ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା : ୩ ବର୍ଷ ରେ ୩ ଠିକାଦାର ବଦଳିଲେଣି : କାମ ସରିବାର ନାଁ ଧରୁନି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାମାଞ୍ଚଳରେ ଗମନାଗମନରେ ସୁଧାର ଆଣିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସବୁ ଗାଁକୁ ପକ୍କା  ରାସ୍ତା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଉଛି। ଆଉ ଟେଣ୍ଡର ପରେ ରାସ୍ତା କାମକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ବି ରହୁଛି । ହେଲେ କନ୍ଧମାଳରେ ଠିକାସଂସ୍ଥାର ମନମାନୀ କାର୍ଯ୍ୟ ପାଇଁ ୩ ବର୍ଷ ମଧ୍ୟରେ ୬ କିଲୋମିଟର ରାସ୍ତାରୁ ମାତ୍ର ୩୦୦ ମିଟର ରାସ୍ତା କାମ ସରି ପାରିଲା ନାହିଁ। ଏହାକୁ ନେଇ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ବେଳେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଏମିତି କି ବିଧାୟକ ବି ଅସନ୍ତୋଷ ପ୍ରକାଶ କରି ହାତ ଟେକି ଦେବାକୁ ବାଧ୍ୟ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଗୋଛାପଡାଠୁ ନେଡିପଦର ଭାୟା ସଲାଗୁଡା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିଲା । ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ସ୍ଥାନୀୟ ଅଞ୍ଚଳର ୨୦ ଖଣ୍ଡ ଗ୍ରାମବାସୀ ନାହିଁ ନଥିବା ସମସ୍ୟା ଭୋଗି ଆସୁଛନ୍ତି । ଆଉ ରାସ୍ତାର ଅବସ୍ଥା ଦେଖି କାଟ୍ରାମାଲା ପର୍ଯ୍ୟଟନ କ୍ଷେତ୍ରକୁ ଯାଉଥିବା ପର୍ଯ୍ୟଟକ ଅଧା ବାଟରୁ ଫେରି ଆସିଥାନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ବହୁବାର ଦାବି ହୋଇଛି। ଏମିତି କି ଆନ୍ଦୋଳନ ବି ହୋଇଛି। ଶେଷରେ ୩ ବର୍ଷ ପୂର୍ବେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇଥିଲା। ଯମଯନ୍ତ୍ରଣା ଦୁର ହେବ । ଏଭଳି ଆଶା କରି ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଥିଲେ। ଭୁବନେଶ୍ବରରେ ବଡବଡ କାମ କରୁଥିବା ଏକ ଠିକାସଂସ୍ଥାର ଏହି ରାସ୍ତାର ଟେଣ୍ଡର ପାଇଥିଲେ। ସେ ରାସ୍ତା କାମ ପାଇଁ ଜଣେ ଠିକାଦାରଙ୍କୁ ଦାୟିତ୍ବ ଦେଇଥିଲେ। ଠିକାଦାର ଆସି କାମ ଆରମ୍ଭ କରିଥିଲେ। ମାତ୍ର ୩୦୦ ମିଟର କାମ ହୋଇଛି କି ନାହିଁ ସେ ଠିକାଦାର ଆଉ କାମ କରି ନଥିଲେ । ତାପରେ ଆଉ ଜଣେ ଠିକାଦାର ଆସି କାମ କଲେ। ସେ କିଛି ଦିନ କାମ କରିବା ପରେ ଆଉ ଆସି ନଥିଲେ। ପୁଣି ଆଉ ଜଣେ ଠିକାଦାରକୁ କାମ ଦେଇଥିଲା ଟେଣ୍ଡର ପାଇଥିବା ଠିକାସଂସ୍ଥା । ସେହି ଠିକାଦାର ବି କିଛି କାମ କରି ଆଉ ଧରାଛୁଆଁ ଦେଇ ନଥିଲେ। ମାତ୍ର ୩୦୦ ମିଟର କାମ ହୋଇଛି ତାହା ପୁଣି ଅଧପନ୍ତରିଆ ହୋଇ ପଡିଛି । ବାକି ରାସ୍ତା ଖୋଳା ଯାଇଥିବାରୁ ଲୋକମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ବିଲ ମଧ୍ୟରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି । ରାସ୍ତା କାମ ତୁରନ୍ତ ଶେଷ କରିବାକୁ ଅଞ୍ଚଳବାସୀ ଫୁଲବାଣୀ ଆରଡି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଉଛନ୍ତି। ହେଲେ ନିର୍ବାହୀଯନ୍ତ୍ରୀଙ୍କ କହିବା କଥା ହେଲା ସେହି ରାସ୍ତା କାମ ବ୍ରହ୍ମପୁର ଡିଭିଜନ ପକ୍ଷରୁ ତଦାରଖ ହେଉଛି। ଆଉ ସେ କିଛି କରି ପାରିବେ ନାହିଁ ବୋଲି କହୁଛନ୍ତି। ଏପଟେ ବ୍ରହ୍ମପୁର ସହ ଯୋଗାଯୋଗ କଲେ କିଛି ଉତ୍ତର ମିଳୁ ନାହିଁ । ଏହାକୁ ନେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବହୁବାର ଜଣାଇଛନ୍ତି। ହେଲେ ରାସ୍ତା କାମ କେବେ ହେବ ସେ ନେଇ କେହି କହୁ ନଥିବାରୁ ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଧାରଣ ଲୋକଙ୍କ କଥା ଛାଡନ୍ତୁ। ଖୋଦ ବିଧାୟକ ବି ଫୋନ କଲେ ବିଭାଗୀୟ କତ୍ତୃପକ୍ଷ କେତେ ବେଳେ ଉଠାଉଛନ୍ତି ଆଉ କେତେ ବେଳେ ଉଠାଉ ନାହାନ୍ତି। ଯଦି ବି ଉଠାଉଛନ୍ତି ରାସ୍ତା କାମ କେବେ ହେବ ବୋଲି ନିଶ୍ଚିତ କରି ପାରୁ ନାହାନ୍ତି। ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଖୁବ କମ ଦିନ ମଧ୍ୟରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି । ବିଭିନ୍ନ କାରଣରୁ କନ୍ଧମାଳରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ଅଗ୍ରଗତି ହୋଇ ପାରୁ ନାହିଁ । ହେଲେ ସେମିତି କିଛି କାରଣ ନଥିବା ବେଳେ ଠିକାସଂସ୍ଥାର ମନମାନି ଓ ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ପାଇଁ ଗୋଛାପଡାଠୁ ନେଡିପଦର ଭାୟା ସଲାଗୁଡା ରାସ୍ତା କାମ ଆରମ୍ଭରୁ ଅଟକି ରହିବା ବିଡମ୍ବନାର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ