ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ- ୧ ଅଧିନରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୩କୋଟି ୭୯ଲକ୍ଷ ୫ହଜାର ୯୮୩ଟଙ୍କା ବ୍ୟୟ ଅଟ୍ଟକଳରେ ୬.୪୫୦ କିଲୋମିଟର ଲମ୍ବ ବିଶିଷ୍ଟ ଟିକିଲି ମଠ ଠାରୁ ବଳଭଦ୍ରପୁର ଭାୟା ଶ୍ୟାମସୁନ୍ଦରପୁର ମରଡପୁର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଅଦ୍ୟାବଧି ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର କୋଣସି ଯନ୍ତ୍ରୀ ରାସ୍ତା ନିର୍ମାଣ ହେଉଥିବା ସ୍ଥାନକୁ ପରିଦର୍ଶନ କରିନଥିବା ଅଭିଯୋଗ ହୋଇଛି । ଓଡିଶା ସରକାରଙ୍କ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ(ଗ୍ରାମ୍ୟ ନିର୍ମାଣ) ଏହି ରାସ୍ତାର କାର୍ଯ୍ୟନିର୍ବାହୀ ହୋଇଥିବା ବେଳେ ଭାରତ ସରକାରଙ୍କ ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ପ୍ୟାକେଜ ନମ୍ବର – ଓ.ଆର. ୧୬-୩୧୯ରେ ଏହି ରାସ୍ତାର ନିର୍ମାଣ ପାଇଁ ଠିକାଦାର ବିଭୁରଞ୍ଜନ ପରିଡାଙ୍କୁ ଠିକା ଦିଆଯାଇଥିବା ନାମ ଫଳକରେ ଉଲ୍ଲେଖ କରାଯାଇଛି । ଏହି କାର୍ଯ୍ୟ ଆରମ୍ଭ ପାଇଁ ଗତ ୧୧.୧ ୨୦୨୨ରିଖ ଉଲ୍ଲେଖ ଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମୟ ଚଳିତ ଡିସେମ୍ବରମାସ ୧୦ତାରିଖ ଥିଲା । କିନ୍ତୁ ଅଦ୍ୟାବଧି ସେହି ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ସେହି ରାସ୍ତାର ମୋଟ ୬.୪୫୦ କିଲୋମିଟର ରାସ୍ତାରେ ମାଟିକାମ ୨୧ହଜାର ୯୭୯ ଘନ ମିଟର ବା ୩ହଜାର ୩୬୩ଟ୍ରକ ମାଟି ପଡିବା କଥା । କିନ୍ତୁ ସଂପୃକ୍ତ ଠିକାଦାର ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଚାଷଜମି ଓ ଶାଖା କେନାଲରୁ ମେସିନ ଯୋଗେ ମାଟି ତାଞ୍ଛି ରାସ୍ତାର ଉଭୟ ପାଶ୍ୱର୍ରେ ଛିଞ୍ଚି ଦେଇଥିବା ଦେଖାଯାଇଛି । ପ୍ରସସ୍ତିକରଣ ପାଇଁ ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଆବଶ୍ୟକତା ଅନୁଯାୟୀ ଖୋଳାଯାଇ ଏକ ମିଟର କରି ମାଟି ପଡିବାକୁ ଥିବା ବେଳେ କେବଳ ଅଳ୍ପ କିଛି ମାଟି ପିନ୍ଧାଇ ଦିଆଯାଇଛି । ସେହି ରାସ୍ତାରୁ ପୁରୁଣା ପିଚୁ ଖୋଳାଯିବା ପରେ ୩ଇଞ୍ଚ କରି ଦୁଇଟି ଲେଆରରେ ୬ଇଞ୍ଚ ମେଟାଲ ଦିଆଯିବା ସ୍ଥଳେ ମାତ୍ର ୩ଇଞ୍ଚର ମେଟାଲ ଦିଆଯାଇ କାମ କରାଯାଇଛି । ୬ଇଞ୍ଚର ମେଟାଲିଙ୍ଗ ପରେ କାରପେଟ ୨୦ଏମ.ଏମ. ଓ ସିଲପଟ ୬ଏମ.ଏମ. ପିଚୁ କରାଯିବା ସ୍ଥଳେ ୨ଲେଆର ମିଶି ମାତ୍ର ୬ଏମ.ଏମ. ପିଚୁ କରାଯାଇନାଥିବା ନେଇ ଅଭିଯୋଗ ହୋଇଛି । କଜଳା ଶ୍ମଶାନ ପର୍ଯ୍ୟନ୍ତ ହୋଇଥିବା ପିଚୁ କାମ ମାତ୍ର ସପ୍ତାହେ ପୁରିନଥିବା ବେଳେ ସେହି ରାସ୍ତାର ବହୁ ସ୍ଥାନରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି । ସେହି ରାସ୍ତା ଉପରେ ନିର୍ମାଣ ହେବାକୁ ଥିବା ୩ଟି କଲଭର୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ଜଣାପଡିଛି । ସଂପୃକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଅଦ୍ୟାବଧି କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନର କୈାଣସି ଯନ୍ତ୍ରୀଙ୍କୁ ରାସ୍ତା ନିର୍ମାଣ ସ୍ଥଳରେ ଦେଖିବାକୁ ମିଳିନାହିଁ । ବିଭାଗୀୟ କତ୍ତୃପକ୍ଷ ସଂପୃକ୍ତ ରାସ୍ତା ନିର୍ମାଣ ସମୟରେ କାର୍ଯ୍ୟ ଯାଞ୍ଚ ତଥା ତଦାରଖ କରିବାର ବ୍ୟବସ୍ଥା ଥିବା ବେଳେ କୈାଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ ନକରିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ସଂପୃକ୍ତ ଠିକାଦର ମନଇଛା ଓ ଆବଶ୍ୟକତା ଠାରୁ ବହୁ କମ ପରିମାଣର ନିର୍ମାଣ ସାମଗ୍ରୀ ବ୍ୟବହାର କରି ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଛି । ପିଚୁ ହେବାର ସପ୍ତାହେ ବିତି ନଥିବା ବେଳେ ସେହି ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଯାଇ ବଜୁରୀ ପଡିଥିବା ଦେଖାଯାଇଛି । ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ କେନ୍ଦ୍ରାପଡା କଲେଜର ଛାତ୍ରଛାତ୍ରୀମାନେ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବର ଅଭିଯୋଗ କରିବା ପରେ ମଧ୍ୟ ସେମାନେ ରାସ୍ତା ନିର୍ମାଣ ସ୍ଥଳକୁ ଆସିନାହାନ୍ତି କିମ୍ବା କୈାଣସି ବିହିତ ପଦକ୍ଷେପ ଗ୍ରହଣ କରିନାହାନ୍ତି । ସେହି ରାସ୍ତା ଦେଇ ଗ୍ରାମାଞ୍ଚଳରୁ ଦୈନିକ ଶହ ଶହ ଛାତ୍ରଛାତ୍ରୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସମେତ ବିଭିନ୍ନ ସ୍କୁଲ ଓ କଲେଜ ଗୁଡିକୁ ଯିବା ଆସିବା କରିଥାନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ନିର୍ମାଣ କାର୍ଯ୍ୟ ଉପରେ ସଂପୃକ୍ତ ବିଭାଗ ଗୁରୁତ୍ୱ ନଦେବା ଘଟଣା ଜନସାଧାରଣଙ୍କ ସମେତ ସେହି ରାସ୍ତା ଦେଇ ଦୈନିକ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯଦି ସଂପୃକ୍ତ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କଲେଜ ଛାତ୍ରଛାତ୍ରୀମାନଙ୍କ ସମେତ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ପୂର୍ବତନ ସରପଞ୍ଚ ବସନ୍ତ କୁମାର ରାଉତ, ଶାରଦା ପ୍ରସାଦ ରାଉତ, ସମାଜସେବୀ ପ୍ରଦିପ କୁମାର ମହାନ୍ତି, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଦାବି କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ