି ଉତ୍ପାଦନ, ବଣ୍ଟନ ଓ ଯୋଗାଣକାରୀ କମ୍ପାନୀମାନଙ୍କର ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ୨. ୫ଲକ୍ଷ କୋଟି ଟଙ୍କା ବାକି ପଡିଛି । ଯେଉଁସବୁ ରାଜ୍ୟ ଏହି ଅର୍ଥ ପୈଠ କରିନାହାନ୍ତି ବା ବାକି ପକାଇଛନ୍ତି ସେମାନେ ଯଥାଶୀଘ୍ର ସମ୍ଭବ ତାହା ଦେଇଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ ଜଣାଇଛନ୍ତି । ବିଜୁଳି ଉପଭୋକ୍ତାମାନେ ସଚ୍ଚୋଟତାର ସହ ନିଜର ଦେୟ ପ୍ରତିମାସରେ ପୈଠ କରୁଥିବାବେଳେ ସମ୍ପୃକ୍ତ ରାଜ୍ୟ ସରକାରମାନେ କାହିଁକି ବିଜୁଳି ଉତ୍ପାଦନ ଓ ଆବଣ୍ଟନକାରୀ କମ୍ପାନୀଙ୍କୁ ସେମାନଙ୍କ ଦେୟ ପ୍ରଦାନ କରୁନାହାନ୍ତି ତାହାକୁ ସାଧୁତାର ପରିଚୟ ଦେଇ ଦେଇ ସରକାର ସମୂହ ବିଚାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷରେ କହିଥିଲେ ଯେ ସ୍ୱାସ୍ଥ୍ୟ ଓ ବିଦ୍ୟୁତ କ୍ଷେତ୍ରରେ ରାଜନୀତିର ସ୍ଥାନ ନାହିଁ । ଏହି କ୍ଷେତ୍ରର ସୁରକ୍ଷା ଓ ବିକାଶ ସମସ୍ତଙ୍କର ଦାୟିତ୍ୱ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ