ପ୍ରଧାନମନ୍ତ୍ରୀଙ୍କ ନୁଆ ଶ୍ରମଯୋଗୀ ମାନଧନ ଯୋଜନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଔପଚାରିକ ଆରମ୍ଭ ଅହମ୍ମଦାବାଦରେ ହୋଇଛି । ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ଯୋଜନା ଘୋଷଣା କରିଥିଲେ, ଏଥିରେ ଶ୍ରମିକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପେ ମିଳିବ। ଏହି ଯୋଜନାକୁ ନେଇ ଅଧିସୂଚନା ପ୍ରଥମରୁ ହିଁ ଜାରି ହୋଇ ସାରିଛି।
ଅଧିସୂଚନା ଜାରି ହେବା ପରେ ଫେବୃଆରୀ ୧୫ରେ ଏହି ସ୍କିମ ପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଯୋଜନାର ଅନ୍ତିମ ରୂପ ଦେବାର ଦାୟିତ୍ଵ ଏଲଆଇସିକୁ ଦିଆଯାଇଛି। ଯୋଜନା ଆଧାରରେ ପଞ୍ଜିକରଣ ପାଇଁ ଏଲଆଇସିର ବଡ଼ ନେଟଓ୍ଵର୍କର ବ୍ୟବହାର କରାଯାଉଛି। ସୂଚନା ମୁତାବକ, ସ୍ଵଘୋଷଣା ଆଧାରରେ ଏହି ଯୋଜନାର ଲାଭାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯିବ। କିନ୍ତୁ ପେନସନ ପାଇବା ପାଇଁ କିଛି ସର୍ତ୍ତ ରହିଛି। ସର୍ତ୍ତ ମୁତାବକ, ଲାଭାର୍ଥୀଙ୍କୁ କିଛି ଟଙ୍କା ପ୍ରତ୍ୟେକ ମାସରେ ପ୍ରିମିୟର ରୂପେ ଜମା କରିବାକୁ ପଡ଼ିବ। ଯୋଜନାର ଲାଭ ୧୮ ବର୍ଷରୁ ୪୦ ବର୍ଷର ଶ୍ରମିକଙ୍କୁ ହିଁ ମିଳିବ। ଯଦି କୌଣସି ଲାଭାର୍ଥୀ ୧୮ ବର୍ଷ ବୟସରେ ଏହି ସ୍କିମରେ ଯୋଗ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମାସକୁ ପ୍ରିମିୟର ରୂପେ ୫୫ ଟଙ୍କା ଦେବାକୁ ପଡ଼ିବ। ୨୯ ବର୍ଷ ବୟସରେ ଯୋଜନାରେ ସାମିଲ ହେବା ପାଇଁ ୧୦୦ ଟଙ୍କାର ମାସିକ ପ୍ରିମିୟର ଦେବାକୁ ପଡ଼ିବ। ଆଶା କରାଯାଉଛି ଯେ ଏହି ଯୋଜନାର ଲାଭ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୦ କୋଟି ଲୋକଙ୍କୁ ମିଳିବ।


