ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ମୋଟ ୩୨ କୋଟି କାର୍ଯ୍ୟଦିବସ ରୋଜଗାର ପ୍ରଦାନ

ନୂଆ ଦିଲ୍ଲୀ:କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ରୋଜଗାର ହରାଇ ନିଜ ଗ୍ରାମକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳରେ ପ୍ରଭାବିତ ନାଗରିକମାନଙ୍କୁ ରୋଜଗାର ଓ ଜୀବିକା ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ନେଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ (ଜିକେଆରଏ) ଆରମ୍ଭ କରାଯାଇଥିଲା । ଏହି ଅଭିଯାନ ଅନ୍ତର୍ଗତ ୬ଟି ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଉଦ୍ଦେଶ୍ୟରେ ମିଶନ ମୋଡରେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଅଭିଯାନ ଏସବୁ ରାଜ୍ୟର ୧୧୬ଟି ଜିଲ୍ଲାରେ ଗ୍ରାମବାସୀଙ୍କୁ ଜୀବିକା ସୁଯୋଗ ଦିଆଯାଇ ସେମାନଙ୍କ ସଶକ୍ତିକରଣରେ ସହାୟକ ହୋଇଛି ।ଅଭିଯାନ ଆରମ୍ଭ ହେବାର ୧୫ତମ ସପ୍ତାହ ସୁଦ୍ଧା ପାଖାପାଖି ୩୨ କୋଟି ମାନବ ଦିବସ ରୋଜଗାର ଯୋଗାଇ ଦିଆଯାଇଥିବା ବେଳେ ୩୧,୫୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇସାରିଲାଣି । ବହୁସଂଖ୍ୟାରେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରାଯାଇଛି ଯାହା ମଧ୍ୟରେ ରହିଛି ୧,୩୨,୧୪୬ ଜଳ ସଂରକ୍ଷଣ ପ୍ରକଳ୍ପ ୪,୧୨,୨୧୪ ଗ୍ରାମୀଣ ଆବାସ, ୩୫,୫୨୯ ଗୋଶାଳା, ୨୫,୬୮୯ ଚାଷ ପୁଷ୍କରିଣୀ ଏବଂ ୧୬,୨୫୩ ଗୋଷ୍ଠୀ ଶୌଚାଳୟ ପରିସର । ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ୭,୩୪୦ କାର୍ଯ୍ୟ ଗ୍ରହଣ କରାଯାଇଥିବା ବେଳେ ୨,୧୨୩ଟି ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ଦିଆଯାଇଛି । ସେହିପରି ୨୧,୫୯୫ଟି କଠିନ ଓ ତରଳ ବର୍ଜ୍ୟ ପରିଚାଳନା ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଅଭିଯାନ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ୬୨,୮୨୪ ପ୍ରାର୍ଥୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଯୋଗାଇ ଦିଆଯାଇଛି ।କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା କାରଣରୁ ଏହି ଅଭିଯାନ ବର୍ତ୍ତମାନ ସୁଦ୍ଧା ବ୍ୟାପକ ସଫଳତା ହାସଲ କରିଛି, ଯାହାକି ପ୍ରବାସୀ ଶ୍ରମିକ ଏବଂ ଗ୍ରାମୀଣ ସମୁଦାୟଙ୍କୁ ବିଶେଷ ଲାଭ ପହଞ୍ଚାଇ ପାରିଛି । ଯେଉଁମାନେ ନିଜ ଅଞ୍ଚଳରେ ରହିବାକୁ ଚାହାନ୍ତି ସେମାନଙ୍କୁ ଏହି ଅଭିଯାନ ଅଧୀନରେ ସ୍ଥାୟୀ ରୋଜଗାର ଓ ଜୀବିକା ଯୋଗାଇ ଦେବା ନିମନ୍ତେ ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ