ପ୍ରଧାନମନ୍ତ୍ରୀ ଆବାସରେ ଅନିୟମିତତା: ବିନା ଗୃହ ନିର୍ମାଣରେ ମିଳୁଛି ବିଲ୍ ଅର୍ଥ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ପଞ୍ଚାୟତ ସମିତିର ବିଭିନ୍ନ ପଞ୍ଚାୟତରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । କେଉଁଠି ବିନା ଗୃହ ନିର୍ମାଣରେ ହିତାଧିକାରୀ ମାନଙ୍କୁ ବିଲ୍ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଗୃହ ଯୋଗାଇ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ସେହିପରି ଏକ ଅଭିଯୋଗ ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତ ରାଉତରାଗଢିଆ ଗ୍ରାମବାସୀ ମାନେ କରିଛନ୍ତି । ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁଯାୟୀ  ଚଳିତ ଆର୍ଥିକ ବର୍ଷରେ ଉକ୍ତ ଗ୍ରାମର ୩୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସେତେବେଳେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମାନଙ୍କୁ ଅଗ୍ରୀମ ବାବଦରେ ୨୦ ହଜାର ଲେଖାଏ ଅର୍ଥ ପ୍ରଦାନ କରାଯାଇଥିଲା । ସେହି ହିତାଧିକାରୀଙ୍କ ମଧ୍ୟରୁ ତିଳୋତ୍ତମା ଓଝା କାର୍ଯ୍ୟାଦେଶ ପାଇବା ସହ ଅଗ୍ରୀମ ଅର୍ଥ ୨୦ ହଜାର ଟଙ୍କା ପାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ସେ କୌଣସି ଘର ତିଆରି କରିନଥିବା ବେଳେ ତାଙ୍କୁ ଗ୍ରେଡବିମ୍ ପର୍ଯ୍ୟନ୍ତ କାର୍ଯ୍ୟ ହୋଇଛି ବୋଲି ଅନ୍‌ଲାଇନ୍‌ରେ ଦର୍ଶାଯାଇ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ଉକ୍ତ ଗ୍ରାମର ଶାନ୍ତିଲତା ଓଝାଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ ଅଗ୍ରୀମ ୨୦ ହଜାର ଟଙ୍କା ମିଳିଥିବା ବେଳେ ସେ କୌଣସି ଘର ତିଆରି କରିନାହାନ୍ତି । କିନ୍ତୁ ଅନ୍‌ଲାଇନ୍‌ରେ ତାଙ୍କର ଗ୍ରେଡ୍‌ବିମ୍‌, ନିମ୍‌ଟାଲ ଓ ଘର ଛାତ ଫଟୋ ଅପ୍‌ଲୋଡ କରାଯାଇ ଘର କାର୍ଯ୍ୟ ସରିଥିବା ଦର୍ଶାଯାଇଛି । ଗତ ୨୦୧୮ ମସିହାରୁ ତିଳୋତ୍ତମା ଓଝାଙ୍କ ସ୍ୱାମୀ ଅର୍ଜ୍ଜୁନ ଓଝାଙ୍କର ଏକ ପକ୍କାଘର ରହିଥିବା ବେଳେ ତାଙ୍କୁ ପୂନର୍ବାର କିପରି ପ୍ରଧାନମନ୍ତ୍ରୀ ଆବାସ ମିଳିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମରେ ବହୁ ହିତାଧିକାରୀ ୱେଟିଂ ଲିଷ୍ଟରେ ଥିବା ବେଳେ ସେମାନଙ୍କୁ ଅଦ୍ୟାବଧି ଗୃହ ଯୋଗାଇ ଦିଆଯାଉନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏନେଇ ଦିବାକର ଓଝା, ମିନତୀ ଓଝା, କାଶିନାଥ ଓଝା, ପରମାନନ୍ଦ ସ୍ୱାଇଁ, ବାସନ୍ତୀ ନାୟକ, ଜଗବନ୍ଧୁ ନାୟକ, ଅହଲ୍ୟା ବେହେରା, ଭାସ୍କର ନାୟକ, ହରିହର ଓଝା, ରତ୍ନାକର ଓଝାଙ୍କ ସମେତ ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ