ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା
ନାଉଗାଁ,(ଓ୍ବାଇଏନ୍ଏସ୍) : ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଲୋକଙ୍କ ନିକଟରେ ପହଂଚାଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ସେଥିରୁ ଅନେକ ଯୋଗ୍ୟ ହିତାଧିକାରୀ ବଂଚିତ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତର ଅଲଣା ଗ୍ରାମର ରମେଶ ଗୋଛାୟତ କ୍ଷେତ୍ରରେ । ରମେଶଙ୍କ ପରିବାର କହିଲେ ପତ୍ନୀ ଅଂଜନା, ଦୁଇ ଝିଅ ଓ ଏକମାତ୍ର ପୁଅ ରାଜେଶ । ବର୍ତମାନ ରାଜେଶଙ୍କ ବୟସ ୨୪ ବର୍ଷ, ଯେତେ ବେଳେ ରାଜେଶକୁ ୧୪ ବର୍ଷ ବୟସ ହୋଇଥିଲା ହାଠତ ମାନସିକ ଭାରସ୍ୟାମ ହରାଇ ବସିବାରୁ ପରିବାରୁ ପକ୍ଷରୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତି କରାଯାଇଥିଲା । ଅର୍ଥାଭାବ ହେତୁ ଚିକିତ୍ସାରେ ବାଧକ ସାଜିଥିଲା । ପରେ ରାଜେଶ ଆସି ଘରେ ରହୁଥିଲେ । ହେଲେ ଘରେ ନ ରହି ବାହାରେ ବୁଲାବୁଲି କରିବାରୁ ପରିବାର ପକ୍ଷରୁ ରାଜେଶଙ୍କ ହାତ ଗୋଡକୁ ବାନ୍ଧି ଦିଆଯାଇଥିବା ଦେଖିବାକୁ ମିଳୁଛି । ସେହିପରି ପରିବାରରେ ଅର୍ଥର ଅଭାବ ହେତୁ ଝିଅମାନେ ମଧ୍ୟ ଉଚ୍ଚଶିକ୍ଷାରୁ ବଂଚିତ ହୋଇଛନ୍ତି । ରମେଶ ପରିବାର ପ୍ରତିପୋଷଣ କରିବା ପାଇଁ ନିଜର କୌଳିକ ବୃତିକୁ ଆପଣାଇ ବାଉଁଶରେ ସାମାଗ୍ରୀ ତିଆରି କରନ୍ତି । ଉକ୍ତ ସାମଗ୍ରୀକୁ ଗାଁ ଗାଁ ବୁଲି ବିକ୍ରୟ କରି ସେଥିରୁ ଯାହା କିଛି ରୋଜଗାର ହୁଏ ସେଥିରେ ପରିବାର କଷ୍ଟ ମଷ୍ଟେ ଚଳିଯାଆନ୍ତି । ରମେଶ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଉଥିବା ବେଳେ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ଅର୍ଥାଭାବରୁ ଘରକୁ ଛପର କରି ନ ପାରି ପଲଥିନି ଘର ଉପରେ ପକାଇଛନ୍ତି । ବର୍ଷା ହେଲେ ଘରେ ଭିତରେ ପାଣି ବୋହୁଛି । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପ୍ରଶାସନଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ ଗୁହାରୀ କର୍ଣ୍ଣପାତ କରି ନାହାନ୍ତି । ସରକାର ପ୍ରକୃତ ହିତାଧିକାରୀଙ୍କ ନିକଟରେ ଯୋଜନା ପହଂଚାଇବାକୁ କହୁଥିବା ବେଳେ ତଳସ୍ତରରେ କିନ୍ତୁ ସବୁ ଏପଟ ସେପଟ ହେଉଥିବା ଅଭିଯୋଗ ହେଉଛି । ବିଶେଷ ସୂତ୍ରରୁ ଜଣାଯାଇଛି ଯେ ଅଲଣା ପଂଚାୟତରେ ୧୩୦ଜଣଙ୍କ ନାମ ଆବାସ ଯୋଜନାରେ ସାମିଲ ହେବା ପାଇଁ ତାଲିକା ପ୍ରକାଶ ପାଇଛି । ହେଲେ ଏଥିରେ ମଧ୍ୟ ରମେଶ ଗୋଛାୟତଙ୍କ ନାମ ନଥିବା ଜଣାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଥିବା ବାଲାକୁ ଘର ମିଳୁଥିବା ବେଳେ ଜଣେ ଗରିବ ଲୋକ ଘରଟିଏ ପାଇବା ପାଇଁ ଉଚ୍ଚ କତୃପକ୍ଷଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହେଉଛି । ଆବାସ ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।