ପ୍ରଧାନମନ୍ତ୍ରୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨, ୨୦୨୦ରେ ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ବିଜୟର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ସମାରୋହ ସଫଳତା ଏବଂ ରୁଷରେ ସାମ୍ବିଧାନିକ ସଂଶୋଧନ ଉପରେ ଭୋଟର ସଫଳ ସମାପନ ଲାଗି ପ୍ରଧାନମନ୍ତ୍ରୀ ସହୃଦୟତାର ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ୨୪ ଜୁନ ୨୦୨୦ରେ ମସ୍କୋରେ ଆୟୋଜିତ ସାମରିକ ପରେଡରେ ଏକ ଭାରତୀୟ ସୈନ୍ୟ ଦଳ ଅଂଶଗ୍ରହଣ ବିଷୟରେ ଉଲ୍ଲେଖ କରିଥିଲେ। ଏହାକୁ ସେ ଭାରତ ଓ ରୁଷର ଜନସାଧାରଣଙ୍କ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ଵର ପ୍ରତୀକ ବୋଲି କହିଥିଲେ। ଉଭୟ ନେତା କୋଭିଡ-୧୯ ବୈଶ୍ୱିକ ମହାମାରୀର ନକାରାତ୍ମକ ପରିଣାମକୁ ଦୂର କରିବା ଲାଗି ଦୁଇ ଦେଶ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରଭାବୀ ଉପାୟ ବିଷୟରେ ଆଲୋଚନା କରିଥିଲେ। କୋଭିଡ ପରବର୍ତ୍ତୀ ବିଶ୍ଵରେ ସମ୍ଭାବ୍ୟ ଆହ୍ଵାନର ମିଳିମିଶି ମୁକାବିଲା କରିବା ଲାଗି ଭାରତ ଓ ରୁଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ମହତ୍ଵ ବିଷୟରେ ସହମତି ବ୍ୟକ୍ତ କରିଥିଲେ। ଦୁଇ ନେତା ଦ୍ଵିପାକ୍ଷିକ ସମ୍ପର୍କ ପରାମର୍ଶକୁ ତ୍ଵରାନ୍ୱିତ କରିବା ଲାଗି ସହମତ ହୋଇଥିଲେ, ଯାହାଦ୍ଵାରା ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା ବାର୍ଷିକ ଦ୍ଵିପାକ୍ଷିକ ଶିଖର ସମ୍ମିଳନୀ ଆୟୋଜନ କରାଯାଇପାରିବ। ପ୍ରଧାନମନ୍ତ୍ରୀ ଦ୍ଵିପାକ୍ଷିକ ଶିଖର ସମ୍ମିଳନୀ ଲାଗି ଭାରତରେ ପୁତିନଙ୍କୁ ସ୍ଵାଗତ କରିବା ଲାଗି ନିଜର ଉତ୍ସୁକତା ବ୍ୟକ୍ତ କରିଥିଲେ। ରାଷ୍ଟ୍ରପତି ପୁତିନ ଫୋନ କଲ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସ୍ଵତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ସାମରିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇଥିଲେ।