ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ, କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ
ନାଉଗାଁ (ଓ୍ବାଇଏନ୍ଏସ୍) : ନାଉଗାଁ-ବଛାଳୋକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଛି । ଏହି ୬ କିମି ୫ଶହ ମିଟର ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ନିର୍ମାଣ କାର୍ଯ୍ୟ କରାଯାଉଅଛି । ରାସ୍ତାଟିରେ କଂକ୍ରିଟ ଢଳେଇ କାର୍ଯ୍ୟ ୩.୯୩୫ କି.ମି ଥିବା ବେଳେ ୨ କିମି ୫୬୫ ମିଟର ରାସ୍ତା ପିଚୁ କରାଯିବାର ନିର୍ଦ୍ଦେଶ ରହିଛି । ସୂଚନା ଫଳକରେ ମିଳିଥିବା ତଥ୍ୟ ଅନୁସାରେ ଏହି ରାସ୍ତାଟି ନିର୍ମାଣ କରିବା ପାଇଁ ପବିତ୍ର ମୋହନ ନାୟକ ଠିକାଦାର ଭାବେ ନିର୍ଦ୍ଦେଶାନାମା ପାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତାଟିର ଉଭୟ ପାଶ୍ୱର୍ରେ ପୋତା ଯାଇଥିବା ମାଟିକୁ ଠିକାଦାର ନିକଟସ୍ଥ ଗୋଚର ସ୍ଥାନରୁ ଖୋଲିଥିବା ଜଣାଯାଇଛି । ଶତାଧିକ ଟ୍ରାକ୍ଟର ମାଟି ଉଠିଥିବା ବେଳେ ଏ ବିଷୟରେ ତହସିଲ ନିକଟରେ କୌଣସି ଖବର ନଥିବା ଜଣାଯାଇଛି । ଗୋଚର ସ୍ଥାନରୁ ମାଟି ଉଠାଇବା ପାଇଁ ହେଲେ ତହସିଲର ଅନୁମତି ନେବା ସହିତ ରାଜସ୍ୱ ଦେବା ପାଇଁ ପଡିଥାଏ । କିନ୍ତୁ ଠିକାଦାର ଜଣକ କୌଣସି ଅନୁମତି ନ ନେଇ କିପରି ଏତେ ମାଟି ଉଠାଇ ରାସ୍ତାରେ ପକାଇଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାଉଗାଁ-ବଛାଳୋ ରାସ୍ତାଟି ଅଲଣା ଗ୍ରାମର ଜଗନ୍ନାଥ ମନ୍ଦିରର ନିକଟରୁ ରୋହିଆ ପଂଚାୟତ ପାଂଚପା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଛି । କିନ୍ତୁ ଏହି ରାସ୍ତାଟି ୪ ବର୍ଷ ତଳେ କଂକ୍ରିଟି ରାସ୍ତା ନିର୍ମାଣ କରାଯାଇଥିବା ବେଳେ କଂକ୍ରିଟକୁ ଫଟାଯାଇ ପୁର୍ଣ୍ଣବାର ପିଚୁ କରାଯାଉଛି । ସବୁଠାରୁ ବଡ କଥା ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତିରୁଣା-ଡାବର ରାସ୍ତାର ଗୋଠଦା, କାନୁନଗୋସାହି, ତିରୁଣାରୁ ମହନାପାରି, ମୁଣ୍ଡାଳରୁ ବେଣାପଡା ଆଦି ରାସ୍ତା ବିପର୍ଯ୍ୟୟ ଅବସ୍ଥାରେ ରହିଅଛି । ଏହି ରାସ୍ତା ମରାମତି ପାଇଁ ଜନସାଧାରଣ ଦାବି କରିବା ସତ୍ୱେ ବିଭାଗ ନିକଟରେ ଆବଶ୍ୟକୀୟ ଅର୍ଥ ନଥିବା ଦର୍ଶାଇ ରାସ୍ତା କାର୍ଯ୍ୟ କରାଯାଉନାହିଁ । କିନ୍ତୁ ଉକ୍ତ ରାସ୍ତାରେ ଭଲ ଥିବା କଂକ୍ରିଟକୁ ଫଟା ଯାଇ କାହା ସ୍ୱାର୍ଥରେ ପିଚୁ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରାସ୍ତାଟି ବଛାଳୋ, ଅଲଣା, ନାଉଗାଁ ଆଦି ଗ୍ରାମକୁ ସଂଯୋଗ କରୁଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଚାଷ ଜମି ରହିଛି । ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ପାଇଁ ଏହି ରାସ୍ତାରେ କଲଭର୍ଟ ରହଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କଲର୍ଭଟ ଗୁଡିକ ପୁନଃନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଠିକାଦାର ଚତୁରତାର ସହ ପୁରୁଣା କଲର୍ଭଟର ହୋମ ପାଇପ ନ ବଦଳାଇ କେବଳ ପୁରୁଣା ୱାଲ ଭାଙ୍ଗି ନୂତନ ଭାବେ ୱାଲ ତିଆରି କରାଯାଉଥିଲା । ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେତୋଟି ହାତ ଗଣତି କଲର୍ଭଟର ହୋମ ପାଇପ ପରିବର୍ତନ କରାଯାଇଥିବା ଜଣାଯାଇଛି । କିନ୍ତୁ ଉକ୍ତ କଲର୍ଭଟ ଗୁଡିକର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ବେଳେ ଅଳ୍ପ ଦିନ ମଧ୍ୟରେ ହୋମ ପାଇପ ଭାଙ୍ଗି ଗୁଡିକ ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି । ଯାହାଫଳରେ ରାସ୍ତା ଦବିବା ସହିତ ଚାଷ ଜମିରୁ ଜଳ ନିଷ୍କାସନରେ ବାଧା ଉପୁଜିବାର ସମ୍ଭାବନା ରହିଛି । ଠିକାଦାରର ଏପରି ମନୋମୁଖୀ ଓ ନିମ୍ନମାନର କାର୍ଯ୍ୟ ରାସ୍ତାର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ ବିନୋଦ ତରାଇଙ୍କୁ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ । ଏହି ରାସ୍ତାକୁ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିପାରିବ ବୋଲି ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।