ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୨୯,୩୫୨ କୋଟି ଟଙ୍କାର ସହାୟତା ପ୍ରଦାନ

ନୂଆଦିଲ୍ଲୀ : କାରୋନା ମାହାମାରୀ ଲାଗି ଘୋଷିତ ଲକଡାଉନ ଯୋଗୁଁ ସମାଜର କୌଣସି ବ୍ୟକ୍ତି ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୧.୭୦ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ (ପିଏମଜିକେପି) ଘୋଷଣା କରିଥିଲେ । ଏହି ପ୍ୟାକେଜର ଅଂଶସ୍ଵରୂପ ସରକାର ଗରିବ, ବରିଷ୍ଠ ନାଗରିକ, ଚାଷୀ ଏବଂ ମହିଳାଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ଓ ନଗଦ ଅର୍ଥ ପଇଠ ପାଇଁ ଯୋଜନା କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାର ଦ୍ରୁତ କାର୍ଯ୍ୟକାରିତା ଉପରେ ନଜର ରଖିଛନ୍ତି । ଲକଡାଉନ କାଳରେ ଯେପରି ଏହି ରିଲିଫ ସେମାନଙ୍କ ପାଖରେ ପହଞ୍ଚେ ତା’ଉପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଓ ଏହାର ଆନୁସଙ୍ଗିକ ବିଭାଗ, କ୍ୟାବିନେଟ ସଚିବାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୀକ୍ଷଣ ନଜର ରଖିଛନ୍ତି । ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ହିତାଧିକାରୀମାନଙ୍କୁ ଅର୍ଥର ଶୀଘ୍ର ପଇଠ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ଯୋଗୁଁ ହିତାଧିକାରୀଙ୍କ ଖାତାରେ ଶୀଘ୍ର ଅର୍ଥ ପଇଠ ହୋଇପାରୁଛି । ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଯୋଗୁଁ ହିତାଧିକାରୀଙ୍କୁ ଅଯଥାରେ ବ୍ୟାଙ୍କକୁ ଦୌଡିବାକୁ ପଡୁନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା: ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏପ୍ରିଲ ମାସ ପାଇଁ ଉଦ୍ଦିଷ୍ଟ ୪୦ଲକ୍ଷ ଟନ ଖାଦ୍ୟଶସ୍ୟ ମଧ୍ୟରୁ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମିଶି ୨୦.୧୧ଲକ୍ଷ ଟନ ଖାଦ୍ୟଶସ୍ୟ ଉଠାଇଛନ୍ତି । ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମିଶି ୧.୧୯କୋଟି ରେସନ କାର୍ଡ ଜରିଆରେ ୫.୨୯କୋଟି ହିତାଧିକାରୀକୁ ଖାଦ୍ୟଶସ୍ୟ ପ୍ରଦାନ କରିଛନ୍ତି । ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩୯୮୫ଟନ ଡାଲି ଜାତୀୟ ଶସ୍ୟ ପଠାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର: ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନା ଅଧୀନରେ ୧.୩୯ କୋଟି ଗ୍ୟାସ ସିଲିଣ୍ଡର ବୁକ କରାଯାଇଥିବା ବେଳେ ୯୭.୮ଲକ୍ଷ ସିଲିଣ୍ଡର ମାଗଣା ବିତରଣ କରାଯାଇଛି । ଇପିଏଫଓ ସଦସ୍ୟମାନଙ୍କୁ ଶତକଡା ୭୫ଭାଗ ବିନା ଫେରସ୍ତ ନଗଦ ରାଶି ପ୍ରଦାନ: ୨.୧ ଲକ୍ଷ ଇପିଏଫଓ ସଦଶ୍ୟ ଅନଲାଇନରେ ଏପର୍ଯ୍ୟନ୍ତ ୫୧୦କୋଟି ଟଙ୍କା ଉଠାଇଛନ୍ତି । ଇପିଏଫ ସଦସ୍ୟଙ୍କୁ ୩ ମାସର ମାଗଣା ଅର୍ଥ ପ୍ରଦାନ: ମାସିକ ୧୫ହଜାରରୁ କମ ବେତନଧାରୀଙ୍କୁ ମୋଟ ବେତନର ଶତକଡା ୨୪ଭାଗ ଅର୍ଥ ପ୍ରଦାନ । ଏହି ଯୋଜନା ପାଇଁ କେବଳ ଏପ୍ରିଲ ମାସରେ ଏଇପିଏଫଓକୁ ୧୦୦୦କୋଟି ଟଙ୍କା ପ୍ରଦାନ କରାଯାଇଛି । ୭୮.୭୪ଲକ୍ଷ ହିତାଧିକାରୀଙ୍କୁ ଏବିଷୟରେ ଅବଗତ କରାଯାଇଛି । ଏସମ୍ପର୍କିତ ସମସ୍ତ ତଥ୍ୟ ୱେବସାଇଟରେ ସନ୍ନିବେଶିତ ହୋଇଛି । ମନରେଗା: ମନରେଗା ପାଇଁ ବର୍ଦ୍ଧିତ ଅର୍ଥ ଘୋଷଣା କରାଯାଇ ଏହାକୁ ଚଳିତ ମାସ ପହିଲାରୁ ଲାଗୁ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୧୯.୫୬ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଛି । ବକେୟା ଅର୍ଥ ପଇଠ ପାଇଁ ରାଜ୍ୟଗୁଡିକୁ ୭,୧୦୦କୋଟି ଟଙ୍କା ପ୍ରଦାନ କରାଯାଇଛି । ସରକାରୀ ଚିକିତ୍ସାଳୟ ଓ ସେବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ବୀମା ଯୋଜନା: ଦେଶର ପ୍ରାୟ ୨୨.୧୨ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ନ୍ୟୁ ଇଣ୍ଡିଆ ଆସୁରେନ୍ସ ପକ୍ଷରୁ ଏହି ବୀମା ଯୋଜନା ଚାଲୁ କରାଯାଇଛି । ଚାଷୀଙ୍କୁ ସହାୟତା: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପ୍ରଥମ କିସ୍ତି ପଇଠ ବାବଦକୁ ୧୪,୯୪୬କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରାୟ ୮କୋଟି ହିତାଧିକାରୀଙ୍କ ମଧ୍ୟରୁ ୭.୪୭କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ୨ହଜାର ଟଙ୍କା ଲେଖାଏଁ ପଇଠ କରାଯାଇଛି । ପ୍ରଧାମନମନ୍ତ୍ରୀ ଜନଧନ ଯୋଜନା ମହିଳା ଖାତାଧାରୀଙ୍କୁ ସାହାଯ୍ୟ: ଦେଶର ଅଧିକାଂଶ ଘର ମହିଳାମାନେ ଚଲାଉଥିବାରୁ ଏହି ଯୋଜନା ଅଧୀନରେ ୧୯.୮୬କୋଟି ମହିଳା ଜନଧନ ଆକାଉଣ୍ଟରେ ପ୍ରତ୍ୟେକଙ୍କୁ ୫୦୦ଟଙ୍କା ଲେଖାଏଁ ପଇଠ କରାଯାଇଛି । ଏବାବଦକୁ ୧୩ଏପ୍ରିଲ ସୁଦ୍ଧା ୯,୯୩୦କୋଟି ଟଙ୍କା ପ୍ରଦାନ କରାଯାଇଛି । ବୟସ୍କ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ସହାୟତା: ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ୨.୮୨କୋଟି ବୟସ୍କ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୧୪୦୦କୋଟି ଟଙ୍କା ପ୍ରଦାନ କରାଯାଇଛି । ଯୋଜନା ଅଧୀନରେ ପ୍ରେତ୍ୟେକ ହିତାଧିକାରୀ ପ୍ରଥମ କିସ୍ତି ବାବଦ ୫୦୦ଟଙ୍କା ଲେଖାଏଁ ପାଇଛନ୍ତି । ଦ୍ଵିତୀୟ କିସ୍ତିରେ ଆଉ ୫୦୦ଟଙ୍କା ଲେଖାଏଁ ସେମାନକୁ ଆସନ୍ତା ମାସରେ ପ୍ରଦାନ କରାଯିବ । କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ସହାୟତା: ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କୋଠାବାଡି ଓ ନିର୍ମାଣ ଶ୍ରମିକ ପାଣ୍ଠିରୁ ୨.୧୭କୋଟି ହିତାଧିକାରୀଙ୍କୁ ୩,୦୭୧କୋଟି ଟଙ୍କା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ