ପ୍ରଧାନମନ୍ତ୍ରୀଙ୍କ ନିବେଦନ: ଏପ୍ରିଲ ୫ ରାତି ୯ଟାରେ ୯ ମିନିଟ୍‌ ପାଇଁ ପାଳନ୍ତୁ ପ୍ରକାଶ ପର୍ବ

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କୋରୋନା ବିରୋଧରେ ମହାଲଢ଼େଇ ଲଢ଼ିବା ପାଇଁ ଆହ୍ବାନ ଦେବା ସହ ମାର୍ଚ୍ଚ ୨୫ରେ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହେଲା ବୋଲି ଘୋଷଣା କରିଥିଲେ।
ଦେଶ ଲକ୍‌ଡାଉନ୍‌ ର ୧୦ମ ଦିବସରେ ପ୍ରବେଶ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଶୁକ୍ରବାର ପୂର୍ବାହ୍ନ ୯ଟାରେ କୋରୋନା ସହ ଲଢୁଥିବା ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତାରେ ଏପ୍ରିଲ ୫ ରବିବାର ରାତି ୯ଟାରେ ଘରର ସମସ୍ତ ଲାଇଟ୍‌ ବନ୍ଦ କରି ଘର ଫାଟକ, ଝରକା ପାଖରେ କିମ୍ବା ବାଲକୋନୀକୁ ଯାଇ ୯ ମିନିଟ୍‌ ପାଇଁ ମହମବତୀ, ଦୀପ, ଟର୍ଚ୍ଚ, ମୋବାଇଲ ଫ୍ଲାଶ ଲାଇଟ୍‌ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ମୋଦି ପରାମର୍ଶ ଦେଇ କହିଛନ୍ତି ଯେ ଆପଣ ଦୀପ ଜାଳିଲେ ଆଲୋକର ସେଇ ମହାଶକ୍ତିକୁ ଅନୁଭବ କରିପାରିବେ ଯେଉଁଠି ଆମେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ ଏକତ୍ରିତ ହୋଇ ଲଢେଇ କରୁଛୁ। କୋରୋନା ଚେନ୍‌ ଭାଙ୍ଗିବାକୁ ଏହା ଏକ ବଡ଼ ରାମବାଣ। କୋରୋନା ଭାଇରସ୍ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ଧକାରରୁ ଆମେ ଆଲୋକ ଆଡ଼କୁ ଯାତ୍ରା କରିବା। ମୋଦି କହିଛନ୍ତି, ପ୍ରଦୀପ ପ୍ରଜ୍ଜ୍ୱଳନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ; ଘରେ ରୁହନ୍ତୁ । ଆମ ଉଚ୍ଛ୍ୱାସ ଓ ଆଗ୍ରହ ଠାରୁ ବଳି ଆଉ କୌଣସି ଶକ୍ତି ଟାଣୁଆ ନୁହଁ।
ପ୍ରଧାନମନ୍ତ୍ରୀ ବାର୍ତ୍ତା ଆରମ୍ଭ କରି କହିଲେ, ଲକ୍‌ଡାଉନ୍‌କୁ ସମ୍ମାନ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଲକ୍‌ଡାଉନ୍‌ ସମୟରେ ଲୋକମାନଙ୍କର ଅଭୂତପୂର୍ବ ଶୃଙ୍ଖଳା, ଅନୁଶାସନ ଓ ସେବା ମନୋଭାବ ପ୍ରଶଂସାଯୋଗ୍ୟ। ଲକଡାଉନ୍ ସମୟରେ ଆମେ ଘରେ ଅଛନ୍ତି। ଆଜି କୋଟି କୋଟି ଜନତା ଘର ଭିତରେ ଥିବାବେଳେ ଅନେକେ ଭାବୁଥିବେ ସେମାନେ ଏକାକୀ କେମିତି କୋଭିଡ୍-୧୯ ବିରୋଧରେ ଏହି ସଂଗ୍ରାମ ଲଢ଼ିବେ। ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଉଠୁଥାଇପାରେ। କିନ୍ତୁ ଦୟାକରି ମନେରଖନ୍ତୁ, ଆମ ଭିତରୁ କେହି ଏକାକୀ ନୁହନ୍ତି। ପ୍ରତ୍ୟେକଙ୍କ ସହ ୧୩୦ କୋଟି ଭାରତୀୟଙ୍କ ସାମର୍ଥ୍ୟ ରହିଛି। କୋଟି କୋଟି ଜନତାଙ୍କ ଶକ୍ତି ଆମ ମନୋବଳ ବଢ଼ାଇଛି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ସମସ୍ତଙ୍କୁ କୋରୋନା ସଙ୍କଟର ଅନ୍ଧକାରକୁ ଚ୍ୟାଲେଞ୍ଜ କରିବାକୁ ପଡ଼ିବ। ଏହାକୁ ଆଲୋକର ଶକ୍ତି ଦେଖାଇବାକୁ ପଡ଼ିବ। ତେଣୁ ଏହି ଏପ୍ରିଲ୍‌ ୫ରେ ଆମକୁ ୧୩୦ କୋଟି ଦେଶବାସୀଙ୍କ ସୁପର ପାୱାର୍‌ ଜାଗ୍ରତ କରିବାକୁ ପଡ଼ିବ। ଜନତା ଜନାର୍ଦ୍ଦନଙ୍କୁ ଭଗବାନଙ୍କର ରୂପ ବୋଲି ବିଶ୍ୱାସ କରାଯାଏ। ତେଣୁ ଯେତେବେଳେ ଦେଶ ଏତେ ବଡ଼ ଯୁଦ୍ଧ କରୁଛି, ସେତେବେଳେ ଏଭଳି ଲାଇଟ୍‌ରେ ଲୋକମାନେ କ୍ରମାଗତ ଭାବରେ ସୁପରପାୱାର ବା ମହାଶକ୍ତି ଜାଗ୍ରତ କରାଇବା ଜରୁରୀ। ଆମକୁ ଏହି ସଂକଳ୍ପ କରିବାକୁ ପଡ଼ିବ ଯେ, ଆମେ ଏକାକୀ ନୁହଁ, କେହି ବି ଏକାକୀ ନୁହଁ। ଏହା କୋରୋନା ଭାଇରସ୍ ବିରୋଧରେ ଲଢ଼ିବାକୁ ଆମର ସାମୂହିକ ଶକ୍ତିର ପରିପ୍ରକାଶ ବୋଲି ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ