ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନଧି ଯୋଜନାରେ ୧୭ ତମ କିସ୍ତିରେ ଗଞ୍ଜାମରେ ୨ଲକ୍ଷ ୬୦ହଜାର ୧୧୦ ଜଣ ଚାଷୀଙ୍କ ଖାତାକୁ ଗଲା ସହାୟତା ରାଶି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ପିଏମ କିଷାନ ସମ୍ମାନ ନିଧି ପ୍ରଦାନ ନିମନ୍ତେ ସମ୍ବନ୍ଧିତ ଫାଇଲରେ ଦସ୍ତଖତ କରିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନଧି ଯୋଜନାରେ ୧୭ ତମ କିସ୍ତି ସହ କୃଷି ସଖୀ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଡିବିଟି ମାଧ୍ୟମରେ ସିଧାସଳଖ କୃଷକଙ୍କ ବ୍ୟାଙ୍କଖାତାକୁ ୨ ହଜାର ଟଙ୍କା ଯାଇଛି । ଏହି ଯୋଜନାରେ ଚାଷୀମାନେ ବର୍ଷକୁ ୬ ହଜାର ଟଙ୍କା ପାଇବେ ଏହା ତିନୋଟି କିସ୍ତିରେ ମିଳିବ । ଏହି ଅବସରରେ ରାଜ୍ୟର ବିଭିନ୍ନ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଖୁସି ହେଲେ କୃଷକ … ରାଷ୍ଟ୍ର ହେବ ଉନ୍ନତ ଉଦେଶ୍ୟ ନେଇ ବାରଣାସୀ ଠାରୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ଦିବସ କୁ ପିଏମ୍ କିଷାନ ଉତ୍ସବ ଭାବେ ପାଳନ ସହକାରେ ଗଂଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ସିଧା ପ୍ରସାରଣ ହୋଇଥିଲା । ଏହିଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ବାଣିଜ୍ୟ , ପରିବହନ ,ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୁଷଣ ଜେନା ଯୋଗଦେଇ ଏହି ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହାସହିତ ପ୍ରଧାନମନ୍ତ୍ରୀ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସେ କହିଥିଲେ । ଗଂଜାମ ଜିଲ୍ଲାରେ ଜଳ ସେଚନ ସୁବିଧା ନଥିବାରୁ ଅଧା ଚାଷ ଜମିରେ ଚାଷ ହୋଇପାରୁ ନାହିଁ । ଏହାର ସମାଧାନ ଦିଗରେ ଆମ ସରକାର କାର୍ଯ୍ୟ କରିବ ବୋଲି ମଧ୍ୟ ସେ କହିଥିଲେ ।ଗଞ୍ଜାମ ଜିଲାରେ ୨ଲକ୍ଷ ୬୦ହଜାର ୧୧୦ ଜଣ ଚାଷୀଙ୍କ ଖାତାକୁ ଏହି ଟଙ୍କା ଯାଇଥିବା କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ବ୍ରହ୍ମପୁର ବିଧାୟକ କେ.ଅନିଲ,ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଗଂଜାମ ଜିଲ୍ଲାପରିଷଦର ସିଡିଓ ମଧୁମିତା, ଗଂଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧାଂଶୁ କୁମାର ନନ୍ଦଙ୍କସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଉଦ୍ୟାନ ବିଭାଗର ଉପନିର୍ଦେଶକ କନ୍ଧ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାର ବହୁ କୃଷକ ମାନେ ଉପସ୍ଥିତ ଥିଲେ ।